ନୂଆଦିଲ୍ଲୀ: ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ପଞ୍ଜିକରଣ ଅଭିଯୋଗ ନେଇ କଂଗ୍ରେସ ନେତା ପବନ ଖେଡ଼ାଙ୍କୁ ନୋଟିସ୍ କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନ ପବନ ଖେଡ଼ାଙ୍କଠାରୁ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ନୋଟିସ୍ କରି ପ୍ରଶ୍ନ କରିଛନ୍ତି। ଏଥିସହିତ ଏହାର ଜବାବ ରଖିବାକୁ ପବନ ଖେଡ଼ାଙ୍କୁ ସେପ୍ଟେମ୍ବର ୮ ତାରିଖରେ କାର୍ଯ୍ୟାଳୟକୁ ଡାକିଛନ୍ତି ଇସି।

ଏହାପୂର୍ବରୁ, ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖେଡ଼ାଙ୍କ ବିରୋଧରେ ଅଭିଯୋଗ କରିଥଲେ। ସେ ପୋଷ୍ଟରେ ଲେଖିଥିଲେ ଯେ ଜଙ୍ଗପୁରା ଏବଂ ନୂଆଦିଲ୍ଲୀ ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କର ସକ୍ରିୟ ଭୋଟର ପରିଚୟପତ୍ର (EPIC ନମ୍ବର) ଅଛି। କଂଗ୍ରେସ ନେତା କ'ଣ ନିର୍ବାଚନ ଆଇନର ଉଲ୍ଲଂଘନ କରି ଏକାଧିକ ଥର ଭୋଟ ଦେଇଛନ୍ତି କି ବୋଲି ଅମିତ ମାଲବ୍ୟ ପୋଷ୍ଟ କରିଥିଲେ।

ଅନ୍ୟପଟେ ଖେଡ଼ା ବିଜେପିର ଅଭିଯୋଗକୁ ଖଣ୍ଡନ କରିବା ସହିତ ଏଥିରେ ନିର୍ବାଚନ କମିଶନର ଭୁଲ ରହିଛି ବୋଲି କହିଥିଲେ। ନ୍ୟୁଜ୍ ଏଜେନ୍ସି ଆଇଏନଏସକୁ ପ୍ରତିକ୍ରିୟା ଦେଇ ଶ୍ରୀ ଖେଡ଼ା କହିଛନ୍ତି “ମୁଁ ୨୦୧୬ ମସିହାରେ ସେହି ଅଞ୍ଚଳରୁ ସିଫ୍ଟ ହୋଇଥିଲି। ସେବେଠାରୁ, ଭୋଟର ତାଲିକା ୪-୫ ଥର ସଂଶୋଧନ କରାଯାଇଛି, କିନ୍ତୁ ମୋ ନାଁ କଟାଯାଇ ନାହିଁ। ତେଣୁ ଭୋଟର ତାଲିକା ସଂଶୋଧନ ସମୟରେ BLO କିପରି କାର୍ଯ୍ୟ କରନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।”

ଖେଡ଼ା ଆହୁରି ପ୍ରଶ୍ନ କରିଛନ୍ତି ଯେ ଭୋଟର ତାଲିକା ରକ୍ଷଣାବେକ୍ଷଣ ଏବଂ ନିର୍ବାଚନ ପରିଚାଳନା କାହାର ଦାୟିତ୍ୱ, କଂଗ୍ରେସ ନା ନିର୍ବାଚନ କମିଶନର। ସେ କହିଛନ୍ତି, "ଆମେ ମହାରାଷ୍ଟ୍ରରେ ମେସିନ୍ ରିଡେବଲ୍ ଭୋଟର ତାଲିକା ଏବଂ ଭୋଟର ବୁଥ୍‌ର ସିସି ଟିଭି ଫୁଟେଜ୍ ଦାବି କରୁଛୁ, କିନ୍ତୁ ଏଥିରୁ ଆମେ କିଛି ପାଉନାହୁଁ। ସେଥିପାଇଁ ଆମେ ଏହାକୁ 'ଭୋଟ୍ ଚୋରି' କହୁଛୁ।"

କଂଗ୍ରେସ ମୁଖପାତ୍ର ଖେଡ଼ା କହିଛନ୍ତି ଯେ ନିର୍ବାଚନ କମିଶନଙ୍କ କାର୍ଯ୍ୟକାରିତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଯାଉଛି ଏବଂ ସେଥିପାଇଁ ତାଙ୍କ ଦଳ ସ୍ୱଚ୍ଛତା ଦାବି କରୁଛି। ସେ ଦାବି କରିଛନ୍ତି ଯେ ବିହାରରେ 'ଭୋଟର ଅଧିକାର ଯାତ୍ରା' ସମୟରେ ଏପରି ଅନେକ ଲୋକ ସାମ୍ନାକୁ ଆସିଥିଲେ ଯେଉଁମାନେ ଜୀବିତ ଥିବା ସତ୍ତ୍ୱେ ମୃତ ଘୋଷଣା କରାଯାଇଥିଲା।

ସେପଟେ ଅମିତ ମାଲବ୍ୟ ତାଙ୍କ ପୋଷ୍ଟରେ ସୋନିଆ ଗାନ୍ଧୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ ଭାରତୀୟ ନାଗରିକ ହେବା ପୂର୍ବରୁ ହିଁ ଭୋଟର ତାଲିକାରେ ତାଙ୍କ ନାମ ପଞ୍ଜୀକୃତ କରିଥିଲେ। ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ଏବେ ପବନ ଖେଡ଼ା ଗାନ୍ଧୀ ପରିବାର ସହିତ ତାଙ୍କର ଘନିଷ୍ଠତା ଦେଖାଇବା ପାଇଁ ଦୁଇଟି ଭିନ୍ନ ନିର୍ବାଚନମଣ୍ଡଳୀରେ ସକ୍ରିୟ ଭୋଟର ପରିଚୟପତ୍ର ମଧ୍ୟ ରଖିଛନ୍ତି ବୋଲି ମାଲବ୍ୟ ଅଭିଯୋଗ କରିଥିଲେ।