News7 Logo

ରାଜନୀତି: କ୍ଷମତା ପାଇଁ ପରିବାରରେ କଳହ, ୧୧ ରାଜନୈତିକ ପାର୍ଟି ଦେଖିସାରିଛି ଫାଟ

NEWS7
POLITICS

ନୂଆଦିଲ୍ଲୀ: କେସିଆର ନାଁରେ ଚର୍ଚ୍ଚିତ କେ.ଚନ୍ଦ୍ରଶେଖର ରାଓଙ୍କ ପାର୍ଟିରେ ଥିବା କଳହ ଫୁଟି ପଦାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ.କବିତାଙ୍କୁ ତାଙ୍କ ଭାଇଙ୍କ ବିରୋଧରେ ସ୍ୱର ଉଠାଇବା ମହଙ୍ଗା ପଡ଼ିଛି । ପାର୍ଟିରୁ ସସ୍‌ପେଣ୍ଡ୍ କରାଯିବା ପରେ ସେ  ଇସ୍ତଫା ଦେଇଛନ୍ତି । କିନ୍ତୁ ରାଜନୈତିକ ପରିବାରରେ କଳହର ଏହା ପ୍ରଥମ ମାମଲା ନୁହେଁ । ଦେଶରେ ଅତି କମରେ ୧୧ ଏପରି ପାର୍ଟି ଅଛନ୍ତି, ଯେଉଁଠାରେ ପାରିବାରିକ କଳହ ଓ କ୍ଷମତା ପାଇଁ ଫାଟ ସୃଷ୍ଟି ହୋଇଛି ।

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ରେ କ୍ଷମତାକୁ ନେଇ ଆଭ୍ୟନ୍ତରୀଣ କହଳ ଚାଲିଛି । ପାର୍ଟିରୁ ସସ୍‌ପେଣ୍ଡ୍ ହେବା ପରେ ବୁଧବାର କେସିଆରଙ୍କ ଝିଅ କେ.କବିତା ପାର୍ଟି ଓ ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି । ଏହାସହ ସେ ଦାଦା ପୁଅ ଭାଇ ଟି.ହରିଶ ରାଓଙ୍କ ବିରୋଧରେ କେସିଆର ପରିବାର ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଲଗାଇଛନ୍ତି । କବିତା ଏହା ପୂର୍ବରୁ ନିଜ ଭାଇ କେ.ଟି.ରାମରାଓ ଓ ଦାଦା ପୁଅ ଭାଇ ସନ୍ତୋଷ ରାଓଙ୍କ ବିରୋଧରେ ବି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ପାରିବାରିକ କହଳରୁ ଏହି ଦଳଗୁଡ଼ିକ ହୋଇଥିଲା ଫାଟ

କଂଗ୍ରେସ

ସଞ୍ଜୟ ଗାନ୍ଧୀଙ୍କ ଅକାଳ ମୃତ୍ୟୁ ପରେ ଗାନ୍ଧୀ ପରିବାରରେ ବିବାଦ ଆରମ୍ଭ ହୋଇଥିଲା । ରାଜନୀତିରେ ଆଗ୍ରହ ନଥିବା ରାଜୀବଙ୍କୁ ଯେତେବେଳେ ଇନ୍ଦିରା ସାମନାକୁ ଆଣିଥିଲେ, ସେତେବେଳେ କଳହ ସାମନାକୁ ଆସିଥିଲା । ଇନ୍ଦିରାଙ୍କ ନିଷ୍ପତ୍ତିକୁ ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ମାନେକା ଗ୍ରହଣ କରିନଥିଲେ । ଏହା ଉଭୟଙ୍କ ମଧ୍ୟରେ ମତଭେଦକୁ ବଢାଇଥିଲା । ଇନ୍ଦିରା ଗାନ୍ଧୀ ୧୯୮୨ ମାର୍ଚ୍ଚ ୨୮ ରାତିରେ ମାନେକାଙ୍କୁ ଘର ଛାଡ଼ି ଚାଲିଯିବାକୁ କହିଥିଲେ । ଏହାପରେ ଦୁଇ ବର୍ଷର ପୁଅ ବରୁଣଙ୍କୁ ଧରି ପ୍ରଧାନମନ୍ତ୍ରୀ ବାସଭବନ ଛାଡିଥିଲେ । ମାନେକା ରାଷ୍ଟ୍ରୀୟ ସଞ୍ଜୟ ମଞ୍ଚ ଗଠନ କରିଥିଲେ । ୧୯୮୪ରେ ଆମେଠିରୁ ରାଜୀବ ଗାନ୍ଧୀଙ୍କ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ । ପରେ ମାନେକା ଜନତା ଦଳରେ ଯୋଗ ଦେଇଥିଲେ । ଏହାପରେ ମାନେକା ଓ ବରୁଣ ଉଭୟ ବିଜେପିରେ ନିଜ ରାଜନୀତିକୁ ବଢାଇଥିଲେ ।

