LIVE TV

କନେଷ୍ଟବଲ ଶୁଭମିତ୍ରା ହତ୍ୟା ମାମଲା, ରେଡ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କେସ୍

NEWS7
red flag

ଭୁବନେଶ୍ୱର ୧୯/୦୯: ଟ୍ରାଫିକ କନେଷ୍ଟବଲ ଶୁଭମିତ୍ରା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମ ସ୍ତ୍ରୀର ମୃତ୍ୟୁ ଘଟଣା ଓ ଶୁଭମିତ୍ରା ମର୍ଡର କେସ ଏବେ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ । କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । କମିଶନରେଟ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ । କ୍ୟାପିଟାଲ ଥାନା ପୋଲିସ, ଖୁଣ୍ଟୁଣି ଥାନା ପୋଲିସ ଠାରୁ ମିଳିଥିବା ତଥ୍ୟ ପ୍ରମାଣ ର ହେବ ଖୋଳତାଡ଼ ।

କ୍ରାଇମବ୍ରାଞ୍ଚ ସୂତ୍ରରୁ ଏହି ସୂଚନା ମିଳିଛି । ୬ ତାରିଖରେ କନେଷ୍ଟବଲ ଶୁଭମିତ୍ରାଙ୍କ ମିସିଂ, ୧୭ ତାରିଖରେ କେନ୍ଦୁଝରରେ ଗଳିତ ମୃତଦେହ ମିଳିବା ଘଟଣା ଓ ଦୀପକଙ୍କ ପ୍ରଥମ ସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ହେବ ଉଚ୍ଚସ୍ତରୀୟ ତଦନ୍ତ । CAW ଆଣ୍ଡ CW କେସକୁ ମନିଟର କରିବ । କନେଷ୍ଟବଲ ଶୁଭମିତ୍ରାଙ୍କ ହତ୍ୟା ରହସ୍ୟ ଖୋଲିବା ପରେ ଦୀପକଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଦୁର୍ଘଟଣାରେ ନୁହଁ, ଦୀପକ ହିଁ ହତ୍ୟା କରିଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକ ।

ଘଟଣାର ପୁଣି ଥରେ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ବାପା, ମା’ ଓ ଭଉଣୀ । ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି । ଏହାରି ଭିତରେ ପ୍ରଥମ ପତ୍ନୀଙ୍କ ଭଉଣୀ ପୁଣି ଥରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭୁବନେଶ୍ବର କମିଶନରେଟ୍‌ ପୋଲିସ ନିକଟରେ ତଦନ୍ତ ପାଇଁ ଦାବି କରିଛନ୍ତି । ୨୦୧୮ ଏପ୍ରିଲ ୨୫ ତାରିଖରେ ପ୍ରଥମ ବିବାହ କରିଥିଲେ ଦୀପକ । ପ୍ରଥମ ପତ୍ନୀ ଆରଆଇ ଚାକିରି କରିଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ପରେ ବିବାହ ହୋଇଥିଲା । ୨୦୨୨ ମାର୍ଚ୍ଚ ୧୭ ରାତି ୯ଟାରେ ପ୍ରଥମ ପତ୍ନୀଙ୍କ ସହ କାରରେ ଭୁବନେଶ୍ବର ଆସୁଥିଲେ ଦୀପକ ।

ଢେଙ୍କାନାଳରୁ ଆସୁଥିବା ବେଳେ ପତ୍ନୀଙ୍କୁ ରାସ୍ତାରେ ପରିସ୍ରା ଲାଗିଥିଲା । ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଗାଡ଼ିରୁ ଓହ୍ଲାଇଥିଲେ । ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିବା କହିଥିଲା ଦୀପକ । ଆମ୍ବୁଲାନ୍ସ ବିଳମ୍ବ ହେବାରୁ ନିଜ କାରରେ କଟକର ଏକ ଘରୋଇ ହସ୍ପିଟାଲକୁ ନେଇଥିଲା । ଚିକିତ୍ସା ସମୟରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଖୁଣ୍ଟୁଣୀ ଥାନାରେ ଜଣାଇଥିଲା । ପୋଲିସର ତଦନ୍ତ ବେଳେ ଟ୍ରକ୍ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା । ଶେଷରେ ଦୁର୍ଘଟଣା ଜନିତ ମୃତ୍ୟୁ କହି ମାମଲା ବନ୍ଦ କରିଦେଇଥିଲା ପୋଲିସ ।