LIVE TV

ଓସ୍କାରରେ ‘ହୋମ୍‌ବାଉଣ୍ଡ୍‌’ର ଅଫିସିଆଲ୍‌ ଏଣ୍ଟ୍ରି, ନିର୍ମାତା କରଣ କହିଲେ- ଏହି ମୁହୁର୍ତ୍ତ କେବେ ଭୁଲିବି ନାହିଁ

NEWS7
film

ନୂଆଦିଲ୍ଲୀ ୨୦।୦୯; ଅପେକ୍ଷାର ହେଲା ଅନ୍ତ । ଓସ୍କାର-୨୦୨୬ ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହେଲା ନାଁ । ଓସ୍କାର-୨୦୨୬ରେ ଏଣ୍ଟ୍ରି ମାରିଲା କରଣ ଜୋହରଙ୍କ ହିନ୍ଦୀ ଫିଲ୍ମ ହୋମବାଉଣ୍ଡ୍‌ । ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍‌ କାଟାଗରୀରେ ଓସ୍କାର୍‌ ପାଇଁ ଚୟନ କରାଯାଇଛି । ଚୟନ କମିଟିର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ର ଏହା ସ୍ପଷ୍ଟ କରି କହିଛନ୍ତି, ଏହା ଅତ୍ୟନ୍ତ ଜଟିଳ ଥିଲା । କାରଣ ଲୋକଙ୍କ ଜୀବନ ଉପରେ ପର୍ଯ୍ୟବସିତ ଅନେକ ଫିଲ୍ମ ଦୌଡରେ ଅଛି । ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ, ସମ୍ପାଦକ ଓ ସାମ୍ବାଦିକମାନଙ୍କର ୧୨ ଜଣିଆ ଚୟନ କମିଟି ‘ହୋମ୍‌ବାଉଣ୍ଡ୍‌’କୁ ଓସ୍କାର୍‌ ପାଇଁ ଚୟନ କରିଛି । ଗତକାଲି କୋଲକାତାରେ ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନାଁ ଘୋଷଣା କରାଯାଇଛି ।

ନୀରଜ ଘେୱାନଙ୍କ ନିର୍ଦ୍ଦେଶିତ, କରନ ଜୋହର ଓ ଆଦାର ପୁନାୱାଲାଙ୍କ ପ୍ରଯୋଜିତ ‘ହୋମ୍‌ବାଉଣ୍ଡ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଇଶାନ ଖଟ୍ଟର, ବିଶାଲ ଜେଠୱା ଓ ଜାହ୍ନବୀ କପୁର । ଉତ୍ତର ଭାରତର ଏକ ଛୋଟ ଗାଁର ଦୁଇଜଣ ପିଲାଦିନ ସାଙ୍ଗଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ । ଉଭୟ ପୋଲିସ ଚାକିରି କରିବାକୁ ଚାହୁଁଛନ୍ତି। ଏହି ଚାକିରି ଜରିଆରେ ସେମାନେ ସେହି ସମ୍ମାନ ପାଇବାକୁ ଆଶା କରୁଛନ୍ତି। ଯାହା ସେମାନେ କେବେ ପାଇନାହାନ୍ତି। କିନ୍ତୁ ଲକ୍ଷ୍ୟର ନିକଟତର ହେବା ବେଳକୁ ଚାପ ଓ ସଂଘର୍ଷ ସେମାନଙ୍କ ବନ୍ଧୁତାରେ ସମସ୍ୟା ଉତ୍ପନ୍ନ କରିଛି । ଏହା ପୂର୍ବରୁ ‘ହୋମ୍‌ବାଉଣ୍ଡ୍‌’କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ୯ ମିନିଟ୍‌ର ଷ୍ଟାଣ୍ଡିଂ ଓଭେସନ୍‌ ମିଳିଥିଲା । ୫୦ତମ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ୨ୟ ରନର୍‌-ଅପ୍‌ ସମ୍ମାନ ହାସଲ କରିଛି । କୋରିଆନ୍‌ ଫିଲ୍ମ ‘ନୋ ଅଦର୍‌ ଚଏସ୍‌’ ପ୍ରଥମ ପୁରସ୍କାର ଜିତିଥିବାବେଳେ ‘ସେଣ୍ଟିମେଣ୍ଟାଲ୍‌ ଭାଲ୍ୟୁ’ ରନର୍‌-ଅପ୍‌ ହୋଇଥିଲା । ଆସନ୍ତା ୨୬ ତାରିଖରେ ଭାରତର ସିନେମାଘରେ ମୁକ୍ତିଲାଭ କରିବ ‘ହୋମ୍‌ବାଉଣ୍ଡ୍‌’ । ଓସ୍କାର୍‌ ପାଇଁ ଚୟନ ହୋଇଥିବା ଫିଲ୍ମ ଗୁଡ଼ିକର ନାଁ ଆସନ୍ତା ଡିସେମ୍ବର ୧୬ ତାରିଖରେ ଘୋଷଣା ହେବ ।

୨୦୨୬, ଜାନୁଆରୀ ୨୨ରେ ନୋମିନେସନ୍‌ ତାଲିକା ଘୋଷଣା ହେବ। ଏହା ପରେ ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ୯୮ତମ ଏକାଡେମୀ ଆୱାର୍ଡସ୍‌ । ୧୯୫୭ମସିହାରେ ମହବୁବ ଖାନଙ୍କ ‘ମଦର ଇଣ୍ଡିଆ’ ଭାରତର ପ୍ରଥମ ଫିଲ୍ମ ଥିଲା ଯାହା ଓସ୍କାରରେ ଅଫିସିଆଲ ଏଣ୍ଟ୍ରି କରିଥିଲା । ସେହିପରି ଗତବର୍ଷ କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜ୍‌ ଭାରତ ତରଫରୁ ଓସ୍କାର ନୋମିନେସନ ପାଇଁ ପଠାଯାଇଥିଲା । କିନ୍ତୁ ଟପ୍‌ ୧୫ରେ ଫିଲ୍ମଟି ସ୍ଥାନ ପାଇପାରିନଥିଲା । ହେଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଫିଲ୍ମଟି ଅନେକ ପ୍ରଶଂସା ସାଉଁଟିଥିଲା । ଏବେ ସମସ୍ତଙ୍କ ନଜର ‘ହୋମବାଉଣ୍ଡ’ରେ ଉପରେ ରହିଛି ।