କଟକ ୩୦।୯: ​​​​​​​ପୋଲିସ SI ପରୀକ୍ଷା ସ୍ଥଗିତ । ପରୀକ୍ଷାରେ ଜାଲିଆତି ଉଦ୍ୟମ ଅଭିଯୋଗ ହେବା ପରେ ଲିଖିତ ପରୀକ୍ଷାକୁ ସ୍ଥଗିତ ରଖିଲା OPRB ବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ। ପ୍ରତି ଜିଲ୍ଲାରେ ଅକ୍ଟୋବର ୫ ଓ ୬ ତାରିଖରେ SI ପରୀକ୍ଷା ହେବାର ଥିଲା। ଏକ ସଂସ୍ଥା ପୋଲିସ ଏସଆଇ ପାରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲା । ପ୍ରଥମେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୨୦ ପରୀକ୍ଷାର୍ଥୀଙ୍କୁ  ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ଏକାଠି କରିଥିଲା ଏହି ସଂସ୍ଥା । ସମସ୍ତଙ୍କୁ ୩ଟି ବସରେ ଏଠାରୁ ଆନ୍ଧ୍ରକୁ ନିଆ ଯାଉଥିଲା । ଆନ୍ଧ୍ର ଶ୍ରୀକାକୁଲମରେ SI ପରୀକ୍ଷା ଆଶାୟୀଙ୍କୁ ଧରିଥିଲା ପୋଲିସ ।  ସମସ୍ତଙ୍କୁ ବ୍ରହ୍ମପୁର ଆଣି ତଦନ୍ତ ଆରମ୍ଭ କରିଛି ପୋଲିସ । ବ୍ରହ୍ମପୁରର ଜଣେ ଦଲାଲ ଏସବୁ କାରନାମା ଚଳାଇଥିବା ନେଇ ପୋଲିସ ଜାଣିବାକୁ ପାଇଛି। କୁହାଯାଉଛି ପ୍ରଶ୍ନପତ୍ର ଲିକ୍ କରାଇ ପାରୀକ୍ଷାର୍ଥୀଙ୍କୁ ପ୍ରସ୍ତୁତି କରିବା ପାଇଁ ଆନ୍ଧ୍ର ପ୍ରଦେଶ ନେଉଥିଲେ ଏହି ସଂସ୍ଥା । ହେଲେ ଏ ନେଇ କ୍ୟାମେରା ସମ୍ମୁଖରେ ବ୍ରହ୍ମପୁର ଏସପି କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

ଘଟଣାର ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ପୋଲିସ କ୍ରାଇମବ୍ରାଞ୍ଚର ସହାୟତା ନେଇଛି। ବିଶେଷ କରି କ୍ରାଇମବ୍ରାଞ୍ଚର ସାଇବର ୟୁନିଟ୍ ଏହି ଅନୁସନ୍ଧାନରେ ଵ୍ରହ୍ମପୁର ପୋଲିସର ସହାୟତା କରୁଛି। ତେବେ କ୍ରାଇମବ୍ରାଞ୍ଚ ଘଟଣାର ଅନୁସନ୍ଧାନ ପାଇଁ କୌଣସି ବିଧିବଦ୍ଧ ନିର୍ଦ୍ଦେଶ ଦିଆଯାଇ ନାହିଁ। ସେପଟେ ସ୍ବଚ୍ଛତାର ସହ CPSE-2024 ପରୀକ୍ଷା ପାଇଁ ପରୀକ୍ଷାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେଇଛି ବିଭାଗ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ଯାହାର କିଛି ଅଭିଯୋଗ ଅଛି ୯୦୪୦୪୯୩୨୨୩ ରେ ଜଣାଇ ପାରିବେ ବୋଲି ଓପିଆରବି ସୂଚନା ଦେଇଛି । ପରୀକ୍ଷା ସ୍ଥଗିତ ରହିବା ପରେ ଅନେକ ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାର ସିବିଆଇ କିମ୍ବା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ପରୀକ୍ଷାର୍ଥୀ ।