ବ୍ରହ୍ମପୁର: ଜେଲ ଗଲେ ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡର ମାଲିକ ସୁରେଶ ନାୟକ। ସୋମବାର ଉଭୟଙ୍କୁ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ହେଲେ ଜାମିନ ନାମଞ୍ଜୁର ହେବାକୁ ସେମାନଙ୍କୁ ଜେଲ ପଠାଇଦିଆଯାଇଛି। ଏହା ପୂର୍ବରୁ ଉଭୟଙ୍କୁ ସାମ୍ନା ସାମ୍ନି ବସାଇ ଜେରା କରିଥିଲା କ୍ରାଇମବ୍ରାଞ୍ଚ।

ସୂଚନାଥାଉକି, ଏସଆଇ ପରୀକ୍ଷା କେଳେଙ୍କାରୀର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ ଗତ ଶନିବାର ଉତ୍ତରାଖଣ୍ଡ ନେପାଳ ସୀମାରୁ ଉଠାଇ ଆଣିଥିଲା ପୋଲିସ। ସେହିଭଳି ଗାଜିଆବାଦରୁ ଜବତ୍ ହୋଇଥିଲା ଶଙ୍କର ପୃଷ୍ଟିର ଫର୍ଚୁନର କାର । ଶଙ୍କର ପୃଷ୍ଟି ଗିରଫ ହେବା ପରେ ହଜାରେ କୋଟିର ଡିଲ୍ କଥା ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ରବିବାର ସିଲିକନ ଟେକ୍‌ର ମାଲିକ ସୁରେଶ ନାୟକଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ।

ସେହିଭଳି ପୋଲିସ SI ସ୍କାଣ୍ଡାଲରେ ଗିରଫ ହୋଇଥିବା ଶଙ୍କର ପୃଷ୍ଟିର ସହଯୋଗୀ ମୁନା ମହାନ୍ତି, ଲୋକନାଥ ସାହୁ, ସୌମ୍ୟା ପ୍ରିୟଦର୍ଶିନୀଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ । ଏମାନଙ୍କ ସହ ଶଙ୍କର ପୃଷ୍ଟିକୁ ସାମ୍ନା ସାମ୍ନି ବସାଇ ଜେରା କରାଯାଇଛି । ଏହି ଜେରା ବେଳେ ଶଙ୍କର ପୃଷ୍ଟି ତଥା ତା’ର ସହଯୋଗମାନେ ଆଉ କାହାର ନାଁ କହିଛନ୍ତି ଅର୍ଥାତ୍ SI ସ୍କାମ୍‌ରେ ଆଉ କାହାର ଲିଙ୍କ୍ ରହିଛି ? ହଜାରେ କୋଟିର ଡିଲ୍ କଥା କୁହାଯାଉଛି ସେଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେସବୁର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ସେହିଭଳି ଯେହେତୁ ଏହି ମାମଲାର CBI ତଦନ୍ତ କରାଯିବ ବୋଲି ସରକାର କହିଥିଲେ । ତେଣୁ ମାମଲାରେ ଗିରଫ ହୋଇଥିବା ଏ ସମସ୍ତ ଅଭିଯୁକ୍ତଙ୍କ ଠାରୁ ପୂରା ରାକେଟ୍ ଚେର ଖୋଳିପାରେ CBI । ଆଗକୁ କେଉଁ ବଡ଼ ମାଛ ଏହି ମାମଲାରେ ଫସୁଛନ୍ତି ତା ଉପରେ ରହିଛି ନଜର। ଏମିତିରେ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ଆଗକୁ ତା’ର ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ ।