ନୂଆଦିଲ୍ଲୀ: ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶୁକ୍ରବାର ଅଭ୍ୟାସ କରିଛନ୍ତି। ମୁମ୍ବାଇ ରଣଜୀ ଟିମର ନିଜର ପୂର୍ବତନ ସାଥୀ ଅଭିଷେକ ନାୟରଙ୍କ ସହ ଶିବାଜୀ ପାର୍କରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିଛନ୍ତି। ନାୟର କିଛି ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ବ୍ୟାଟିଂ କୋଚ୍ ଥିଲେ। ରୋହିତ ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜରିଆରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଅଲ୍ ହାର୍ଟ କ୍ରିକେଟ୍ ଏକାଡେମୀରେ ଏହି ପ୍ରାକ୍ଟିସ ସେସନ ସମୟରେ ମୁମ୍ବାଇର କ୍ରିକେଟର ଅଙ୍ଗକୃଷ୍ଣ ରଘୁବଂଶୀ ଓ ଅନ୍ୟ କିଛି ସ୍ଥାନୀୟ ଖେଳାଳି ଉପସ୍ଥିତ ଥିଲେ।

୩୮ ବର୍ଷୀୟ ରୋହିତ ଶର୍ମା ଚଳିତ ବର୍ଷ ଫେବୃଆରୀରେ ଚାମ୍ପିଅନ୍ସ ଟ୍ରଫିରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍‌ରେ ରୋହିତ  ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଭାରତ ରୋହିତଙ୍କ ଅଧିନାୟକତ୍ଵରେ ୨୦୨୪ ଟି-୨୦ ବିଶ୍ଵକପ୍ ଜିତିଥିଲା। ତେବେ ଆଜି ଅଲ୍ ହାର୍ଟ କ୍ରିକେଟ୍ ଏକାଡେମୀରେ ଏହି ପ୍ରାକ୍ଟିସ ସେସନ ସମୟରେ ବଡ଼ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି।

​​​​​​​

ଭାରତର ପୂର୍ବତନ ଅଧିନାୟକଙ୍କ ଭବିଷ୍ୟତ ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଏବେ ରୋହିତ ଓ ବିରାଟ ଅକ୍ଟୋବର ୧୯ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ।ରୋହିତ ଗତ ଦିନିକିଆ ସିରିଜରେ ଅଧିନାୟକ ଥିଲେ। ଏବେ ସେ ଶୁଭମନ ଗିଲ୍ଙ୍କ ନେତୃତ୍ଵରେ ଖେଳିବେ। ବିସିସିଆଇ ଗିଲ୍‌ଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ରୋହିତ ଓ ବିରାଟ ପ୍ରଥମେ ଟି-୨୦ ଏବଂ ପରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଦୁହେଁ ଟି-୨୦ ବିଶ୍ଵକପ୍ ଜିତିବା ପରେ ୨୦୨୪ରେ ଟି-୨୦ ଅନ୍ତର୍ଜାତୀୟ ଏବଂ ୨୦୨୫ ମେରେ ଟେଷ୍ଟରୁ ସନ୍ନ୍ୟାସ ନେଇଥିଲେ। ଉଭୟଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ୨୦୨୫ ଥିଲା। ଭାରତ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା।