News7 Logo

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ, ସଂସଦୀୟ ନିର୍ବାଚନରେ ହାର ପରେ ନେଲେ ନିଷ୍ପତ୍ତି

NEWS7

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଇସ୍ତଫା। ପ୍ରଧାନମନ୍ତ୍ରୀ ହେବାର ଏକ ବର୍ଷ ପରେ ସେ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଶିଗେରୁ ଇଶିବା ଶାସନରେ ଥିବା ନିଜର ଲିବରାଲ ଡେମୋକ୍ରାଟିକ୍ ପାର୍ଟି (LDP)ର ବିଭାଜନକୁ ରୋକିବା ପାଇଁ ଇସ୍ତଫା ନିଷ୍ପତ୍ତି ନେଇଛନ୍ତି। ପ୍ରକୃତରେ ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ଏଲଡିପିକୁ କଡ଼ା ହାର ମିଳିଥିଲା। ଜୁଲାଇରେ ହୋଇଥିବା ସଂସଦୀୟ ନିର୍ବାଚନରେ ଇଶିବାଙ୍କ ମେଣ୍ଟ ସରକାର ୨୪୮ ସିଟ୍‌ ଥିବା ଉପର ସଦନରେ ବହୁମତ ହାସଲ କରିପାରିନଥିଲା। ଏହା ପରଠାରୁ ତାଙ୍କୁ ପଦ ଛାଡ଼ିବା ପାଇଁ ଚାପ ପଡ଼ୁଥିଲା। ଆହୁରି ମଧ୍ୟ ଗତ ଏକ ମାସରୁ ସେ ନିଜ ଦଳ ଭିତରେ ହିଁ ଦକ୍ଷିଣପନ୍ଥୀ ବିରୋଧୀଙ୍କ ଦାବିର ବିରୋଧ କରୁଛନ୍ତି। ଆଉ ଏହାରି ଭିତରେ ରବିବାର ଇଶିବା ନିଜର ଇସ୍ତଫା ଦେଇଛନ୍ତି। 

ଏଲଡିପି ବାଛିବ ନୂଆ ନେତା
ଲିବରାଲ ଡେମୋକ୍ରାଟିକ୍ ପାର୍ଟି ଏହାର ନୂଆ ନେତା ବାଛିବା ପାଇଁ ସୋମବାର ନିର୍ବାଚନ କରିବା ନେଇ ଯୋଜନା କରିଥିଲା। ହେଲେ ଏହି ମାମଲାରେ କୌଣସି ନିଷ୍ପତ୍ତି ପୂର୍ବରୁ ହିଁ ଇସ୍ତଫା ଦେଇଛନ୍ତି ଶିଗେରୁ ଇଶିବା। ତେବେ ଇଶିବାଙ୍କ ଇସ୍ତଫା ପରେ ଜାପାନରେ ସେ ପର୍ଯ୍ୟନ୍ତ ରାଜନୈତିକ ଅନିଶ୍ଚିତତା ରହିବ, ଯେପର୍ଯ୍ୟନ୍ତ ଏଲଡିପି ଏହାର ଉତ୍ତରାଧିକାରୀ ନିର୍ବାଚନ କରିନାହିଁ। କାରଣ ଅନେକ ଏଲଡିପି ସାଂସଦ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପିତ କରୁଛନ୍ତି। ଅବଶ୍ୟ କୌଣସି ସାଂସଦଙ୍କୁ ୨୦ ଅନ୍ୟ ସାଂସଦଙ୍କ ସମର୍ଥନର ଆବଶ୍ୟକତା ପଡ଼ିବ।

ସଂସଦରେ ମଧ୍ୟ ସମର୍ଥନର ଆବଶ୍ୟକତା ହେବ
ପାର୍ଟି ନେତା ବଛାଯିବା ପରେ ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ସଂସଦୀୟ ଭୋଟ ହାସଲ କରିବାକୁ ହେବ। ଯେହେତୁ ଏଲଡିପିର ନେତୃତ୍ବଧୀନ ମେଣ୍ଟ ବହୁମତ ହରାଇଛି, ତଥାପି ନିମ୍ନ ସଦନରେ ଏହାର ସିଟ୍‌ ସଂଖ୍ୟା ସବୁଠୁ ଅଧିକ ରହିଛି। ଫଳରେ ଏଲଡିପିର ଆଶାୟୀ ଜିତିବାର ସମ୍ଭାବନା ରହିଛି। କିନ୍ତୁ କିଏ ଜିତିବ ତାହା କହିବା ସମ୍ଭବ ନୁହେଁ। ତେବେ ଏଲଡିପିର ଆଗାମୀ ନେତାଙ୍କ ପ୍ରାଥମିକତା ରହିବ ଶାସନରେ ଥିବା ମେଣ୍ଟ ପାଇଁ ସମର୍ଥନ ହାସଲ କରିବା। କାରଣ ଇଶିବା ୨୦୨୪ ଅକ୍ଟୋବରରେ ପଦଭାର ସମ୍ଭାଳିଥିଲେ। ସେତେବେଳେ ମଧ୍ୟ ଦଳ ପାଖରେ ବହୁମତ ନଥିଲା। ଏଥିପାଇଁ ୧୯୫୫ରେ ସ୍ଥାପନା ପରେ ଏଲଡିପି ମେଣ୍ଟ ସରକାର ଗଢ଼ିବାକୁ ପଡ଼ିଥିଲା।

ରେସ୍‌ରେ ଅନେକଙ୍କ ନାମ 
ଶାସନରେ ଥିବା ଦଳର ଆଶାୟୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ଅନ୍ତରୀଣ ମନ୍ତ୍ରୀ ସାନେ ତାକାଇଚୀ, କୃଷି ମନ୍ତ୍ରୀ ସିଞ୍ଜିରୋ କୋଇଜୁମୀ ଏବଂ ପୂର୍ବତନ ଆର୍ଥିକ ସୁରକ୍ଷା ମନ୍ତ୍ରୀ ତାକାୟୁକୀ କୋବାୟାଶୀ ପ୍ରମୁଖ। ବର୍ତ୍ତମାନ ମୁଖ୍ୟ କ୍ୟାବିନେଟ ସଚିବ ୟୋଶିମାସା ହୟାଶୀ ଏବଂ ଅର୍ଥମନ୍ତ୍ରୀ କାତ୍ସୁନୋବୁ କାଟୋ ମଧ୍ୟ ଇଶିବାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି।