News7 Logo

ନେପାଳର ଅନ୍ତରୀଣ ସରକାରର ମୁଖ୍ୟ ହେଲେ ସୁଶୀଳା କାର୍କି, ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ରାଷ୍ଟ୍ରପତି

NEWS7
sushila

ନୂଆଦିଲ୍ଲୀ: ନେପାଳ ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କି । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡଲେ ସମ୍ୱିଧାନର ଧାରା ୬୧(୪) ଅନୁଯାୟୀ ରାଷ୍ଟ୍ରପତି ପୌଡେଲ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବରେ କାର୍କିଙ୍କୁ ଶପଥ ପାଠ କରାଇଛନ୍ତି । ସଙ୍କଟ ସମୟରେ ଦେଶର ଦାୟିତ୍ୱ ପାଇଥିବା ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦ୍ୱିତୀୟ ଥର ପାଇଁ ନେପାଳରେ ଇତିହାସ ସୃଷ୍ଟି କରିଛନ୍ତି ।

ଦୁର୍ନୀତି ବିରୁଦ୍ଧରେ 'କଠୋର ସ୍ୱଭାବର' କାର୍କି ଦଶନ୍ଧି ପୂର୍ବେ ସୁପ୍ରିମକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିଥିଲେ ।  ନେପାଳର ୨୨୦ ବର୍ଷର ଇତିହାସରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାରେ କାର୍କି ହେଉଛନ୍ତି ପ୍ରଥମ ମହିଳା । ୧୮୬୩ ମସିହାରେ ଭୀମସେନ ଥାପା ନେପାଳର ପ୍ରଥମ ପ୍ରଧାନମନ୍ତ୍ରୀ ହେବା ପରଠାରୁ, ଦେଶରେ ୪୨ ଜଣ ପ୍ରଧାନମନ୍ତ୍ରୀ ରହିସାରିଛନ୍ତି ।

ଯୁବପିଢିଙ୍କ ହିଂସାତ୍ମକ ପ୍ରତିବାଦ ପରେ ନେପାଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ, ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ସଂସଦକୁ ଭଙ୍ଗ କରିଥିଲେ । ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଷ୍ଟ୍ରପତିଙ୍କ ସହିତ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ଉପସ୍ଥିତିରେ ଜେନ-ଜି ଗୋଷ୍ଠୀଗୁଡ଼ିକ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ନିଯୁକ୍ତ କରିବାକୁ ସହମତ ହୋଇଥିଲେ । ଶପଥ ଗ୍ରହଣ କରିବା ପରେ ସୁଶୀଳା ଆଗାମୀ ନିର୍ବାଚନ ପାଇଁ ଦେଶର ମାର୍ଗଦର୍ଶନ କରିବେ । ଦେଶରେ ପରବର୍ତ୍ତୀ ନିର୍ବାଚନ ଆଗାମୀ ଛଅ ମାସ କିମ୍ୱା ବର୍ଷେ ଭିତରେ ହୋଇପାରେ ।

ସୁଶୀଳା କାର୍କି ୧୯୭୯ ମସିହାରେ ବିରାଟନଗରରେ ଜଣେ ଓକିଲ ଭାବରେ ତାଙ୍କର ଆଇନଗତ କ୍ୟାରିଅର ଆରମ୍ଭ କରିଥିଲେ । ୨୦୦୯ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ସେ ୨୦୧୬ରେ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇଥିଲେ । ଦୁର୍ନୀତି ବିରୁଦ୍ଧରେ ତାଙ୍କର ଅଭିମୁଖ୍ୟ ପାଇଁ ସେ ଯୁବପିଢିଙ୍କ ଭରସା ଜିତିଛନ୍ତି ।