LIVE TV

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ବୈଠକ, ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ସାମିଲ

NEWS7
SRC

ଭୁବନେଶ୍ବର ୨୬।୯: ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ଡାକିଲେ ଜରୁରୀ ବୈଠକ । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହୋଇଛନ୍ତି । ଲଗାଣ ବର୍ଷା ଥିବାରୁ ମହାନଦୀରେ ଜଳସ୍ତର ବଢୁଛି । ମୁଣ୍ଡଳୀରେ ଆଗକୁ ଜଳସ୍ତର ଅଧିକ ବଢିବା ନେଇ ଆଶଙ୍କା ଥିବାବେଳେ ମହାନଦୀ ତଳ ମୁଣ୍ଡରେ ବନ୍ୟା ଆସିପାରେ ।

ସେପଟେ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଏବେ ଓ୍ୱେଲ ମାର୍କ ଲୋ ପ୍ରେସର୍‌ ତଥା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ୨୪ ଘଣ୍ଟାରେ ନେବ ଅବପାତ ରୂପ । ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ (IMD) ପ୍ରଭାବରେ ପ୍ରବଳ ବର୍ଷା ସହ ୫୦ କି.ମି. ବେଗରେ ପବନ ବହିବ ।

ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ବଳ ଗୋଟାଇ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳର ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ୨୭ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଉପକୂଳ ଅବପାତ ଅତିକ୍ରମ କରିବ ।

ଭାରି ବର୍ଷାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ । ପାଣିପାଗ ବିଭାଗର ଆଲର୍ଟ ପରେ ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲାପାଳ । ହେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଏହାସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନିଜ ନିଜର କାର୍ଯ୍ୟାଳୟରେ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ତେବେ ସ୍କୁଲର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହିବେ ।