ନୂଆଦିଲ୍ଲୀ: ଫୋନପେ, ପେଟିଏମ, କ୍ରେଡ୍ ଏବଂ ଆମାଜନ ପେ ଭଳି ମୋବାଇଲ ଆପ୍ସ ଦ୍ବାରା କ୍ରେଡିଟ୍‌ କାର୍ଡରୁ ଘର ଭଡ଼ା ଦେବା ଉପରେ ଥିବା ନିୟମରେ ବଡ଼ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ (RBI)। ନୂଆ ନିୟମ ଅନୁସାରେ ଏଣିକି ଏସବୁ ଆପ୍‌ ଦ୍ବାରା କ୍ରେଡିଟ୍‌ କାର୍ଡ ମାଧ୍ୟମରେ ରେଣ୍ଟ ପେମେଣ୍ଟ ହୋଇପାରିବନି। ଆରବିଆଇର ନିର୍ଦ୍ଦେଶ ପରେ ଫିନଟେକ ପ୍ଲାଟଫର୍ମମାନେ ଆପ୍ସରେ କ୍ରେଡିଟ୍‌ କାର୍ଡରେ ରେଣ୍ଟ୍ ପେମେଣ୍ଟ ସର୍ଭିସ ବନ୍ଦ କରିଛନ୍ତି।

ଆରବିଆଇ ପକ୍ଷରୁ ଜାରି ନୂଆ ସର୍କୁଲାର ଅନୁଯାୟୀ, ପେମେଣ୍ଟ ଆଗ୍ରିଗେଟର ଏବଂ ପେମେଣ୍ଟ ଗେଟଓ୍ବେ ଏବେ କେବଳ ସେହି ବ୍ୟବସାୟୀଙ୍କ ସହ ନେଣଦେଣ କରିପାରିବେ, ଯେଉଁମାନଙ୍କ ସହ ସେମାନଙ୍କର ଡାଇରେକ୍ଟ କଣ୍ଟାକ୍ଟ ରହିଛି କିମ୍ବା ଯେଉଁମାନଙ୍କ କେଓ୍ବାଇସି ସଂପୂର୍ଣ୍ଣ ହୋଇଛି। ଏମିତିରେ ଘର ମାଲିକମାନେ ସାଧାରଣତଃ ପଞ୍ଜୀକୃତ ମର୍ଚ୍ଚାଣ୍ଟ ହୋଇନଥିବାରୁ ଏହି ପ୍ଲାଟଫର୍ମ୍ସ ଜରିଆରେ ସେମାନଙ୍କ ଖାତାକୁ କ୍ରେଡିଟ କାର୍ଡରୁ ଟଙ୍କା ପଠାଇହେବନାହିଁ। 

