LIVE TV

ଆହୁରି ୨ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା, କିଛି ଦିନରେ ଅପସରୀ ଯିବ ମୌସୁମୀ

NEWS7
rain in 2 days

ଭୁବନେଶ୍ୱର ୧୦/୧୦ : ରାଜ୍ୟରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା କେତେକ ସ୍ଥାନରେ ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । କିନ୍ତୁ, ଏହାପରଠାରୁ ବର୍ଷା ପ୍ରାୟତଃ କମିଯିବ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ । ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗର କେତେକ ସ୍ଥାନରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଚାଲିଯିବ ।

୧୬ ତାରିଖ ସୁଦ୍ଧା ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଛି । ସେହି ସମୟରେ ଦକ୍ଷିଣ ପୂର୍ବ ଉପଦ୍ୱୀପୀୟ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆଗମନର ସମ୍ଭାବନା ଅଛି । ପୂର୍ବାନୁମାନ କହୁଛି, ୧୦ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ବଜ୍ରପାତ ନେଇ ସତର୍କ କରାଯାଇଛି ।

୧୧ ତାରିଖରେ ଦକ୍ଷିଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରିର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଅଛି । ୧୨ରେ ମଧ୍ୟ ଏଭଳି ପାଗ ରହିପାରେ । ୧୩ରୁ ବର୍ଷା ପରିମାଣ କମିଯିବ । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହେବ । ରାତି ତାପମାତ୍ରାରେ ଏବେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁବାର ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର, ବାରିପଦା, ନୂଆପଡ଼ା, ଭଦ୍ରକ, କେନ୍ଦୁଝର, କୋରାପୁଟ, ଟିଟିଲାଗଡ଼ ସମେତ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

ବୁଧବାର ମଧ୍ୟ କେତେକ ଜିଲ୍ଲାରେ ବର୍ଷା ହୋଇଥିଲା । ଏହାସତ୍ତ୍ୱେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ପାଣିପାଗ ବିଭାଗ ୧୪ ଦିନ ପାଇଁ ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ସମ୍ଭାବନା କମ୍‌ ।