ନୂଆଦିଲ୍ଲୀ: ଫୁଡ୍ ପ୍ରୋସେସିଂ ସେକ୍ଟରେ ନିବେଶ ପାଇଁ କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କଲେ ଦେଶର ଦୁଇ ପ୍ରମୁଖ ଏଫଏମସିଜି କମ୍ପାନୀ, ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍ ଏବଂ ଗୋଦରେଜ୍ ଆଗ୍ରୋଭେଟ୍। ଦୁଇ କମ୍ପାନୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ସହିତ ମୋଟ ୨,୯୬୦ କୋଟି ଟଙ୍କାର ନିବେଶ ପାଇଁ ଏକ ଅଣ-ବାଧ୍ୟକତାମୂଳକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏନେଇ ଉଭୟ କମ୍ପାନୀ ଶୁକ୍ରବାର ସୂଚନା ଦେଇଛନ୍ତି।

ୱାର୍ଲଡ ଫୁଡ୍ ଇଣ୍ଡିଆ ୨୦୨୫ ନିବେଶ ପ୍ରୋତ୍ସାହନ ପାଇଁ ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍ ବିଭାଗୀୟ ମନ୍ତ୍ରଣାଳୟ ସହିତ ଚୁକ୍ତି କରିଛି। ଏହି ଚୁକ୍ତି ୫ ବର୍ଷ ପାଇଁ ହୋଇଥିବା ବେଳେ କମ୍ପାନୀ ଏଥିରେ ୨୦୦୦ କୋଟି ନିବେଶ କରିବ ବୋଲି କହିଛି। ତେବେ ଏ ବିଷୟରେ କମ୍ପାନୀ ବିଶେଷ କୌଣସି ବିବରଣୀ ପ୍ରକାଶ କରି ନାହିଁ। ନିବେଶ ପାଇଁ ନିୟମ ଏବଂ ସର୍ତ୍ତାବଳୀ ଚୂଡ଼ାନ୍ତ ହେବା ପରେ, ଆବଶ୍ୟକ ହେଲେ କମ୍ପାନୀ ଉପଯୁକ୍ତ ସୂଚନା ଦେବ ବୋଲି କହିଛି।

ଅନ୍ୟପଟେ ଗୋଦରେଜ୍ ଆଗ୍ରୋଭେଟ୍ ୯୬୦ କୋଟି ଟଙ୍କା ନିବେଶ କରିବାକୁ କେନ୍ଦ୍ର ସରକାରଙ୍କ ସହିତ ଚୁକ୍ତି କରିଛି। କମ୍ପାନୀ ଏହି ନିବେଶରେ ଅପଷ୍ଟ୍ରିମ୍ ଗବେଷଣା ଏବଂ ବିକାଶ କେନ୍ଦ୍ର ସହିତ ମାନୁଫେକ୍ଚରିଂ ଏବଂ ପ୍ରୋସେସିଂ ଫାସିଲିଟି ସ୍ଥାପନ କରିବ। ରେଗୁଲେଟରି ଫାଇଲିଂରେ କମ୍ପାନୀ ଏହି ସୂଚନା ଦେଇଛି।

ଗୋଦରେଜ୍ ଆଗ୍ରୋଭେଟ୍ ଏହି ନିବେଶ କମ୍ପାନୀର ତେଲ ପାମ୍ ଏବଂ ଗୃହପାଳିତ ପ୍ରାଣୀ ଖାଦ୍ୟ ବ୍ୟବସାୟ ଉପରେ କେନ୍ଦ୍ରିତ ହେବ। କମ୍ପାନୀ ଆନ୍ଧ୍ର ପ୍ରଦେଶ, ଆସାମ, ତ୍ରିପୁରା, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରର ପ୍ରକଳ୍ପଗୁଡ଼ିକରେ ନିବେଶ କରିବ। ଆର୍ଥିକ ବର୍ଷ ୨୭ ସୁଦ୍ଧା କମ୍ପାନୀ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଆଶା କରିଛି। ଏହି ନିବେଶ ଲକ୍ଷ୍ୟ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୃଷ୍ଟି ମାଧ୍ୟମରେ ଆଞ୍ଚଳିକ ବିକାଶ ଏବଂ ଦକ୍ଷତା ବୃଦ୍ଧିରେ ଯୋଗଦାନ ଦେବା ବୋଲି କମ୍ପାନୀ କହିଛି।