ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଯିଏ ଦେଖୁଛି ସିଏ ଆଚମ୍ବିତ ହୋଇଯାଉଛି। ସତରେ କ’ଣ ପଶୁପକ୍ଷୀମାନେ ଏମିତି ଭାବପ୍ରବଣ ହୁଅନ୍ତି ଏବଂ ମଣିଷ ଭଳି ଆଚରଣ ଦେଖାନ୍ତି ? ଏମିତି କିଛି ସମସ୍ତେ ହିଁ କୁହାକୁହି ହେଉଛନ୍ତି। 

ଘଟଣା ଭୁବନେଶ୍ବର ଇନଫୋସିଟି ଅଞ୍ଚଳର। କିଛି ମଦୁଆ ଗାଡ଼ି ଚାଳକଙ୍କ ଉନ୍ମତ୍ତ ଡ୍ରାଇଭିଂ ଯୋଗୁ ଆହତ ହୋଇଥିଲା ଏକ ବାଛୁରୀ। ଏଥିରେ ବାଛୁରୀଟି ଗୁରୁତର ଆହତ ହୋଇଥିବାବେଳେ ତା ମାଆ ସାମ୍‌ନା ପଡ଼ି ଛଟପଟ ହେଉଥିଲା। ହେଲେ ନିଜ ସନ୍ତାନକୁ ଏଭଳି ସ୍ଥିତିରେ ଦେଖି ଗାଈଟି ସେହି ରାସ୍ତାରେ ଯାଉଥିବା ଲୋକଙ୍କୁ ସାହାଯ୍ୟ ମାଗୁଥିଲା। ସତେ ଯେପରି କହୁଥିଲା ‘ମୋ ପିଲାକୁ ବଞ୍ଚେଇ ଦିଅ... ମୋ ପିଲା ତୁମକୁ ଲାଗିଲା... ମୋ ପିଲାକୁ ଚଲେଇ ଦିଅ ତୁମ ପିଲାକୁ ଲକ୍ଷେ ଆଶୀର୍ବାଦ ଦେବି।’

ତେବେ ଏହି ସମୟରେ ସ୍ଥାନୀୟ କିଛି ଗୋ ସେବକ ବାଛୁରୀର ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲେ। ନିକଟରେ ଜଣେ ଗ୍ୟାରେଜ ମାରିକ ଏକ ସେଡ୍ କରିଦେଲେ ଆଉ ସେହିଠାରେ ମା-ପୁଅ ସେହିଠାରେ ରହିଲେ। ଗୋ ସେବକ ରାକେଶ ମଲ୍ଲିକ ତାଙ୍କର ଚିକିତ୍ସା ଆରମ୍ଭ କଲେ। ସ୍ପାଇନାଲ ଇଞ୍ଜୁରୀ ଥିବା କୁନୁ ଥଙ୍ଗେଇ ଥଙ୍ଗେଇ ଠିଆ ହେବାକୁ ଚେଷ୍ଟା କଲା । ୪ ଦିନ ବେଳକୁ ଭୋଲି ଗୋସେବକଙ୍କ ବାଟ ଚାହିଁ ରହିଲା, କେତେବେଳେ ସେ ଆସିବେ ଆଉ ପୁଅର ଚିକିତ୍ସା କରିବେ।

ତେବେ ବାଛୁରୀଟିକୁ ଯେମିତି ମାଡ଼ ହୋଇଥିଲା, ସେ ଯେ ଆଉ ଠିଆ ହୋଇପାରିବ କେହି ଆଶା କରିନଥିଲେ, ହେଲେ କଥାରେ ପରା ଅଛି ମାର ମମତା ଆଗରେ ସବୁକିଛି ହାରିଯିବ। ଆଉ ଗୋସେବକମାନେ ନିଜ ଉଦ୍ୟମରେ ସଫଳ ହେଲେ। ଆଉ ବାଛୁରୀଟି ଠିଅ ହୋଇ ଯେତେବେଳେ ତା ମାଠାରୁ କ୍ଷୀର ପିଉଛି, ସେ ଦୃଶ୍ୟ ଦେଖି ସମସ୍ତେ ଭାବ ବିହ୍ବଳ ହେଉଛନ୍ତି। 

ସତରେ ଏହି ଗାଈ ଭୋଲି ଓ ତାର ସନ୍ତାନ କୁନୁର ଏହି ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ବଳ କରୁଛି। ଭୋଲିର ମାତୃତ୍ବ, ତାର ଭାବ ପ୍ରବଣତା, ତାର ମମତାକୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସତକୁ ସତ କୁନୁ ଚାଲିଛି ଆଉ ଖୁସି ହୋଇଛି ଭୋଲି।