ୱାୟନାଡ ୨୦।୯: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଜିତିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ ଚୋରି କରିଥିଲେ। ୨୦ ସେପ୍ଟେମ୍ବର ଶନିବାର କେରଳ ୱାୟନାଡରେ ସାମ୍ବାଦିକଙ୍କ ସହ ଆଳାପରେ କଂଗ୍ରେସ ନେତା କହିଛନ୍ତି ଯେ ସେ ଏକ ‘ହାଇଡ୍ରୋଜନ ବୋମା’ ଭଳି ଖୁଲାସା କରିବେ। ଏହା ସ୍ଥିତିର ବାସ୍ତବିକତାକୁ ଭାଙ୍ଗି ଦେବ। ଏଥିରୁ ଭାରତରେ କାହାରିକୁ ବି ସନ୍ଦେହ ରହିବ ନାହିଁ।

ସେ କହିଛନ୍ତି ଯେ ମୁଁ ଯାହା କହୁଛି ସେଥି ଲାଗି ମୋ ପାଖରେ ସ୍ପଷ୍ଟ ପ୍ରମାଣ ଅଛି। ଆପଣମାନେ ମୋର ପ୍ରଥମ ଓ ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ ଦେଖିଥିବେ। ଆମ ପାଖରେ ସ୍ପଷ୍ଟ ପ୍ରମାଣ ଅଛି, ଆମେ ବିନା ପ୍ରମାଣରେ କିଛି କରୁନା। ଆମ ପାଖରେ ଅନେକ ଘଟଣାର ୧୦୦% ପ୍ରମାଣ ରହିଛି ଓ ଏହା ଖୁବ୍ ଶୀଘ୍ର ସାମ୍ନାକୁ ଆସିବ ବୋଲି ରାହୁଲ ଗାନ୍ଧି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ବାରଣାସୀ ଲୋକସଭା ନିର୍ବାଚନମଣ୍ଡଳି ସହ ଏହାର କୌଣସି ସମ୍ପର୍କ ଅଛି କି ବୋଲି ପଚରା ଯିବାରେ ଏହି ଅନୁମାନ ଓ ଅଟକଳ ଲଗାଇବା କାମ ଆମେ ଗଣମାଧ୍ୟମ ଉପରେ ଛାଡି ଦେଇଛୁ। ତେବେ ମୁଁ ମୋ କାମ କରିବି ଓ ଏହାକୁ ପୁରଣ କରିବି ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି ଯେ କର୍ଣ୍ଣାଟକ ଆଲନ୍ଦ ବିଧାନସଭା ନିର୍ବାଚନମଣ୍ଡଳି ସମ୍ବଦ୍ଧିତ ‘ଭୋଟ ଚୋରୀ’ ଅଭିଯୋଗର ଏବେ ସିଆଇଡି ଯାଞ୍ଚ ଆରମ୍ଭ ହୋଇଯାଇଛି। ସେ କହିଛନ୍ତି ଯେ ସିଆଇଡି ବିଶେଷ କରି ସେହି ସବୁ ଫୋନ ନମ୍ବରଙ୍କୁ ସୂଚନା ମାଗିଛନ୍ତି ଯେଉଁ ଗୁଡିକୁ ଭୋଟ ଚୋରିକୁ ସଫଳ କରିବା ପାଇଁ ଉପଯୋଗ କରାଯାଇଥିଲା। ତେବେ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ଜ୍ଞାନେଶ କୁମାର କର୍ଣ୍ଣାଟକ ସିଆଇଡି ମାଗୁଥିବା ସୂଚନା ଦେଉ ନାହାନ୍ତି। ସିଇସିଙ୍କ ଉପରେ ଏହାଠୁ ଆଉ କୌଣସି ବଡ଼ ଅଭିଯୋଗ ହୋଇ ନପାରେ।