ପୁରୀ ୦୬/୧୦: ଆସନ୍ତାକାଲି ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଓଡ଼ିଶାର କୋଣ ଅନୁକୋଣରୁ ହବିଷ୍ୟାଳୀ ମାନେ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀ ଆସିଛନ୍ତି।  ହବିଷ୍ୟାଳୀମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପୋଲିସ ପକ୍ଷରୁ ଗ୍ରହଣ କରାଯାଇଛି। ହବିଷ୍ୟାଳୀଙ୍କ ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ସ୍ବତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି। ସମସ୍ତ ତୀର୍ଥ ପୁଷ୍କରିଣୀରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ୨୨ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫ ଇନ୍ସପେକ୍ଟର, ୬୫ ସବ ଇନ୍ସପେକ୍ଟର, ୧୦୦ କନଷ୍ଟେବଳ ମୁତୟନ ରହିବେ। ପଞ୍ଚୁକ ସମୟରେ ପ୍ରବଳ ଭକ୍ତଙ୍କ ଭିଡ଼ ହେବା ଆଶଙ୍କା ଥିବାରୁ ସେହି ସମୟରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।

ସେପଟେ ଆରମ୍ଭ ହୋଇଛି ହବିଷ୍ୟାଳିମାନଙ୍କର ରେଜିଷ୍ଟ୍ରେସନ। ପୁରୀ ସହରର ୫ଟି ସ୍ଥାନରେ ହବିଷ୍ୟାଳି ମା’ମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଆଜି ବୃନ୍ଦାବତୀ ନିବାସ, ନରେନ୍ଦ୍ର କୋଣ, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପରେ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି।  ଅନଲାଇନରେ ରେଜିଷ୍ଟ୍ରେସନ କରାଯାଇଥିବା ମହିଳାମାନେ ତାଙ୍କର କାଗଜ ଦେଖାଇ ସେଠାରେ ରହିପାରିବେ।

ହବିଷ୍ୟାଳିମାନଙ୍କର ରହିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସୁବିଧାରେ ଶ୍ରୀମନ୍ଦିରରେ ଦର୍ଶନ  ମହାପ୍ରସାଦ ସେବନ, ପୂଜା ବିଧି ସହ ଆକାଶଦୀପ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। କେବଳ ଅନଲାଇନରେ ବୁକିଂ କରାଯାଇଥିବା ୨ହଜାର ୫ଶହ ମହିଳାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଠାରୁ କାର୍ତ୍ତିକ ହବିଷ୍ୟାଳି ମାନେ ବ୍ରତ ସଂକଳ୍ପ କରିବେ।