ଏଭଳି ନିଷ୍ପତ୍ତି ନେବାର ଆଉ ଏକ କାରଣ ମଧ୍ୟ ରହିଛି। ପ୍ରକୃତରେ ଲୋକେ ପୂର୍ବରୁ ବିନା କେଓ୍ବାଇସିରେ ରେଣ୍ଟ ପେମେଣ୍ଟ ନାଁରେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ନାଁ, ବ୍ୟାଙ୍କ୍ ଡିଟେଲ୍ସ ଦେଇ କ୍ରେଡିଟ୍‌ କାର୍ଡରୁ ଟଙ୍କା ଟ୍ରାନ୍ସଫର କରିଦେଉଥିଲେ। ଆପ୍ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଦେଉଥିଲା ଆଉ ରିଓ୍ବାର୍ଡ ପଏଣ୍ଟ କିମ୍ବା କ୍ୟାସବ୍ୟାକ୍ ମଧ୍ୟ ମିଳିଯାଉଥିଲା। କିନ୍ତୁ ଆରବିଆଇକୁ ଏହି ସିଷ୍ଟମ ଠିକ୍ ଲାଗିନଥିଲା। ଘର ମାଲିକଙ୍କ ପୂରା କେଓ୍ବାଇସି ହେଉନଥିବାରୁ ସେ ପ୍ରକୃତରେ ଘର ମାଲିକ କି’ ନାହିଁ ତାହା ଜଣାପଡ଼ୁନଥିଲା। ଆଉ ଏମିତିରେ ଫିନଟେକ କମ୍ପାନିମାନେ ମାର୍କେଟ ପ୍ଲେସ ଭଳି କମ କରୁଥିଲେ। ଯାହାକୁ ଆରବିଆଇ ଅବୈଧ କହିଛି। ଏବେ ଏହି ସର୍ଭିସ ବନ୍ଦ ହୋଇଛି ଆଉ ଫିନଟେକ କମ୍ପାନିଙ୍କୁ କଡ଼ା ନିୟମ ମାନିବାକୁ ପଡ଼ିବ। ଏହିଭଳି ଅପ ବ୍ୟବହାରକୁ ରୋକିବା ପାଇଁ ମଧ୍ୟ ଏହି ସୁବିଧା ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ଆରବିଆଇର ନୂଆ ନିୟମ ଆସିବା ପୂର୍ବରୁ ହିଁ ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରୁ ରେଣ୍ଟ ପେମେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ଆରମ୍ଭ କରିଦେଇଥିଲେ। ୨୦୨୪ ଜୁନ୍‌ରେ ଏଚଡିଏଫସି ବ୍ୟାଙ୍କ୍ କ୍ରେଡିଟ୍ କାର୍ଡରୁ ରେଣ୍ଟ ପେମେଣ୍ଟ ଉପରେ ୧% ଅତିରିକ୍ତ ଶୁଳ୍କ ଆରମ୍ଭ କରିଥିଲା। ଯାହାର ଅଧିକାଂଶ ସୀମା ୩ ହଜାର ଟଙ୍କା ଥିଲା। ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସବିଆଇ କାର୍ଡସ ମଧ୍ୟ ଏଭଳି ପେମେଣ୍ଟ ଉପରେ ରିଓ୍ବାର୍ଡ ଦେବା ବନ୍ଦ କରିଥିଲେ। ପୂର୍ବରୁ ୨୦୨୪ରେ ଫୋନପେ, ପେଟିଏମ୍, ଫ୍ରିଚାର୍ଜ, ମୋବିକ୍ବିକ୍ ଏବଂ ଆମାଜନ ପେ କ୍ରେଡିଟ୍ କାର୍ଡରୁ ପେମେଣ୍ଟ ସୁବିଧା ବନ୍ଦ କରିଥିଲେ। ଏହା ପରେ ସେପ୍ଟେମ୍ବର ୨୦୨୫ରେ ଆରବିଆଇର ନୂଆ ନିୟମ କାରଣରୁ କ୍ରେଡ ସହ ଅନ୍ୟ ସବୁ ପ୍ଲାଟଫର୍ମ ମଧ୍ୟ ଏହି ସୁବିଧା ସଂପୂର୍ଣ୍ଣ ଭାବରେ ହଟାଇଛନ୍ତି।

କ’ଣ ପଡ଼ିବ ପ୍ରଭାବ ?
ନୂଆ ନିୟମ ପରେ ଏବେ ଏସବୁ ଫିନ୍‌ଟେକ୍ ଆପ୍‌ରେ କ୍ରେଡିଟ କାର୍ଡରୁ ଘରଭଡ଼ା ଦେଇହେବନାହିଁ। ଏହାଦ୍ବାରା ବ୍ୟାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। କାରଣ ବିଶେଷଜ୍ଞଙ୍କ ମତରେ ବ୍ୟାଙ୍କ ଏଥିରୁ ଯେଉଁ ଫି’ ଆୟ କରୁଥିଲା, ତାହା କମିପାରେ। ଫିନ୍‌ଟେକ୍ କମ୍ପାନିଙ୍କ ପାଇଁ ମଧ୍ୟ ଏହା କିଛିଟା ଅସୁବିଧା ସୃଷ୍ଟି କରିପାରେ। କାରଣ ଗତ କିଛି ବର୍ଷ ମଧ୍ୟରେ ରେଣ୍ଟ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା। 

ତେବେ ଏଣିକି ଭଡ଼ା ଦେବା ପାଇଁ ଲୋକଙ୍କୁ ୟୁପିଆଇ, ବ୍ୟାଙ୍କ ଟ୍ରାନ୍ସଫର (NEFT,RTGS, IMPS), ଚେକ୍ କିମ୍ବା  ଅଟୋମେଟିକ୍ ପେମେଣ୍ଟର ବ୍ୟବହାର କରିବାକୁ ହେବ। ଅର୍ଥାତ ଭଡ଼ା ତୁରନ୍ତ ଦେବାକୁ ହେବ। କ୍ରେଡିଟ କାର୍ଡରୁ ଦେଇ ପରେ ପେମେଣ୍ଟ ସୁଝିବା ବିକଳ୍ପ ଆଉ ରହିବନି। ଏହା ସହ କ୍ରେଡିଟ୍ କାର୍ଡର ଫାଇଦା ଯେପରିକି ରିଓ୍ବାର୍ଡ ପଏଣ୍ଟ, କ୍ୟାସବ୍ୟାକ୍ କିମ୍ବା ବିନା ସୁଧର ଅବଧିର ଲାଭ ମିଳିପାରିବନି।