News7 Logo

GST ସଂ‌‌ଶୋଧନ ହେବା ପୂର୍ବରୁ ସାମଗ୍ରୀରେ ନୂଆ ଦର ଉଲ୍ଲେଖ ଜରୁରୀ, ଡିସେମ୍ବର ଶେଷ ସୁଦ୍ଧା ଲାଗୁ ହେବ ନିର୍ଦ୍ଦେଶନାମା

NEWS7
GST

ଭୁବନେଶ୍ବର ୧୪।୯: ସାମଗ୍ରୀରେ ସଂଶୋଧିତ ମୂଲ୍ୟ ବାଧ୍ୟତାମୂଳକ । ଜିଏସ୍‌ଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଜିଏସ୍‌ଟି ସ୍ଲାବ୍‌ରେ ପରିବର୍ତ୍ତନ କରିବା ପରେ ପୂର୍ବରୁ କ୍ରୟ କିମ୍ବା ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ  ଜନ ବିତରଣ ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଉତ୍ପାଦକ, ପ୍ୟାକର ଓ ଆମଦାନୀକାରୀଙ୍କୁ ଉକ୍ତ ନିର୍ଦ୍ଦେଶ ଜାରି କରିବା ପାଇଁ କୁହାଯାଇଛି ।

ପତ୍ରରେ ଉଲ୍ଲେଖ ରହିଛି ଯେ, ଜିଏସ୍‌ଟି ସଂଶୋଧନ ହେବା ପୂର୍ବରୁ ଗଚ୍ଛିତ ଥିବା ସାମଗ୍ରୀ ଉପରେ ନୂଆ ଦର ବା ଏମ୍‌ଆରପି ଉଲ୍ଲେଖ ରହିବା ଜରୁରୀ । ହ୍ରାସ ପାଇଥିବା ଜିଏସ୍‌ଟି ଅନୁସାରେ ନୂଆ ଏମ୍‌ଆରପି ଲାଗୁ ହେବା ଆବଶ୍ୟକ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ୍ ମାଧ୍ୟମରେ ଜଣାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।