News7 Logo

ଗୁଜରାଟର ପାୱାଗଡରେ ବଡ଼ ଦୁର୍ଘଟଣାଟ; ରୋପୱେ ଖସି ଚାଲିଗଲା ୬ ଜୀବନ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

NEWS7
accident

ନୂଆଦିଲ୍ଲୀ ୦୭।୦୯; ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ବଡ ଅଘଟଣ । ପାୱାଗଡ ପାହାଡ଼ରେ ଥିବା ମନ୍ଦିରରେ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମିତ ରୋପୱେ ହଠାତ୍‌ଭୁଶୁଡିଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ଲିଫ୍ଟମ୍ୟାନ୍, ଦୁଇଜଣ ଶ୍ରମିକ ଏବଂ ଅନ୍ୟ ଦୁଇଜଣ ଥିଲେ। ପଞ୍ଚମହଲ କଲେକ୍ଟର ଏହି ଘଟଣାର ନିଶ୍ଚିତ କରିଛନ୍ତି। ବର୍ତ୍ତମାନ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

କୁହାଯାଉଛି ଯେ ଅପରାହ୍ନ ପ୍ରାୟ ୩.୩୦ରେ ରଶି ଛିଣ୍ଡିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ପଞ୍ଚମହଲ ଡିଏସପି ଡାକ୍ତର ହର୍ଷ ଦୁଧାତ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁର୍ଘଟଣା ପାୱାଗଡରେ ଘଟିଛି। ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପାହାଡ଼ ଉପରକୁ ନିର୍ମାଣ ସାମଗ୍ରୀ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ପାୱାଗଡ଼ ଶକ୍ତିପୀଠ ଗୁଜରାଟର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳ। ଯେଉଁଠାରେ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଦର୍ଶନ ପାଇଁ ପହଞ୍ଚନ୍ତି। ଦୁର୍ଘଟଣା ପରେ ମନ୍ଦିର ପରିସର ଏବଂ ଆଖପାଖ ଅଞ୍ଚଳରେ ଶୋକ ଏବଂ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବୈଷୟିକ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ।