LIVE TV

ଜିଏସଟି ଛାଡ଼ ମଧ୍ୟରେ Heroର ଧମାକା, ଲଞ୍ଚ କଲା ନୂଆ ଡେଷ୍ଟିନି ୧୧୦ ସ୍କୁଟର

NEWS7
Destini 110

ନୂଆଦିଲ୍ଲୀ: ଜିଏସଟି ଛାଡ଼କୁ ନେଇ ଅଟୋ ସେକ୍ଟରରେ ଉତ୍ସାହ ରହିଛି। ସୋମବାର ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ସାରା ଦେଶରେ ଅଟୋ ସେକ୍ଟରରେ ବମ୍ପର ବିକ୍ରି ହୋଇଛି। ତେବେ ଏହି ଅବସରର ପୂରା ସୁଯୋଗ ନେଇଛି ହିରୋ ମୋଟୋକର୍ପ। ଏକାଧିକ କମ୍ପାନିମାନେ ଦାମ୍ କମାଇବା ରେସ୍‌ରେ ଥିବାବେଳେ ହିରୋ ମୋଟୋକର୍ପ କେବଳ ଯେ, ବାଇକ୍ ଏବଂ ସ୍କୁଟରର ଦାମ୍ କମାଇନାହିଁ ବରଂ ପୂରା ନୂଆ ସ୍କୁଟର ଡେଷ୍ଟିନି ୧୧୦ ଲଞ୍ଚ୍ କରିଛି। ୭୨ ହଜାର ଟଙ୍କାରୁ ଆରମ୍ଭ ହେଉଥିବା ଏହି ସ୍କୁଟର କେବଳ ସୁଲଭ ମୂଲ୍ୟ ହିଁ ନୁହେଁ ବରଂ ଲୁକ୍ ଏବଂ ଡିଜାଇନରେ ମଧ୍ୟ ହୋଣ୍ଡା ଆକ୍ଟିଭାକୁ ମଧ୍ୟ ଟକ୍କର ଦେଉଛି।

ଲୁକ୍ ଓ ଡିଜାଇନ୍

ଲୁକ୍ ବିଷୟରେ କହିଲେ ଏହାର ଡିଜାଇନ ଟପ୍ ମଡେଲ ଡେଷ୍ଟିନି ୧୨୫ ଭଳି। ଏଥିରେ H ଆକାରର ଏଲଇଡି ଡିଆରଏଲ ଏବଂ ଏଲଇଡି ଟେଲ୍‌ ଲ୍ୟାମ୍ପ୍‌ ଦିଆଯାଇଛି। ଚଉଡ଼ା ଫ୍ଲୋରବୋର୍ଡ ଏବଂ ଲମ୍ବା ସିଟ୍‌ ଯୋଗୁ ଏହି ସ୍କୁଟର ଏକ ଆରାମଦାୟକ ରାଇଡ ପାଇଁ ଡିଜାଇନ କରାଯାଇଛି।

ଇଞ୍ଜିନ ଏବଂ ପରଫରମାନ୍ସ

ଡେଷ୍ଟିନି ୧୧୦ରେ କମ୍ପାନି ୧୧୦.୯ ସିସି ଇଞ୍ଜିନ ଦେଇଛି। ଯାହା ୮.୧ ବିଏଚପି ପାଓ୍ବାର ଏବଂ ୮.୮୭ ଏନଏମ୍ ଟର୍କ ଜେନେରେଟ କରିଥାଏ। କମ୍ପାନିର କହିବା ଅନୁସାରେ ଏହି ସ୍କୁଟର ଏକ ଲିଟର ପେଟ୍ରୋଲରେ ୫୬.୨ କିଲୋମିଟରର ମାଇଲେଜ ଦେବ। ZX ଭାରିଆଣ୍ଟରେ କମ୍ପାନି କାଷ୍ଟ ହ୍ବିଲ୍ସ ଏବଂ ଫ୍ରଣ୍ଟ ଡିସ୍କ ବ୍ରେକ୍ ଦେଇଛି। ସେହିଭଳି VX ଭାରିଆଣ୍ଟ ଡ୍ରମ୍ ବ୍ରେକ୍ ସେଟଅପ୍ ରହିଛି।

ରହିଛି ଏହି ଫିଚର

ଦୁଇ ଭାରିଆଣ୍ଟରେ ପ୍ରୋଜେକ୍ଟର ଏଲଇଡି ହେଡଲାଇଟ୍‌, ଏଲଇଡି ଟେଲ୍ ଲ୍ୟାମ୍ପ୍, ଡିଗ୍ରି ଆନାଲଗ ସ୍ପିଡୋମିଟର, ଫ୍ରଣ୍ଟ ଗ୍ଲବ୍ ବକ୍ସ, ଇନବିଲ୍ଟ ୟୁଏସବି ଚାଜିଂ ପୋର୍ଟ ଭଳି ଫିଚର୍ସ ଦିଆଯାଇଛି। ସ୍କୁଟରରେ ଆଗରେ ଟେଲିସ୍କୋପିକ୍ ସସପେନସନ ଏବଂ ପଛରେ ସିଙ୍ଗଲ ସାଇଡ୍‌ ସକଅବଜରଭର ଦିଆଯାଇଛି। ଉଭୟ ଭାରିଆଣ୍ଟରେ ୧୨ ଇଞ୍ଚ୍‌ର ଟ୍ୟୁବଲେସ୍ ଟାୟାର ଦିଆଯାଇଛି।

କ’ଣ ରହିଛି ଦାମ୍ ?

ସୂଚନାଥାଉକି, ଜାନୁଆରୀରେ କମ୍ପାନି ଡେଷ୍ଟିନି ୧୨୫ର ନୂଆ ମଡେଲ ଲଞ୍ଚ କରିଥିଲା। ଆଉ ଏବେ ସେହି ଡିଜାଇନ ଏବଂ ଷ୍ଟାଇଲିଂ ଉପରେ ଆଧାରିତ ନୂଆ ଡେଷ୍ଟିନି ୧୧୦ ଲଞ୍ଚ କରାଯାଇଛି। କମ୍ପାନି ଏହାକୁ ଦୁଇ ଭାରିଆଣ୍ଟରେ ଲଞ୍ଚ କରିଛି। VX ଭାରିଆଣ୍ଟର ଦାମ୍ ୭୨,୦୦୦ ଟଙ୍କା ଏବଂ ZX ଭାରିଆଣ୍ଟର ଦାମ୍ ୭୯, ୦୦୦ ଟଙ୍କା (ଏକ୍ସ ଶୋରୁମ୍) ରହିଛି। VX ଭାରିଆଣ୍ଟରେ ଗ୍ରେ, ବ୍ଲୁ ଏବଂ ହ୍ବାଇଟ୍‌ କଲର ଅପ୍ସନ ରହିଛି। ସେହଭଳି ZX ଭାରିଆଣ୍ଟରେ ଗ୍ରେ, ବ୍ଲୁ ଏବଂ ରେଡ୍ କଲର ଅପ୍ସନ ରହିଛି।