ରାଷ୍ଟ୍ରୀୟ ଜନତା ଦଳ

ବ୍ୟକ୍ତିଗତ ଜୀବନ ଏବଂ ସାର୍ବଜନୀନ ଆଚରଣ ପାଇଁ ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ଏହା ପରେ ତେଜ ପ୍ରତାପ ନୂଆ ରାଜନୈତିକ ଦଳ ଜନଶକ୍ତି ଜନତା ଦଳ ଗଠନ କରିଛନ୍ତି । ଏବେ ସେ ଭାଇ ତେଜସ୍ୱୀ ଯାଦବଙ୍କ ନିକଟତର ନେତାମାନଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ୨୦୨୧ରେ ଜଗଦାନନ୍ଦଙ୍କୁ ବିହାର ରାଜ୍ୟ ସଭାପତି କରିବା ନେଇ ତେଜ ପ୍ରତାପ ଏବଂ ତେଜସ୍ୱୀ ମଧ୍ୟରେ ବିବାଦ ହୋଇଥିଲା ।

ସମାଜବାଦୀ ପାର୍ଟି

ସମାଜବାଦୀ ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ନିଧନ ପରେ ତାଙ୍କ ରାଜନୈତିକ ଉତ୍ତରାଧିକାରୀକୁ ନେଇ ବିବାଦ ହୋଇଥିଲା । ଅଖିଳେଶ ଯାଦବ ଓ ଶିବପାଲ୍ ଯାଦବଙ୍କ ମଧ୍ୟ କ୍ଷମତା ପାଇଁ ସଂଘର୍ଷ ହୋଇଥିଲା । ଏହା ପରେ ପାର୍ଟିରେ ଫାଟ ଦେଖା ଦେଇଥିଲା । ଶିବପାଲ୍ ଯାଦବ ପରେ ନିଜର ପ୍ରଗତିଶୀଳ ସମାଜବାଦୀ ପାର୍ଟି (ଲୋହିଆ) ଗଠନ କରିଥିଲେ । ୨୦୧୬ରେ ମୁଲାୟମ ପୁଅ ଅଖିଳେଶ ଓ ଦାଦା ରାମଗୋପାଳ ଯାଦବ ପାର୍ଟିକୁ ବାହାର କରିଥିଲେ । ଯାହା ପରେ ଅଖିଳେଶ ପାର୍ଟି ଅଧିବେଶନ ଡାକି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ । ଶିବପାଲଙ୍କୁ ପ୍ରଦେଶ ଅଧ୍ୟକ୍ଷ ପଦରୁ ହଟାଇ ଦେଇଥିଲେ ।

ଶିବସେନା

ବାଲ ଠାକରେଙ୍କ ନିଧନ ପରେ ଶିବସେନାରେ କ୍ଷମତାକୁ ନେଇ କନ୍ଦଳ ହୋଇଥିଲା । ରାଜ ଠାକରେ ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ମତଭେଦ ସେମାନଙ୍କୁ ଭିନ୍ନ ରାସ୍ତାରେ ନେଇଥିଲା। ଶିବସେନା ହିନ୍ଦୁତ୍ୱ ଏବଂ ମରାଠା ରାଜନୀତି କରୁଥିବା ଦଳ ଥିଲା । ରାଜ ଠାକରେଙ୍କ ଆକ୍ରମଣାତ୍ମକ ରାଜନୀତିରେ ଏହା ପ୍ରତିଫଳିତ ହୋଇଥିଲା । କିନ୍ତୁ ୨୦୦୬ ମସିହାରେ, ଉଦ୍ଧବଙ୍କୁ କମାଣ୍ଡ ହସ୍ତାନ୍ତର କରିବାରୁ ରାଜ ଠାକରେ ଶିବସେନା ଛାଡି ମହାରାଷ୍ଟ୍ର ନବନିର୍ମାଣ ସେନା ଗଠନ କରିଥିଲେ । ତେହେ ଗତ କିଛି ଦିନ ଧରି ଉଭୟଙ୍କୁ ଏକାଠି ନଜର ଆସୁଛନ୍ତି ।

ଏନସିପି

ଶରଦ ପାୱାର ଓ ପୁତୁରା ଅଜିତ୍ ପାୱାରଙ୍କ ମଧ୍ୟରେ କ୍ଷମତା ସଂଘର୍ଷ ଯୋଗୁ ଦଳ ଦୁଇ ଭାଗ ହୋଇଗଲା । ଅଜିତ୍ ପାୱାର ଦଳର ଅଧିକାଂଶ ବିଧାୟକଙ୍କୁ ନେଇ ଏନସିପି ଉପରେ ଦାବି କରିଥିଲେ । ପରେ ସେ ମହାରାଷ୍ଟ୍ର ମେଣ୍ଟ ସରକାରରେ ସାମିଲ ହୋଇଥିଲେ । ଶରଦ ପାୱାର ନୂଆ ଦଳ ଏନସିପି ଶରଦ ପାୱାରର ନେତୃତ୍ୱ ନେଇଥିଲେ ।

ଲୋକ ଜନଶକ୍ତି ପାର୍ଟି (LJP)

ରାମ ବିଳାସ ପାସୱାନଙ୍କ ମୃତ୍ୟୁ ପରେ, ତାଙ୍କ ପୁଅ ଚିରାଗ ପାସୱାନ ଏବଂ ଭାଇ ପଶୁପତି ପାରସଙ୍କ ମଧ୍ୟରେ ଫାଟ ସାମନାକୁ ଆସିଥିଲା । ଏହା ପରେ ଦଳ ସହ ପରିବାର ଦୁଇ ଭାଗ ହୋଇଥିଲା । ଲୋକ ଜନଶକ୍ତି ପାର୍ଟି ଉପରେ ପଶୁପତି ପାରସ କବଜା କରିଥିଲେ । ଚିରାଗ ପାସୱାନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ଗଠନ କରିଥିଲେ । କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ମୃତ୍ୟୁର ଗୋଟିଏ ବର୍ଷ ମଧ୍ୟରେ, ପରିବାର ଦଳକୁ କବଜା କରିବା ପାଇଁ ଏକ ଅଖାଡା ପାଲଟିଥିଲା । 

ଏଆଇଏଡିଏମକେ

୧୯୮୭ରେ ଏମ୍.ଜି.ରାମଚନ୍ଦ୍ରନଙ୍କ ମୃତ୍ୟୁ ପରେ, ତାଙ୍କ ପତ୍ନୀ ଜାନକୀ ରାମଚନ୍ଦ୍ରନ ଏବଂ ଜୟଲଳିତାଙ୍କ ମଧ୍ୟରେ ଏଆଇଏଡିଏମକେର ନେତୃତ୍ୱକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଯେଉଁଥି ପାଇଁ ଦଳ ଦୁଇ ଭାଗ ହୋଇଥିଲା । କିନ୍ତୁ ଜାନକୀ ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ । ଏଆଇଏଡିଏମକେର ନେତୃତ୍ୱ ନେଇଥିଲେ ଜୟଲଳିତା । କିନ୍ତୁ  ମୃତ୍ୟୁ ପରେ ୨୦୧୬ରେ ପନ୍ନିର ସେଲଭାମ ଏବଂ କେ.ପଲାନିସାମୀଙ୍କ ମଧ୍ୟରେ ନେତୃତ୍ୱକୁ ନେଇ ବିବାଦ ହୋଇଥିଲା ।

ଜନତା ଦଳ ସେକୁଲାର୍

କ୍ଷମତା ଏବଂ ଟିକେଟ୍ ବଣ୍ଟନକୁ ନେଇ ଏଚ୍.ଡି ଦେବେଗୌଡ଼ାଙ୍କ ପରିବାର ବିବାହ ନୂଆ ନୁହେଁ । ପୁଅ ଏଚ୍.ଡି କୁମାରସ୍ୱାମୀ ଏବଂ ଏଚ୍.ଡି ରେବନ୍ନାଙ୍କ ମଧ୍ୟରେ ସାର୍ବଜନୀନ ମଞ୍ଚରେ ମତଭେଦ ଦେଖାଦେଇଥିଲା । ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ, ହାସନ ଆସନକୁ ନେଇ ଦଳରେ ମଧ୍ୟ ବିବାଦ ହୋଇଥିଲା । ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନା ତାଙ୍କର ପ୍ରାର୍ଥୀତ୍ୱ ଘୋଷଣା କରିଥିଲେ, କୁମାରସ୍ୱାମୀ ତାଙ୍କୁ ଟିକେଟ୍ ଦେଇନଥିଲେ ।

