ଭୁବନେଶ୍ଵର: ପୂଜାରୁ ଜୋର ଧରିବ ପଞ୍ଚାୟତ ପଲିଟିକ୍ସ। ଆସନ୍ତାବର୍ଷ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗାଁକୁ ଯାଇ ଲୋକଙ୍କ ପାଖରେ ପହଞ୍ଚିବାକୁ ୩ ପ୍ରମୁଖ ରାଜନୈତିକ ବିଜେପି, ବିଜେଡି ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି । ବିଜେପି ଲୋକଙ୍କ ପାଖରେ ପହଞ୍ଚି ଜିଏସ୍ଟି ସଞ୍ଚୟ ଉତ୍ସବ ପାଳନ କରିବାକୁ ଯୋଜନା କରିଥିବା ବେଳେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଜେଡି ଓ ବିଜେପି ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛନ୍ତି

ଗାଁରେ ମୁହାଁମୁହିଁ ହେବେ ଶାସକ ବିରୋଧୀ। ପୂଜାରୁ ଗାଁରେ ଜମିବ ରାଜନୀତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ବଳ କଷା- କଷି । ଆଉ ରାଜଧାନୀ ନୁହେଁ ଗାଁରେ ଲଢେଇ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଏଥିପାଇଁ ସରକାରୀ ଦଳ ବିଜେପି ବଡ଼ ଖସଡା ପ୍ରସ୍ତୁତ କରିଛି। କେନ୍ଦ୍ର ସରକାର ନ୍ୟୁ ଜେନେରେସନ ଜିଏସଟି ଲାଗୁ କରିଛନ୍ତି । ଯେଉଁଥିରେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ବଡ଼ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେଣୁ ଏହାକୁ ନେଇ ପୂଜା ପରେ ପରେ ଲୋକଙ୍କ ପାଖକୁ ଯିବ ବିଜେପି । ଜିଏସ୍ଟି ସଞ୍ଚୟ ଉତ୍ସବ ନାଁରେ ପ୍ରତି ବ୍ଲକରେ ସମ୍ମିଳନୀ କରି ଲୋକଙ୍କୁ ଯୋଡ଼ିବ ଦଳ। ମନ୍ତ୍ରୀ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ ଏହାର ନେତୃତ୍ବ ନେଇ ଗାଁକୁ ଯିବା ସହ ଜିଏସଟି ରିଫର୍ମର ଲାଭ ବାବଦରେ ଲୋକଙ୍କୁ ଅବଗତ କରାଇବେ। 

ସେପଟେ ସରକାରୀ ଦଳକୁ ଚେକ୍ ଦେବାକୁ ବିରୋଧୀ ମଧ୍ୟ ପ୍ରସ୍ତୁତ। ଆସନ୍ତା ୨ରେ ଗାନ୍ଧୀ ଜୟନ୍ତୀରୁ ଉଭୟ ଦଳ ପଦଯାତ୍ରା କରିବେ। ବିଜେଡି ଗାନ୍ଧୀ ଜୟନ୍ତୀରୁ ମାସେ ପର୍ଯ୍ୟନ୍ତ ଗାଁ ଗାଁରେ ପଦଯାତ୍ରା କରି ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି । ଏମିତି କି ବିଜେଡି ସରକାର ସମୟରେ ମିଳିଥିବା ସହାୟତାକୁ ବର୍ତ୍ତମାନର ସରକାର କେମିତି ବିନିଯୋଗ କରିଛନ୍ତି ତାର ମଧ୍ୟ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଦଳ। ଅନୁରୂପ ଭାବରେ କଂଗ୍ରେସ ମଧ୍ୟ ସରକାରକୁ ଘେରିବାକୁ ଅକ୍ଟୋବର ୨ ରୁ ବର୍ଷେ ବ୍ୟାପୀ ପଦଯାତ୍ରା ସହ ଜନ ସଚେତନତା କରିବାକୁ ଯୋଜନା କରିଛି।

ବିଶେଷ କରି ବେରୋଜଗାରୀ, ନାରୀ ନିର୍ଯାତନା, ଭୋଟ ଚୋରୀ ଆଦି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ତେବେ ଏହି କାର୍ଯ୍ୟକ୍ରମ ମାଲକାନାଗିରିରୁ ଆରମ୍ଭ କରିବାକୁ ଯାଉଛି କଂଗ୍ରେସ। ୨୦୨୭ରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏଥିପାଇଁ ଆଗୁଆ ପ୍ରସ୍ତତି ଆରମ୍ଭ କରିଛନ୍ତି ସବୁଦଳ। ପଦଯାତ୍ରା ଓ ଜନ ସଚେତନା ଆଦି କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇଛି । ତେବେ ଏଥିରୁ କାହାକୁ କେତେ ଫାଇଦା ମିଳୁଛି ତା ଉପରେ ସମସ୍ତଙ୍କର ନଜର ରହିଛି ।