News7 Logo

ଲୋକଙ୍କୁ କେମିତି ମିଳିବ ସ୍ୱଚ୍ଛ ବାୟୁ, ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

NEWS7
supremecourt

ନୂଆଦିଲ୍ଲୀ ୧୩/୦୯: କେବଳ ଦିଲ୍ଲୀ-ଏନ୍ ସିଆର ନୁହେଁ ବରଂ ପୂରା ଭାରତର ନାଗରିକଙ୍କୁ ସ୍ୱଚ୍ଛ ବାୟୁ ପାଇବାର ଅଧିକାର ରହିଛି। ଦିଲ୍ଲୀରେ ସୁପ୍ରିମକୋର୍ଟ ଏବଂ ଅନ୍ୟ ପ୍ରମୁଖ ଅନୁଷ୍ଠାନ ରହିଥିବାରୁ ଏବଂ ଭିଆଇପି  ରହୁଥିବାରୁ କେବଳ ଏହିଠାରେ ହିଁ ଲୋକଙ୍କୁ ଶୁଦ୍ଧ ବାୟୁ ମିଳୁ ବୋଲି କହିପାରିବା ନାହିଁ । ତେଣୁ ପୂରା ଦେଶରେ ବାଣ ବ୍ୟାନ୍ ହେବା କଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ବି.ଆର୍ ଗଭଇ ଏବଂ ଜଷ୍ଟିସ୍ କେ. ବିନୋଦ ଚନ୍ଦ୍ରନ୍ ଙ୍କୁ ନେଇ ଗଠିତ ଖଣ୍ଡପୀଠ  ଏହି ଟିପ୍ପଣୀ ଦେଇଛନ୍ତି । ଆଗରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ ଭାବେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଶୁଣାଣି ବେଳେ ଆମିକସ୍ କ୍ୟୁରୀ ବରିଷ୍ଠ ଓକିଲ କେ. ପରମେଶ୍ଵର କହିଥିଲେ, ଅକ୍ଟୋବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ ବାଣ ଉପରେ କଟକଣା ଉଚିତ ହେବ । କିନ୍ତୁ ନିର୍ମାଣ, ବ୍ୟବସାୟ ଏବଂ ବିକ୍ରି ଉପରେ ପୂର୍ଣ୍ଣ କଟକଣା ଲାଗିଲେ ଅନେକ ଜୀବିକା ପ୍ରଭାବିତ ହେବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡିସିନାଲ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭାଟି କହିଥିଲେ, ଦିଲ୍ଲୀ-ଏନ୍  ସିଆରରେ ଶୀତ ବେଳେ ପ୍ରଦୂଷଣ  ଅସହ୍ୟ ହୋଇପଡ଼ୁଛି। ଶୀତଦିନେ ଏଠାରେ ରହିବା ଅସମ୍ଭବ ହୋଇ ପଡୁଛି। ସିଜେଆଇ କହିଥିଲେ, ପଞ୍ଜାବ ଭଳି ରାଜ୍ୟରେ ବି ସ୍ଥିତି ଜଟିଳ । ସେଠାରେ ବାୟୁ ପ୍ରଦୂଷଣ ଦିଲ୍ଲୀଠାରୁ ବି ଖରାପ। ତେଣୁ ବାଣ ବ୍ୟାନ୍ ନୀତି ପୂରା ଦେଶ ପାଇଁ ଲାଗୁ ହେବା ଉଚିତ। କେବଳ ଦିଲ୍ଲୀରେ ସ୍ବତନ୍ତ୍ର ଭାବେ ଏହା ଲାଗୁ କରିବା ଠିକ୍ ନୁହେଁ  ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ।...