LIVE TV

ଉପନିର୍ବାଚନ ପୂର୍ବରୁ ସୋମବାର ନୂଆପଡାରେ ପାୱାର ସୋ, ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି

NEWS7
Nuapada By election

ନୂଆପଡ଼ା/ଭୁବନେଶ୍ଵର: ନୂଆପଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି ହେଲେ ତିନି ପ୍ରମୁଖ ରାଜନୈତିକ ଦଳ ଏବେଠୁ ପାଗ ଭିଡ଼ିଲେଣି । ଆସନ୍ତାକାଲି ନୂଆପଡାରେ ବିଜେପି ଓ କଂଗ୍ରେସ କରିବେ ପାୱାର ଶୋ । କାଲି ନୂଆପଡା ଗସ୍ତରେ ଯାଇ ଜନସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେପଟେ ଆସନ୍ତାକାଲିଠୁ ୪ ଦିନିଆ ନୂଆପଡା ଗସ୍ତରେ ଯାଉଛନ୍ତି  ପିସିସି ସଭାପତି । ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ ଭକ୍ତ । ଅନ୍ୟପଟେ ନୂଆପଡା ଆସନ ବଜାୟ ରଖିବା ପାଇଁ ବହୁ ବରିଷ୍ଠ ନେତାଙ୍କୁ   ଦାୟିତ୍ଵ ଦେଇଛି ବିଜେଡି ।

ଉପନିର୍ବାଚନ ପୂର୍ବରୁ କାଲି ନୂଆପଡାରେ ପାୱାର ସୋ । ଗ୍ରାଉଣ୍ଡକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ । ସେପଟେ ବିଜେଡିର ବରିଷ୍ଠ ନେତା ମଧ୍ୟ ନୂଆପଡାରେ ଡେରା ପକାଇଛନ୍ତି । ବିଜେପି ଏହି ଆସନକୁ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛି । ଗତକାଲି  ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନଚରଣ  ମାଝୀ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରି ଫେରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ , ନୂଆପଡା ସହର ସ୍ଥିତ ମିନି ଷ୍ଟାଡିଅମରେ ଆୟୋଜିତ ଜନସମାବେଶରେ ଯୋଗ ଦେବେ ।    ଉପନିର୍ବାଚନକୁ ଆଖିରେ ନୂଆପଡ଼ା ଜିଲ୍ଲା ପାଇଁ କିଛି ଭେଟି ଦେଇ ପାରନ୍ତି  । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ  ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇପଡିଛି ।

ଆସନ୍ତାକାଲିଠାରୁ ୪ ଦିନିଆ ନୂଆପଡା ଗସ୍ତରେ ଯାଉଛନ୍ତି  ପିସିସି ସଭାପତି ଭକ୍ତ ଚରଣ ଦାସ । ଖରିଆର ରୋଡ଼ରେ ନ୍ୟାୟ ସମାବେଶ କରିବେ ଭକ୍ତ । ୧୦ ହଜାର କର୍ମୀଙ୍କୁ ଏକାଠି କରିବାକୁ କଂଗ୍ରେସ  ଯୋଜନା କରିଛି। କଂଗ୍ରେସ ଦଳ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି । ଲଗାତର ୪ ଥର ନିର୍ବାଚନ ହାରିଥିବାରୁ ଏଥର ମାଟିର ପୁଅ ନିଶ୍ଟୟ ଜିତିବ ବୋଲି ଭକ୍ତ କହିଛନ୍ତି । ଦଳ ପକ୍ଷରୁ  ବୁଥ କମିଟି  ଗଠନ ସରିଲାଣି । ସମସ୍ତ ବିଧାୟକ ନୂଆପଡାରେ ରହିବେ ।  ଜଣେ ବିଧାୟକ ଦୁଇ ଦୁଇଟା  ଜୋନ୍ ଦାୟିତ୍ବ ନେବେ ।

ନୂଆପଡା ଆସନକୁ ବଜାୟ ରଖିବା ପାଇଁ ବିଜେଡି ବି କସରତ ବି ଆରମ୍ଭ କରିଛି । ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ହେଉଛି । ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଦାୟିତ୍ଵରେ ଅଛନ୍ତି । ନବୀନଙ୍କ ଲୋକପ୍ରିୟତାକୁ  ଆଧାର କରି ନୂଆପଡା ଦଖଲ କରିବୁ ବୋଲି ବିଜେଡି ନେତା କହିଛନ୍ତି । ଦୁଇ ଜାତୀୟ ପାର୍ଟି ମିଶି  ବିଜେଡି ବିରୋଧରେ ଲଢ଼ିବେ, କିନ୍ତୁ ନବୀନ ବାବୁଙ୍କ ନେତୃତ୍ଵରେ ବିଜେଡି ଜିତିବ ବୋଲି ଦମ୍ଭ ଦେଖାଇଛି ଦଳ ।  ନୂଆପଡା ଉପନିର୍ବାଚନ ତାରିଖ ଘୋଷଣା ପରେ ଅସଲ ଲଢେଇ ଆରମ୍ଭ ହେବ । ନୂଆପଡାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବା ଆଶା ରହିଛି ।