ପାରାଦୀପ ୫।୧୧: ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ଦାଣ ଉତ୍ସବରେ ସାଧବ ପୁଅଙ୍କୁ ମେଲାଣି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦୀର୍ଘ ୬୪ ବର୍ଷ ତଳେ ଏଠାରେ ଏକ ସନ୍ତସନ୍ତିଆ ହେନ୍ତାଳ ବଣ ବେଷ୍ଟିତ ବନ୍ୟଜନ୍ତୁ ମାନଙ୍କର ବାସସ୍ଥାନ ପାଲଟିଥିବା ସ୍ଥାନରେ ଗଢି ଉଠିଥିବା ବନ୍ଦର ଆଜି ସାରା ଦେଶରେ ପ୍ରମୁଖ ବନ୍ଦର ଭାବରେ ଉଭା ହେବା ସହ ଏକ ଶିଳ୍ପ ନଗରୀରେ ପରିଣତ ହୋଇଛି । ପାରାଦୀପ ବନ୍ଦର ରାଜ୍ୟ ପ୍ରଗତିରେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ସମଗ୍ର ବନ୍ଦର ଇତିହାସରେ ପାରାଦୀପର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ପାରାଦୀପକୁ ଆଧାର କରି ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏଠାକୁ ଆହୁରି ଅନେକ ଶିଳ୍ପ ଆସିବ ଓ ଅନେକ ଯୁବକ ଯୁବତୀ ନିଯୁକ୍ତି ପାଇବେ

ଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ପାରାଦୀପ ବନ୍ଦର ଏହି ପ୍ରଗତିର ମୁଖଶାଳା ପାଲଟିଛି ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ବ ଦିଆଯାଉଛି । ପାରାଦୀପ ବନ୍ଦରର ବିକାଶର ମୂଳମନ୍ତ୍ର ହେବ ଶିଳ୍ପ । ରାଜ୍ୟକୁ ଅନେକ ଶିଳ୍ପ ଆଣିପାରିଛୁ । ୧ ଲକ୍ଷ କୋଟି କହିଥିଲୁ, ୧ ଲକ୍ଷ ୪୫ ହଜାର କୋଟି ନିବେଶ ହେଲାଣି । ୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ । ୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍‌ଥା କ୍ରାକର୍‌ ପ୍ରୋଜେକ୍ଟ । ପାରାଦୀପ ସି ବିଚ୍‌ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ୍ ତିଆରି ହେବ ।

​​​​​​​

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସକାଳ ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ ବନ୍ଦର ପରିସରରେ ପହଞ୍ଚି ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହାସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ଏହି ଉତ୍ସବ ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ପତ୍ନୀ  ପାରାଦୀପ ଆସି ବନ୍ଦର ପରିଦର୍ଶନ କରିବା ସହ ବୁଲିବାର ମଜା ନେଇଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୁ ପ୍ରସାଦ ତରାଇ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହାରାନାଧ, ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ପ୍ରମୁଖ ଯୋଗ ଦେଇଥିଲେ ।