ନୂଆପଡ଼ା ୮୧୧: ନୂଆପଡ଼ା ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାରେ ଲାଗିପଡିଛନ୍ତି । ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖରିଆର ରୋଡ୍ ନଗର କଂଗ୍ରେସର ପୂର୍ବତନ ସଭାପତି ତଥା ବର୍ତ୍ତମାନର ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆଇଟି ବିଭାଗ ତରଫରୁ ରେଡ୍ କରାଯାଉଥିବା ସୂଚନା ମିଳିଛି ।

ମହମ୍ମଦ ଜୁନେଦ ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ମୁସଲିମ୍ ନେତା ଭାବେ ଜଣାଶୁଣା । ସେ ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି ମଧ୍ୟ ଥିଲେ । ଶୁକ୍ରବାର ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ପରକୋଡ୍ ଠାରେ ଆୟୋଜିତ ବିଜେଡିର ଜନସଭା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ମିଶିଥିଲେ ।

​​​​​​​

ବିଜେଡିରେ ମିଶିବା ପରେ ସେ କହିଥିଲେ, ମୁଁ ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଧରି କଂଗ୍ରେସ ଦଳରେ ନିଷ୍ଠାର ସହ କାମ କରି ଆସୁଥିଲି । କିନ୍ତୁ କଂଗ୍ରେସ କେବଳ ନିର୍ବାଚନ ସମୟରେ ସକ୍ରିୟ ହୋଇଯାଏ ଏବଂ ନିର୍ବାଚନ ସରିବା ପରେ ସମସ୍ତେ ଚୁପ୍ ବସି ଯାଉଛନ୍ତି । ଲୋକଙ୍କ ସହ ଦଳର ସମ୍ପର୍କ ରହୁନାହିଁ । ଅପରପକ୍ଷେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରା ଓ ଆଦର୍ଶ ମୋତେ ସର୍ବଦା ପ୍ରଭାବିତ କରିଥିଲା । ବିଜେଡି ସରକାର ଅମଳରେ ଓଡ଼ିଶାରେ ଯେଉଁ ଅଦ୍ଭୁତପୂର୍ବ ବିକାଶ ହୋଇଛି ତାହା ପୂର୍ବରୁ କେବେ ହୋଇନଥିଲା । ସେ ସାରା ଦେଶର ଜଣେ ଅପ୍ରତିଦ୍ୱନ୍ଦ୍ବୀ ନେତା । ତେଣୁ ମୁଁ ବିଧିବଦ୍ଧ ଭାବେ ବିଜେଡିରେ ମିଶିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ସେ କହିଥିଲେ ।