LIVE TV

ଫିକା ରହିଲା ରୋ-କୋଙ୍କ ପ୍ରତ୍ୟାବର୍ତ୍ତନ, ପ୍ରଥମ ଦିନିକିଆରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

NEWS7
IND vs AUS

ପର୍ଥ: ଫିକା ରହିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ। ଭାରତୀୟଙ୍କୁ ଦୀପାବଳି ଭେଟି ଦେଇ ପାରିଲାନି ଭାରତୀୟ ଦଳ। ଆଉ ନୂତନ ଅଧିନାୟକ ଶୁଭମନ ଗିଲଙ୍କ ଦିନିକିଆ ଯାତ୍ରା ପରାଜୟରୁ ଆରମ୍ଭ ହୋଇଛି। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଡକଓ୍ଵର୍ଥ ଲୁଇସ୍ ନିୟମ ଅନୁସାରେ ଘରୋଇ କଙ୍ଗାରୁ ଦଳ ଭାରତକୁ  ୭ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ବର୍ଷା କାରଣରୁ ୨୬ ଓଭର ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ୍ ହରାଇ ୧୩୬ ରନ କରିଥିଲା। ଏହା ପରେ ଅଷ୍ଟ୍ରେଲିଆକୁ ଡିଏଲଏସ ପ୍ରଣାଳୀ ଅନୁସାରେ ୧୩୧ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଯାହାକୁ ଘରୋଇ ଦଳ  ୨୧.୧ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ମିଚେଲ ମାର୍ଶ ୪୬ ରନର ଅପରାଜିତ ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଜୋଶ ଫିଲିପ୍ ୩୭ ରନ କରିଛନ୍ତି।

୧୩୧ ରନର ବିଜୟ ଲକ୍ଷ୍ୟ  ପିଛା କରିଥିବା ଅଷ୍ଟ୍ରେଲିଆକୁ ୧୦ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଟ୍ରେଭିସ ହେଡ(୮ ରନ) ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ମାଥ୍ୟୁ ସର୍ଟ(୮ ରନ) ପାଭିଲିୟନ ଫେରିଥିଲେ। ମିଚେଲ୍ ମାର୍ଶ ଓ ଜୋଶ ଫିଲିପ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୯ ରନ ଯୋଡ଼ି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଜୋଶ ଫିଲିପ୍ ୨୯ ବଲରୁ ୩୭ ରନ କରିଥିଲେ। ମିଚେଲ୍ ମାର୍ଶ ୪୬ ରନର ଅଧିନାୟକତ୍ଵ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ମ୍ୟାଟ୍ ରେନଶ ୨୧ ରନ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ୨୧.୧ ଓଭରରେ ୩ ଓ୍ଵିକେଟ୍ ହରାଇ ୧୩୧ ରନ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ମ୍ୟାଚ୍‌ରେ ଭାରତୀୟ ବୋଲର ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି। ବୋଲିଂରେ ଭାରତ ପକ୍ଷରୁ ଅକ୍ଷର ପଟେଲ୍, ଅର୍ଶଦୀପ ସିଂ ଓ ଓ୍ଵାଶିଂଟନ ସୁନ୍ଦର ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି। ​​​​​​​

​​​​​​​ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଭାରତୀୟ ଇନିଂସ ସମୟରେ ବର୍ଷା କାରଣରୁ ଖେଳ ବାରମ୍ବାର ବାଧା ହୋଇଥିଲା। ଶେଷରେ ଭାରତକୁ ୨୬ ଓଭର ବ୍ୟାଟିଂ ପାଇଁ ମିଳିଥିଲା। ତେବେ ବ୍ୟାଟିଂ ଆରମ୍ଭରୁ ଭାରତ ବିପର୍ଯ୍ୟୟ ଭୋଗିଥିଲା। ଦୀର୍ଘ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଥିବା ରୋହିତ ଶର୍ମା ୮ ରନ କରିଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ।  ଅଧିନାୟକ ଶୁଭମନ ଗିଲ୍ ୧୦ ରନ କରିଥିଲେ। ଶ୍ରେୟସ ଆୟର(୧୧ ରନ) ବି କିଛି ଖାସ୍ କରି ପାରି ନ ଥିଲେ। ଅକ୍ଷର ପଟେଲ୍ ୩୧ ରନ ଓ କେଏଲ ରାହୁଲ ୩୮ ରନର ମହତ୍ଵପୂର୍ଣ୍ଣ କରିଥିଲେ। ତେବେ ନୀତିଶ ରେଡ୍ଡୀ ୧୧ ବଲରୁ ୧୯ ରନ କରିବାରୁ ଭାରତ ୯ ଓ୍ଵିକେଟ୍ ହରାଇ ୧୩୬ ରନ କରି ପାରିଥିଲା।