News7 Logo

୪୦୦ରୁ ଅଧିକ ଗ୍ଲାସିୟର ହ୍ରଦର ଆକାର ବଢୁଛି, ବନ୍ୟା ବିପଦ ଭିତରେ CWCର ଡରାଇଲା ଭଳି ରିପୋର୍ଟ

NEWS7
glacier

ନୂଆଦିଲ୍ଲୀ: ଭାରତରେ ୪୦୦ରୁ ଅଧିକ ଗ୍ଲାସିୟର ହ୍ରଦ ବଡ଼ ହେବାରେ ଲାଗିଛନ୍ତି, ଯାହା ଚିନ୍ତାଜନକ ପରିମାଣ ସୃଷ୍ଟି କରୁଛି । ଏହାସହ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଗଭୀର ଅଧ୍ୟୟନର ଆବଶ୍ୟକତା ରହିଛି । କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲସି) ନିଜର ନିରୀକ୍ଷଣ ରିପୋର୍ଟରେ ଏପରି ଚିନ୍ତା ପ୍ରକାଶ କରିଛି । ପ୍ରକାଶ ପାଇଥିବା ୨୦୨୫ ଜୁନ୍ ପାଇଁ ଗ୍ଲାସିୟର ହ୍ରଦ ଓ ଜଳାଶୟର ମାସିକ ମନିଟରିଂ ରିପୋର୍ଟରେ ସିଡବ୍ଲୁସି କହିଛି, ଲଦାଖ, ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ୪୩୨ ଗ୍ଲାସିୟର ହ୍ରଦକୁ ଗଭୀର ନିରୀକ୍ଷଣ ପାଇଁ ଚିହ୍ନଟ କରାଯାଇଛି । ଏଗୁଡ଼ିକରେ ହଠାତ୍ ଏବଂ ବିନାଶକାରୀ ବନ୍ୟା ହେବାର ସମ୍ଭାବନା ରହିଛି।

ରିପୋର୍ଟରେ କୁହାଯାଇଛି, ଗ୍ଲାସିୟର ଲେକ୍ ଆଟଲାସ୍-୨୦୨୩ ଅନୁସାରେ ଭାରତରେ ଥିବା ୪୩୨ ଗ୍ଲାସିୟର ହ୍ରଦ (୬୮୧ ମଧ୍ୟରୁ) ଜୁନରେ ଅଧିକ ବିସ୍ତାର ଦେଖିବାକୁ ମିଳିଛି । ତେଣୁ ବିପର୍ଯ୍ୟୟ ମୁକାବିଲା ଦୃଷ୍ଟିରୁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି । ସିଡବ୍ସୁସିର ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ଗ୍ଲାସିୟର ହ୍ରଦର ଆକାର ୨୦୧୧ ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୧ରେ ଏହା ୧୯୧୭ ହେକ୍ଟର ଥିବା ବେଳେ ବର୍ତ୍ତମାନ ୨୫୦୮ ହେକ୍ଟର ରହିଛି ।

ରିପୋର୍ଟ ଅନୁସାରେ ଅରୁଣାଚଳରେ ସବୁଠୁ ଅଧିକ ଗ୍ଲାସିୟର ହ୍ରଦରେ ବିସ୍ତାର ଦେଖିବାକୁ ମିଳିଛି । ଏହି ସଂଖ୍ୟା ୧୯୭ ରହିଛି । ଲଦାଖରେ ୧୨୦, ଜମ୍ମୁ ଓ କାଶ୍ମୀରରେ ୫୭, ସିକ୍କିମରେ ୪୭, ହିମାଚଳ ପ୍ରଦେଶରେ ୬ ଓ ଉତ୍ତାରଖଣ୍ଡରେ ୫ଟି ଏପରି ଗ୍ଲାସିୟର ହ୍ରାଦ ରହିଛି । ୨୦୧୫ ପରଠୁ ହିମାଳୟ କ୍ଷେତ୍ରରେ ମୋଟ ୧୪୩୫ଟି ଗ୍ଲାସିୟର ହ୍ରଦ ବଡ଼ ହେବାରେ ଲାଗିଛନ୍ତି । ଅନ୍ୟପଟେ ୧୦୦୮ ଗ୍ଲାସିୟରର ଆକାର ହ୍ରାସ ପାଇଛି । ସେହିପରି ୧୦୮ ହ୍ରଦର ଆକାରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଅପହଞ୍ଚ ଅଞ୍ଚଳରେ ଥିବା କାରଣୁ ୨୯୨ ହ୍ରଦର ନିରୀକ୍ଷଣ ସମ୍ଭବ ହୋଇପାରି ନଥିବା ଏଥିରେ କୁହାଯାଇଛି  । ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ତତ୍କାଳ ରଣନୀତି ଉପରେ ସିଡବ୍ଲୁସି ଜୋର ଦେଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ରିୟଲ ଟାଇମ୍ ମନିଟରିଂ ସିଷ୍ଟମ, ଉପଗ୍ରହ ଆଧାରିତ ସୂଚନା ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରିବା ସୁପାରିଶ କରାଯାଇଛି ।