LIVE TV

କେମିତି, କାହିଁକି ଓ କିପରି ହେଲା ପୀତବାସଙ୍କ ହତ୍ୟା, ଜାଣନ୍ତୁ ବିସ୍ତୃତରେ

NEWS7
Pitabas Murder Case

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ବିଜେଡିର  ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିବାର ପ୍ରମାଣ ମିଳିଛି ବୋଲି କହିଛନ୍ତି  ବ୍ରହ୍ମପୁର ଏସପି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବତନ ମେୟର ଶିବ ଶଙ୍କର ଦାସ ଏବଂ କର୍ପୋରେଟର ମଳୟ ବିଷୋୟୀ  ଥିବା ବେଳେ ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ବ୍ୟକ୍ତିଗତ, ଆର୍ଥିକ ଓ ରାଜନୈତିକ କାରଣ ପାଇଁ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଛି ବୋଲି କହିଛି ପୋଲିସ ।

ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ । ପୀତବାସଙ୍କୁ ମର୍ଡ଼ର ପାଇଁ ହୋଇଥିଲା ୫୦ଲକ୍ଷ ଟଙ୍କାର ଡିଲ୍ । ଏହି ହତ୍ୟା ମାମଲାରେ  ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ । ଗିରଫ ଅଭିଯୁକ୍ତଙ୍କ ଭିତରେ ପୂର୍ବତନ ମେୟର ଶିବ ଶଙ୍କର ଦାସ ଓ କର୍ପୋରେଟର ମଳୟ ମିଷୋୟୀ । ବିକ୍ରମ ପଣ୍ଡାଙ୍କ  ନିକଟତମ ସହଯୋଗୀ ମଦନ ଦଳେଇଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ସହିତ ୨ ଶାର୍ପ ଶୁଟର, ଜଣେ ସ୍ଥାନୀୟ ଶୁଟର ଓ ରେକି କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି । ବ୍ୟକ୍ତିଗତ, ଆର୍ଥିକ ଓ ରାଜନୈତିକ କାରଣ ପାଇଁ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ବ୍ରହ୍ମପୁର ଏସପି  ।

ବ୍ରହ୍ମପୁର ଏସପି କହିଛନ୍ତିପୀତବାସ ପଣ୍ଡା ହତ୍ୟା ଷଡ଼ଯନ୍ତ୍ରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସାମିଲ ଥିବାର ପ୍ରମାଣ ମିଳିଛି ।  କର୍ପୋରେଟର ମଳୟ ବିଷୋୟୀ ଓ ବିକ୍ରମ ପଣ୍ଡାଙ୍କ ନିକଟତମ ସହଯୋଗ ମଦନ ଦଳେଇ ପ୍ରସ୍ତୁତ କରିଥିଲେ ପୀତବାସ ହତ୍ୟାର ବ୍ଲୁ-ପ୍ରିଣ୍ଟ୍ । ସେମାନଙ୍କ ଜରିଆରେ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସ ଏହି ଷଡ଼ଯନ୍ତ୍ର କରିଥିଲେ । ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସଙ୍କ ଠାରୁ ୫୦ଲକ୍ଷ ଟଙ୍କା ଆଣିବାର ବ୍ୟବସ୍ଥା ହୋଇଥିଲା। ଉମା ବିଷୋୟୀ ପାଖରେ ରହିଛି ସବୁ ଡିଲ୍ ଟଙ୍କା । ଏସପିଙ୍କ ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ଭିତରେ ହୋଇଥିଲା ପୀତବାସଙ୍କୁ ହତ୍ୟା ଯୋଜନା । ଏଥି ପାଇଁ ବିହାରରୁ ୨ଜଣ ଶୁଟରଙ୍କୁ ଡକାଇଥିଲେ ଆଣ୍ଟି ସୋସିଆଲ୍ ଉମା ବିଷୋୟୀ । ବିହାରର ଶୁଶୁପାଳ କୁମାର ପାଶଓ୍ବାନ, କୁନ୍ଦନ କୁମାର, ହିଞ୍ଜିଳିର ବିପିନ ସ୍ବାଇ ଏବଂ ବଡ଼ଗଡ଼ର ସିମାଞ୍ଚଳ ନାୟକ ଏହି ୪ଜଣ ବ୍ରହ୍ମପୁର ଅଳକାପୁରୀରେ ଆସି ରହିଥିଲେ ।

ପ୍ଲାନ୍-A ଅନୁସାରେ ବିହାରରୁ ଆସିଥିବା ୨ ଶୁଟର ପୀତବାସଙ୍କ ଘର ପାଖରେ ଏକ ଭଡ଼ା ଘର ନେଇ ରହିଥିଲେ । ଏହି ଭଡ଼ା ଘରଟି ଥିଲା ଶୂନ୍ୟ ଚନ୍ଦ୍ର ଦାସଙ୍କ ଘର । ଉମା ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ । ବିହାରରୁ ଆସିଥିବାରୁ ଶୁଟରଙ୍କ ଉପରେ ସଂଦେହ କରିଥିଲେ ଶୂନ୍ୟ ଚନ୍ଦ୍ର ଦାସ । ତେବେ ଉମା ବିଷୋୟୀ ସେମାନଙ୍କୁ ରଖିଥିବାରୁ ଭୟରେ କିଛି ପହିପାରିନଥିଲେ ଘର ମାଲିକ । ବିହାରରୁ ଆସିଥିବା ଶୁଟରଙ୍କ ପତ୍ନୀର ଦେହ ଖରାପ ହେବାରୁ ସେମାନେ ବିହାର ଫେରି ଯାଇଥିଲେ । ଫଳରେ ସେପ୍ଟେମ୍ବର ୧୦ରୁ ୧୪ ଭିତରେ ପୀତବାସୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହୋଇପାରିନଥିଲା । ଏହା ପରେ ପ୍ଲାନ୍ B ଅନୁସାରେ ପୀତବାସଙ୍କୁ ହତ୍ୟା ପାଇଁ ସ୍ଥାନୀୟ ଶୁଟରଙ୍କୁ ନିୟୋଜିତ କରାଯାଇଥିଲା ।

ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତଙ୍କ ପ୍ଲାନ B ଷଡ଼ଯନ୍ତ୍ର ଅନୁସାରେ ପନ୍ଥପଲ୍ଲୀ ଗାଁର କୃପତି ଭୁୟାଁ ଏବଂ ଚିଣ୍ଟୁ ପ୍ରଧାନଙ୍କୁ ଏହି ମିଶନରେ ନିୟୋଜିତ କରାଯାଇଥିଲା । ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରୁ ଆସିଥିବା ବେଳେ ଯୋଗେନ୍ଦ୍ର ରାଉତ, ଚିଣ୍ଟୁ ପ୍ରଧାନ, କୃପତି ଭୁୟାଁ  ପୁଣି ଥରେ ରେକି କରିଥିଲେ । ପୀତବାସ କେଉଁ ସମୟରେ କୁଆଡ଼େ ଯାଉଛନ୍ତି, କେତେବେଳେ ଫେରୁଛନ୍ତି ସବୁ କିଛି ରେକି କରୁଥିଲେ ଶୁଟର । ଇଏ ହେଉଛି  ସେହି ସମୟର CCTV ଭିଜୁଆଲ୍ । ସବୁ ରେକି କରିବା ପରେ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଅତି ନିକଟରୁ ଗୁଳି କରିଥିଲେ ଅଭିଯୁକ୍ତ ।

ପୀତବାସଙ୍କୁ ଗୁଳି କରିଥିବା ଦୁଇ ଶୁଟର ହେଲେ ଚିଣ୍ଟୁ ପ୍ରଧାନ ଓ କୃପତି ଭୂୟାଁ । ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରୁ ଆସିଥିଲା । ଅକ୍ଟୋବର ୬ ତାରିଖ ଦିନ ଏହି ଦୁଇ ଜଣ ନୂଆ ଡ୍ରେସ୍ ଓ ନୂଆ ଜୋତା ପିନ୍ଧି ବାଇକ୍ରେ ଆସିଥିଲେ । ସେମାନେ ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ ଆଉ ଏହା ପରେ ଅତି ପାଖରୁ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଚିଣ୍ଟୁ ପ୍ରଧାନ ବାଇକ୍ ଚଳାଉଥିବା ବେଳେ ପଛରେ ବସିଥିବା କୃପତି ଭୂୟାଁ ଚଳାଇଥିଲା ଗୁଳି । ପୀତବାସଙ୍କୁ ଗୁଳି ମାରିବା ପରେ ଦୁଇ ଜଣ ଯାକ ଶୀତଳାପଲ୍ଲୀ ପଳାଇଯାଇଥିଲେ । ସେଠାରେ ଡ୍ରେସ୍ ଚେଞ୍ଜ କରିଥିଲେ ।

ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ବରମରେ ପହଞ୍ଚିଥିଲେ । ରାମେଶ୍ବରମରେ ଗାଡ଼ି ଛାଡ଼ି ପୁରୀ ପଳାଇଥିଲେ । ପୁରୀରୁ ଜୟପୁର ଯାଇ ବିକ୍ରମ ପଣ୍ଡାଙ୍କ ବିଶ୍ବସ୍ତ ସୁନୀଲ ହୋତାଙ୍କ ପାଖରେ ରହିଥିଲେ । ସେଠାରୁ ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁ ଖସି ଯିବାରେ ସମର୍ଥ ହୋଇଥିଲା । ଉମା ବିଷୋୟୀ ଅପରାଧୀଙ୍କୁ ବନ୍ଧୁକ ଓ ଗୁଳି ଦେବା ସହ ପୂରା ସହଯୋଗ କରିଥିବା କହିଛନ୍ତି ବ୍ରହ୍ମପୁର ଏସପି। ଅପରାଧ ଘଟାଇବା ପାଇଁ ଦୁଇ ସାର୍ପ ଶୁଟର ୧୦ ଲକ୍ଷ ଟଙ୍କା ଅଗ୍ରିମ ନେଇଥିବା ବେଳେ ବାକି ଟଙ୍କା ପରେ ନେବେ ବୋଲି ଡିଲ୍ ହୋଇଥିଲା । 

ମୁଖ୍ୟ ହତ୍ୟାକାରୀ କୃପତି ଭୂୟାଁ ସମେତ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଜେନା ଓ ଉମା ବିଷୋୟୀ ଫେରାର୍ ଥିବା କହିଛି ପୋଲିସ । କୁହାଯାଉଛି ବ୍ରହ୍ମପୁର ବାର୍ କାଉନସିଲ୍ ନିର୍ବାଚନ ପରଠାରୁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ସହ ତିକ୍ତତା ବଢ଼ିଥିଲା । ପୀତବାସ ଥିବା ଯାଏଁ ବିକ୍ରମ ପଣ୍ଡା ରାଜନୈତିକ କ୍ଷତି ସହିବେ ବୋଲି ଅନୁମାନ କରୁଥିଲେ । ସେଥିପାଇଁ ବିକ୍ରମ ପଣ୍ଡା ଓ ଶିବ ଶଙ୍କର ଦାସ ମିଶି ପୀତବାସ ପଣ୍ଡାଙ୍କୁ ରାସ୍ତାରୁ ହଟାଇବା ଲାଗି ଏହି ଷଡ଼ଯନ୍ତ୍ର କରିଥିଲେ ।