LIVE TV

ହନିଟ୍ରାପରେ ବ୍ୟବସାୟୀଙ୍କୁ ଫଶାଇଥିଲେ; ଥାନାରେ ଆତ୍ମସମର୍ପଣ କଲେ ସାମ୍ବାଦିକ

NEWS7
honeytrap case

ନିଶ୍ଚିନ୍ତକୋଇଲି : ହନିଟ୍ରାପରେ ବ୍ୟବସାୟୀଙ୍କୁ ଫଶାଇ ବ୍ଲାକମେଲ୍ କରିବା  ଓ ମୋଟା ଅଙ୍କର ଟଙ୍କା ଆଦାୟ କରିବା ଘଟଣାର ଖୋଲୁଛି ଗୁମର ।  କଟକ ଗ୍ରାମାଞ୍ଚଳ ପୋଲିସ ଜଣେ ଟିଭି ସାମ୍ବାଦିକଙ୍କ ସହ ଜଣେ ମହିଳା ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଥିଲା। ମଙ୍ଗଳବାର  ଅନ୍ୟ ଜଣେ ଅଭିଯୁକ୍ତ ସାମ୍ବାଦିକ ନିଶ୍ଚିନ୍ତକୋଇଲି ଥାନାରେ ଆତ୍ମସମର୍ପଣ କରିଛନ୍ତି। ଚାରି ଜଣ ଅଭିଯୁକ୍ତଙ୍କୁ ଆଜି ପୋଲିସ ନିଶ୍ଚିନ୍ତକୋଇଲି ଜେ ଏମ୍ ଏଫ୍ ସି ଙ୍କ କୋର୍ଟରେ ହାଜର କରିଥିଲା।

ଅଭିଯୁକ୍ତ ମାନଙ୍କର ଜାମିନ ନାମଞ୍ଜୁର ହେବାରୁ ଅଦାଲତ ଦୁଇ ଟିଭି ସାମ୍ବାଦିକଙ୍କ ସହ ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବଡ଼ଚଣା ଥାନାର ତତ୍କାଳୀନ ମହିଳା ଇନିସପେକ୍ଟରଙ୍କ ସହାୟତାରେ ଅଭିଯୁକ୍ତ ସାମ୍ବାଦିକ ଦୁଇ ଜଣ ଜନୈକ ମହିଳାଙ୍କୁ ବ୍ୟବହାର କରି ହନିଟ୍ରାପରେ ବିଭିନ୍ନ ବ୍ୟକ୍ତିଙ୍କୁ ଫଶାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ କଟକ ଗ୍ରାମାଞ୍ଚଳ ଏସ୍ ପିଙ୍କ ତତ୍ତ୍ବାବଧାନରେ ତଦନ୍ତ ହୋଇଥିଲା। ଏହି ଘଟଣାରେ ବଡଚଣା ଥାନାର ତତ୍କାଳୀନ ମହିଳା ଇନିସପେକ୍ଟର ମଧୁସ୍ମିତା ବେହେରା ନିଲମ୍ବିତ ହୋଇଛନ୍ତି।

 ପୋଲିସ ଏହି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ ଅଭିଯୁକ୍ତ ମାନଙ୍କ ମୋବାଇଲରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଅଶ୍ଳୀଳ ଭିଡିଓ ଫୁଟେଜ ଓ ଫଟୋ ଜବତ କରିଛି। ଅଭିଯୁକ୍ତ ମାନଙ୍କ ପାଖରୁ ୫ଟି ମୋବାଇଲ ଫୋନ ଜବତ କରିବା ସହିତ ପୋଲିସ୍ ସେମାନଙ୍କୁ BNS ଦଫା 296,308(6),308(7),351(2),3(5) ରେ  କୋର୍ଟ ଚାଲାଣ କରିଛି।