ଡିଏମକେ

୨୦୧୮ରେ କରୁଣାନିଧିଙ୍କ ମୃତ୍ୟୁ ପରେ, ପରିବାରରେ ତାଙ୍କ ରାଜନୈତିକ ଉତ୍ତରାଧିକାର ପାଇଁ ଏକ ଯୁଦ୍ଧ ହୋଇଥିଲା । କରୁଣାନିଧିଙ୍କ ଦୁଇ ପୁଅ ଏମ୍.କେ. ଷ୍ଟାଲିନ୍ ଏବଂ ଏମ୍.କେ. ଆଲାଗିରିଙ୍କ ମଧ୍ୟରେ ଦଳର ଉତ୍ତରାଧିକାରକୁ ନେଇ ଦୀର୍ଘ ସମୟ ଧରି ବିବାଦ ଚାଲିଥିଲା । ଯାହା ୨୦୧୪ ମସିହାରେ କରୁଣାନିଧି ଆଲାଗିରିଙ୍କୁ ଦଳରୁ ବହିଷ୍କାର କରିଥିଲେ । ଦୁଇ ବର୍ଷ ପରେ ୨୦୧୬ରେ, ଷ୍ଟାଲିନଙ୍କୁ ଉତ୍ତରାଧିକାରୀ ଘୋଷଣା କରିଥିଲେ ।

ଭାରତୀୟ ରାଷ୍ଟ୍ରୀୟ ଲୋକ ଜଳ (INLD)

ହରିୟାଣାରେ ଦେବୀ ଲାଲଙ୍କ ଉତ୍ତରାଧିକାରୀ ଲଢ଼େଇରେ ପରିବାର ଦୁଇ ଭାଗ ହୋଇଗଲା । ଦେବୀ ଲାଲଙ୍କ ପୁଅ ଓମ୍ ​​ପ୍ରକାଶ ତାଙ୍କ ରାଜନୀତିକୁ ଆଗକୁ ବଢ଼ାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ, ଦଳର ନେତୃତ୍ୱକୁ ନେଇ ଓମ୍ ପ୍ରକାଶ ଚୌଟାଲାଙ୍କ ପୁଅ ଅଭୟ ଚୌଟାଲା ଏବଂ ଅଜୟ ଚୌଟାଲାଙ୍କ ମଧ୍ୟରେ ବିବାଦ ହୋଇଥିଲା । ଆଇଏନଡିଏଲ୍‌ ନେତୃତ୍ୱ ଅଭୟ ଚୌଟାଲାଙ୍କ ହାତକୁ ଆସିଥିଲା । ୨୦୧୪ରେ, ଅଜୟ ଚୌଟାଲାଙ୍କ ପୁଅ ଦୁଷ୍ୟନ୍ତ ଚୌଟାଲା ରାଜନୀତିରେ ପ୍ରବେଶ କରିଥିଲେ ଏବଂ ୨୦୧୮ରେ ଜନନାୟକ ଜନତା ପାର୍ଟି (JJP) ଗଠନ କରିଥିଲେ ।

ଅକାଳି ଦଳ

ପଞ୍ଜାବର ଟାଣୁଆ ନେତା ପ୍ରକାଶ ସିଂହ ବାଦଲଙ୍କ ଶିରୋମଣି ଅକାଳି ଦଳ ମଧ୍ୟ ଦୁଇ ଭାଗ ହୋଇଛି । ପ୍ରକାଶ ସିଂହ ପୁଅ ସୁଖବୀରଙ୍କୁ ନେତୃତ୍ୱ ଦେବା ବେଳେ ପୁତୁରା ମନପ୍ରୀତ ବାଦଲ ବିରୋଧ କରିଥିଲେ । ପରେ ଦାଦା ଓ ଅକାଳି ଦଳ ଛାଡି ନୂଆ ଦଳ ଗଠନ କରିଥିଲେ । ପରେ ମନପ୍ରୀତ ବାଦଲଙ୍କ ପଞ୍ଜାବ ପିପୁଲ୍ସ ପାର୍ଟି କଂଗ୍ରେସରେ ମିଶିଥିଲା । ୨୦୧୭ରେ ମନପ୍ରୀତ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।