ନୂଆଦିଲ୍ଲୀ ୦୭।୦୯ : ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆଜି ରାତିରେ ସଙ୍ଗଠିତ ହେବ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣକୁ ଭାରତୀୟ ସମୟ ରାତି ୯ଟା ୫୭ ମିନିଟରୁ ୧ଟା ୨୬ ମିନିଟ୍ ଯାଏ ଖାଲିଆଖିରେ ଦେଖିହେବ। ରାତି ୧୧ଟାରୁ ୧୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘ ୧ ଘଣ୍ଟା ୨୨ ମିନିଟ ଧରି ପୂର୍ଣ୍ଣ ଗ୍ରହଣ ରହିବ ଓ ସେହି ସମୟରେ ଚନ୍ଦ୍ର ନାଲି ରଙ୍ଗ ଦେଖାଯିବ । ୧ଟା ୨୭ମିନିଟରେ ଗ୍ରହଣ କାଳ ଶେଷ ହେବ।

ଭାରତ ତଥା ଓଡ଼ିଶାରେ ଗ୍ରହଣ ଆରମ୍ଭରୁ ଶେଷ ଯାଏ ଦୃଶ୍ୟମାନ ହେବ। ଏଥିସହ ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଆମେରିକା ଓ ୟୁରୋପର କିଛି ଅଞ୍ଚଳରେ ମଧ୍ୟ ଦେଖାଯିବ। ଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ । ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼ିଥାଏ। ସେହିପରି ସୂର୍ଯ୍ୟ କିରଣ ପୃଥିବୀର ବାୟୁମଣ୍ଡଳ ଦେଇ ଯିବାବେଳେ ପ୍ରଥମ ୫ଟି ରଙ୍ଗ ଯଥା ବାଇଗଣି, ଘନ ନୀଳ, ନୀଳ, ସବୁଜ, ହଳଦିଆ ଆଦି ରଙ୍ଗର ଆଲୋକ ବାୟୁ ମଣ୍ଡଳରେ ପୂରାପୂରି ପୂରା ବିଚ୍ଛୁରିତ ହୋଇ ଯାଇଥାଏ। ମାତ୍ର ଅପେକ୍ଷାକୃତ ଅଧିକ ତରଙ୍ଗ ଦୈର୍ଘ୍ୟର ଆଲୋକ' ନାରଙ୍ଗୀ ଓ ନାଲି ରଙ୍ଗ ପୂରା ବିଚ୍ଛୁରିତ ନହୋଇ ବାୟୁମଣ୍ଡଳ ଭିତରେ ଗତିକରି ଚନ୍ଦ୍ରରେ ପଡ଼ିଥାଏ । ଏହାଯୋଗୁ ଚନ୍ଦ୍ର ନାଲି ରଙ୍ଗ ଦେଖାଯାଏ। ଚନ୍ଦ୍ରଗ୍ରହଣ ଗୋଟିଏ ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖରେ ଦେଖିହେବ। ଏହାକୁ ବିଶ୍ବର ୮୫ ପ୍ରତିଶତରୁ ଅଧିକ ଲୋକ ଦେଖିପାରିବେ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣକୁ ବିଶ୍ବର ୬ଶହ କୋଟିରୁ ଅଧିକ ଲୋକ ଦେଖିପାରିବେ। ଆକାଶ ମେଘମୁକ୍ତ ରହିଲେ ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଏହା ଖାଲି ଆଖରେ ଦେଖିହେବ।