News7 Logo

ଶ୍ରୀକ୍ଷେତ୍ରରେ ଶାରଦୀୟ ପାର୍ବଣ ଶୋଳପୂଜା ଆରମ୍ଭ, ଶ୍ରୀନଅରରେ ବ୍ରାହ୍ମଣମାନଙ୍କୁ ବରଣ କଲେ ଗଜପତିଙ୍କ ରାଜଗୁରୁ

NEWS7
Puri News

ପୁରୀ ୧୪।୯: ଶାରଦୀୟ ଦୁର୍ଗାପୂଜା ପାଇଁ ରବିବାର ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପାରମ୍ପରିକ ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ମୂଳାଷ୍ଟମୀ ଅବସରରେ ଗଜପତିଙ୍କ ଶ୍ରୀନଅରରୁ ଷୋଳପୂଜାର ବିଧି ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି ପୀଠ ଗୁଡ଼ିକରେ ଏହି ଶୋଳପୂଜା ପାଇଁ ଆଚାର୍ଯ୍ୟ ବରଣ କାର୍ଯ୍ୟ କରାଯାଇଛି । ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ରାଜଗୁରୁ ରବିବାର ଶ୍ରୋତ୍ରୀୟ ବ୍ରାହ୍ମଣ, ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶାସନ ବ୍ରାହ୍ମଣଙ୍କୁ ଡ଼ାକି ବରଣ କରିବା ସହ ବସ୍ତ୍ର ଦାନ କରି ବିଭିନ୍ନ ପୀଠରେ ନିଯୁକ୍ତି କରିଛନ୍ତି । ଏହି ଆଚାର୍ଯ୍ୟ ମାନେ ରବିବାର ଠାରୁ ଷୋଳପୂଜାର ବିଧି ଅନୁଯାୟୀ ପୁରୀରେ ଥିବା ଶକ୍ତିପୀଠ ଗୁଡ଼ିକରେ ଚଣ୍ଡୀପାଠ, ଦୁର୍ଗା ଆରାଧନା ପ୍ରଭୃତି କରିବେ । ତେବେ ଆଶ୍ବୀନ ମାସ କୃଷ୍ଣପକ୍ଷ ଅର୍ଥାତ ଆଜିଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ୧୬ ଦିନ ବ୍ୟାପୀ ଏହି ପୂଜାର୍ଚ୍ଚନା କରାଯିବ ।

ଶ୍ରୀକ୍ଷେତ୍ରର କ୍ଷେତ୍ରାଶ୍ୱରୀ ଭାବେ ମାବିମଳାଙ୍କ ପୀଠରେ ଷୋଡ଼ଶ ପୂଜାବିଧି ଆରମ୍ଭ ହୋଇଛି ଏହି ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା । ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀ, ବାଟମଙ୍ଗଳା, ଉତ୍ତରାୟଣୀ ପୀଠ ସହ ଦକ୍ଷିଣ କାଳୀ, ଅଲାମଚଣ୍ତୀ ଓ ପଞ୍ଚମୁଖୀ ପୀଠରେ ମଧ୍ୟ ଶୋଳପୂଜା ଆରମ୍ଭ କରାଯାଇଛି । ମା'ଙ୍କର ଏହି ପାର୍ବଣ ପୂଜାକୁ ନିଷ୍ଠାର ସହ ପାଳନ କରିବାକୁ ନିବେଦନ କରାଯାଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ଭଣ୍ଡାର ଘରୁ ମାଦୁର୍ଗାଙ୍କ ସ୍ବର୍ଣ୍ଣ ପ୍ରତିମା ରତ୍ନ ସିଂହାସନରେ ବିଜେ ହୋଇଥାଏ । ପରେ ମାସୁଭଦ୍ରାଙ୍କ ଆଜ୍ଞାମାଳ ଦୁର୍ଗାଙ୍କୁ ଲାଗି କରାଯିବା ପରେ ମାଜଣା ମଣ୍ଡପରେ ଠାକୁରାଣୀଙ୍କ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ ।

ଶାରଦୀୟ ପୂଜାପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପୂଜାବିଧି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରେ ବିଶେଷ କରି ଏହି ସମୟରେ ଦୁର୍ଗା ମାଧବ ଉପାସନା ସହ ଗୁପ୍ତ ଗୁଣ୍ତିଚାର ବିଧି ମଧ୍ୟ ଆରମ୍ଭ କରାଯିବ ।