କଟକ ୧୦/୧୦: କଟକ ବାଲିଯାତ୍ରା କେଉଁଠି ହେବ? କିପରି କରାଯିବ? ପୂର୍ବ ନିଷ୍ପତ୍ତିରେ ପ୍ରଶାସନ କାଏମ ରହିବ ନା ନିଷ୍ପତ୍ତି ବଦଳିବ, ତାହା ବର୍ତ୍ତମାନର ବଡ଼ ପ୍ରଶ୍ନ କାରଣ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ। ଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ ।

ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। ତେବେ ପୂର୍ବ ରାୟର କାର୍ଯ୍ୟକାରିତା ସମ୍ପର୍କରେ  କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା। ତେବେ ବାଲିଯାତ୍ରା ସ୍ଥାନ ନିରୂପଣ ବାବଦରେ ପୂର୍ବରୁ କୌଣସି ନିର୍ଦେଶ ହୋଇନାହିଁ, ଏଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ।

ବାଲିଯାତ୍ରା ଆୟୋଜନ କରିବା ହେଉଛି ପ୍ରଶାସନର ଦାୟିତ୍ୱ, ତେବେ ବାଲିଯାତ୍ରା ବେଳେ ଯେପରି ରାସ୍ତା ଅବରୋଧ ନହୁଏ, ଯେପରି ଶବ୍ଦ ପ୍ରଦୂଷଣ ନହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ଆଜି ନିର୍ଦ୍ଦେଶ ହୋଇଛି । କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀମାନଙ୍କୁ ଉପଯୁକ୍ତ ସ୍ଥାନରେ ଏବଂ ବିନା ମୂଲ୍ୟରେ ଥଇଥାନ କରିବା ଲାଗି ଆଜି ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା କରାଇବା ଲାଗି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। ଯାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି।