ପାଟନା ୩।୯: ବିଧାନସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତି ଏବେ ଉଠପଡ଼ ହେଉଛି। ରାହୁଲ-ତେଜସ୍ୱୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା ଭୋଟ ଅଧିକାର ଯାତ୍ରା ସମାପନ ହୋଇଛି। ହେଲେ ଏହି ଯାତ୍ରା ଏବେ ଅନେକ ବିବାଦର କାରଣ ପାଲଟିଛି। ଏଥିରୁ ଗୋଟିଏ ହେଉଛି ସଭାମଞ୍ଚରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ମାଙ୍କ ପ୍ରତି ଅଭଦ୍ର ଭାଷାର ପ୍ରୟୋଗ। ଏହି ମାମଲା ଏବେ ମୁଣ୍ଡ ଉଠାଇଥିବା ବେଳେ ଶାସକ ଦଳ ୪ ସେପ୍ଟେମ୍ବର ଗୁରୁବାର ବିହାର ବନ୍ଦ ଡାକରା ଦେଇଛନ୍ତି।

ଏହାକୁ ନେଇ ଗତ ଦିନରେ ପ୍ରଧାନମନ୍ତ୍ରୀ ଦୃଢ ନିନ୍ଦା କରିଥିଲେ ଓ ରାହୁଲ ଗାନ୍ଧି ଏବଂ ତେଜସ୍ୱୀ ଯାଦବଙ୍କ ଉପରେ ବର୍ଷିଥିଲେ। ଏବେ ଏହି ମାମଲାରେ ତେଜସ୍ୱୀ ଯାଦବ ବୁଧବାର ପାଲଟା ଆକ୍ରମଣ କରିଛନ୍ତି। ଏଥିରେ ତେଜସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁରୁଣା ବୟାନ ମନେ ପକାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଙ୍କୁ ନେଇ ବିବାଦସ୍ପଦ ବୟାନରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ମା ମା ହୋଇଥାନ୍ତି ସେ କାହାର  ମା ହୁଅନ୍ତୁ ନା କାହିଁକି ମା ଶବ୍ଦ ପାଟିରେ ଉଚାରଣ କଲେ ଆତ୍ମାକୁ ଶାନ୍ତି ମିଳିଥାଏ। ନିର୍ବାକ ପଶୁପକ୍ଷୀଙ୍କର ବି ମା ଅଛନ୍ତି। କାହାର ମା ପ୍ରତି ଅପମାନଜନକ ଶବ୍ଦ କହିବା ଆମ ସଂସ୍କାରରେ ନାହିଁ।

ତେଜସ୍ୱୀ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁରୁଣା ବୟାନ ମନେ ପକାଇ ଦେଇଛନ୍ତି। କହିଛନ୍ତି ରେବନ୍ନାଙ୍କ ନିର୍ବାଚନ ପ୍ରଚାରକୁ ଯାଇଥିଲେ ୫୦ କୋଟିର ଗାର୍ଲଫ୍ରେଣ୍ଡ ବୟାନ ଦେଇଥିଲେ। ମୋଦି ଜୀ ସୋନିଆ ଗାନ୍ଧିଙ୍କ ବିରୋଧରେ ଅପଶବ୍ଦ  ବ୍ୟବହାର କରିଥିଲେ, ସେ ନିତିଶ କୁମାରଙ୍କ ଡିଏନଏ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ତେଜସ୍ୱୀ କହିଛନ୍ତି ଯେ ବିଧାନସଭା ସଦନରେ ବିଜେପି ବିଧାୟକମାନେ ମୋତେ ଓ ମୋ ପରିବାରକୁ ମା-ଭଉଣୀ ଗାଳିଗୁଲଜ କରିଛନ୍ତି।

ତେଜସ୍ୱୀ କହିଛନ୍ତି ଯେ ଏପରିକି ଆମ ମୁଖପାତ୍ର ସାରିକା ପାସୱାନଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କୁ ବିଜେପି ପାର୍ଟିରେ ସାମିଲ କରି ସମ୍ମାନୀତ କରିଛି। ସେତେବେଳେ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଥିଲେ? ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି କେଉଁଠି ଥିଲେ? ଆଜି ବିଦେଶରୁ ଫେରିବା ପରେ ମୋଦି ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ବିରୋଧୀ ଦଳ ନେତା କହିଛନ୍ତି ଯେ ଦେଶ ଓ ଜନତା ସବୁ ଦେଖୁଛନ୍ତି ଓ ବୁଝୁଛନ୍ତି। ଦେଖାଇ ହେବା ଓ ଅପମିଶ୍ରିତ ରାଜନୀତି ଏବେ ଆଉ ଚଳିବନି।

ତେଜସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଭାବୁକତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ବିଦେଶରେ ଅଟ୍ଟହାସ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଦେଶକୁ ଫେରି କାନ୍ଦଣା କାନ୍ଦୁଛନ୍ତି। ସରକାରୀ ଲୋକେ ବିହାର ବନ୍ଦ କରୁଛନ୍ତି ଓ ଯେତେବେଳେ ପ୍ରଧାନମନ୍ତ୍ରୀ ଆସନ୍ତି ରାଜ୍ୟରେ ସ୍କୁଲ ସବୁ ମନକୁ ମନ ବନ୍ଦ ହୋଇଯାଏ। କଥା ହେଉଛି ବିଜେପି ଏବେ ଡରିଲାଣି, କାରଣ ଭୋଟ ଅଧିକାର ଯାତ୍ରାରେ ଜନତା ଆମକୁ ଅପାର ସମର୍ଥନ ଜଣାଇଛନ୍ତି।