LIVE TV

ପଶ୍ଚିମବଙ୍ଗ ସରକାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ବିଧାୟକ ଅଶ୍ୱିନୀ ପାତ୍ର

NEWS7
MLA Ashwini Patra

ଭୁବନେଶ୍ବର ୧୨୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଝିଅକୁ ଗଣଦୁଷ୍କର୍ମ ପ୍ରସଙ୍ଗରେ ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏ ଘଟଣା ଅମାନବିକ । ଏହାକୁ ସମଗ୍ର ଦେଶ ନିନ୍ଦା କରିଛି । ଏହାକୁ ପଶ୍ଚିମବଙ୍ଗ ସରକାର ତଦନ୍ତ କରିବା ଉଚିତ । ଯେଉଁମାନେ ଏ ଘଟଣା ଘଟାଇଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ପଶ୍ଚିମବଙ୍ଗରେ ଏହା ପୂର୍ବରୁ ଆରଜେ କର ହସ୍ପିଟାଲ ଘଟଣା ଠାରୁ କମ୍ ନୁହେଁ ।

ସରକାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ବିଧାୟକ ଭାବେ ଦାବି କରୁଛି । ମୁଁ ଏବେ ଭୁବନେଶ୍ୱରରେ ଅଛି । ମୁଁ ଜଳେଶ୍ୱର ଗଲା ପରେ ତାଙ୍କ ପରିବାରକୁ ଭେଟିବା ସହ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବି । ରାଜ୍ୟ ସରକାର ମଧ୍ୟ ପଶ୍ଚିମବଙ୍ଗ ସରକାର ସହ ଯୋଗାଯୋଗ କରିଛନ୍ତି । ପଶ୍ଚିମବଙ୍ଗ ସହ ଆମର ପାରିବାରିକ, ସାମାଜିକ, ସାଂସ୍କୃତିକ ସମ୍ପର୍କ ମଧ୍ୟ ରହୁଛି ବୋଲି ଅଶ୍ବିନୀ ପାତ୍ର କହିଛନ୍ତି ।

​​​​​​​

ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ । ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦୁର୍ଗାପୁର ପୋଲିସ ପହଞ୍ଚି ତଦନ୍ତ କରୁଛି । ପୋଲିସ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିବା ସହ ସେହି ଅଞ୍ଚଳର ଭିଡିଓଗ୍ରାଫି କରିଛି । ପୋଲିସ ମେଡିକାଲ କଲେଜର କର୍ମଚାରୀ ଏବଂ ପୀଡ଼ିତାଙ୍କ ପୁରୁଷବନ୍ଧୁ ସମେତ ଅନ୍ୟ ବ୍ୟକ୍ତିଙ୍କୁ ପଚରାଉଚରା କରିଛି । ଆଉ ଏବେ ପୋଲିସ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି । ପୀଡ଼ିତା ମାନସିକ ଓ ଶାରୀରିକ ଭାବେ ଆଘାତ ପାଇଥିବାରୁ ସେ ସାମାନ୍ୟ ସୁସ୍ଥ ଅନୁଭବ କଲାପରେ ବୟାନ ରେକର୍ଡ କରାଯିବ ବୋଲି ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ପଶ୍ଚିମବଙ୍ଗ ସରକାର ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏକ ୯ ଜଣିଆ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ଗଠନ କରିଛନ୍ତି । ଛାତ୍ରୀଙ୍କ ବାପା-ମା’ ଦୁର୍ଗାପୁରରେ ପହଞ୍ଚି ଝିଅ ପାଖରେ ରହିଛନ୍ତି । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ନିନ୍ଦା କରିଛନ୍ତି ।

ସେପଟେ ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ଓଡ଼ିଆ ଛାତ୍ରୀଙ୍କ ସହ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡ଼ାଦାୟକ । ଏହି ଖବର ଶୁଣି ମୁଁ ମର୍ମାହତ । ଏହି ସମ୍ବେଦନଶୀଳ ଘଟଣାରେ, ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟରେ ଦୃଢ଼ ଦାବି ଜଣାଉଛି । ପରିବାରବର୍ଗଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ।