ମୁମ୍ୱାଇ ୦୫/୧୧: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ । ଚିକୁ, କିଙ୍ଗ ଭାବେ ସେ ଖ୍ୟାତ୍ । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ । ନାଁ ତାଙ୍କର ବିରାଟ କୋହଲି । ୫ ନଭେମ୍ବର ୧୯୮୮ରେ ଜନ୍ମ । ଆଜି ସେ ୩୭ ବର୍ଷରେ ପାଦ ଥାପିଛନ୍ତି । ପରିବାର ସହିତ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ଲୀରେ ଜନ୍ମିତ କୋହଲିଙ୍କୁ ବିଶ୍ୱ କ୍ରିକେଟର ମହାନ ବ୍ୟାଟସମ୍ୟାନ ଭାବେ ଗଣାଯାଏ । ତିନି ଫର୍ମାଟରେ ସେ ବେଷ୍ଟ ।

ମୈଦାନରେ ସେ ଥିଲେ ବୋଲରଙ୍କ ପାଦୁର୍ଭାବ କମେ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜେତା ହୋଇଥିଲା । ପରେ ତାଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳିଥିଲା । ଏହା ପରଠୁ ସେ ଆଉ ଫେରିନଥିଲେ ପଛକୁ , ହାସଲ କରିଚାଲିଥିଲେ ସଫଳତା । ସମୟ କ୍ରମେ ସେ ଚିକୁରୁ ହୋଇଗଲେ ବିଶ୍ୱ କ୍ରିକେଟର ଜଣେ କିମ୍ବଦନ୍ତୀ ଖେଳାଳି । 

କମିକ୍ ପୁସ୍ତକ ଚମ୍ପକର ଏକ ଚରିତ୍ର ଚିକୁ ନାମରୁ ଆବିର୍ଭାବ । ଯାହା ବିରାଟ ନିଜେ ପ୍ରକାଶ କରିଥିଲେ । ବିରାଟ କୋହଲି ଅଗଷ୍ଟ ୨୦, ୨୦୦୮ରେ ତାଙ୍କର ଦିନିକିଆ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଚାରି ବର୍ଷରେ, ସେ ଏକଦିବସୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ହୋଇଗଲେ । ସେ ୨୦୧୧ ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ । ତଥାପି, ୨୦୧୨ ମସିହାରେ, ବିରାଟ କୋହଲି ତାଙ୍କ ଫିଟନେସ ଉପରେ କାମ କରିବା ଆରମ୍ଭ କଲେ । ଅଳ୍ପ ସମୟ ମଧ୍ୟରେ ସେ ବିଶ୍ୱର ସବୁଠାରୁ ଫିଟ୍ କ୍ରିକେଟର ଭାବରେ ଉଭା ହେଲେ। 

ବିରାଟଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ କେବେବି ICC ଟ୍ରଫି ଜିତି ନଥିଲା । କିନ୍ତୁ ତାଙ୍କ ବ୍ୟାଟିଂ ଓ ଫିଲ୍ଡିଂ ଦଳକୁ ଅନେକ ମ୍ୟାଚ୍ ରେ ସ୍ମରଣୀୟ ବିଜୟ ହାସଲ କରାଇଥିଲା । ୨୦୧୪ ମସିହାରେ ଟେଷ୍ଟ ଦଳର ଦାୟିତ୍ୱ ନେବା ପରେ, ସେ ଦଳକୁ ବିଦେଶୀ ମାଟିରେ ଜିତିବା ଶିଖାଇଥିଲେ। ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଥିଲା।

ବିରାଟଙ୍କ ଅଧିନାୟକତ୍ୱରେ, ଟିମ୍ ଇଣ୍ଡିଆ ନମ୍ବର ୱାନ୍ ଟେଷ୍ଟ ଦଳ ହୋଇଥିଲା । ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପହଞ୍ଚିଥିଲା । ସେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦଳକୁ ସେମାନଙ୍କ ଘରୋଇ ମାଟିରେ ପରାସ୍ତ କରିଥିଲେ । ବିରାଟ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ । ସେ ୬୮ ଟି ଟେଷ୍ଟ ମ୍ୟାଚ୍ ରେ ଭାରତକୁ ନେତୃତ୍ୱ ଦେଇଥିଲେ । ସେଥିମଧ୍ୟରୁ ୪୦ ଟିରେ ବିଜୟୀ ହୋଇଥିଲେ। 

ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ୫୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ବିରାଟ କୋହଲି । କ୍ୟାରିୟରରେ ୮୨ଟି ଶତକ ହାସଲ କରିଛନ୍ତି କିଙ୍ଗ୍ । ବିରାଟ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ଦ୍ୱିତୀୟ ଖେଳାଳି । ସଚିନ ତେନ୍ଦୁଲକରଙ୍କ ପରେ ସର୍ବାଧିକ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ହାସଲ କରିଛନ୍ତି ୧୦୦ଟି ଶତକ  । 

ବିରାଟ କୋହଲିଙ୍କ ଜନ୍ମଦିନରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ବିରାଟଙ୍କ କ୍ରିକେଟିଂ କ୍ୟାରିୟରର ଉପଲବ୍ଧି ବିଷୟରେ ଉଲ୍ଲେଖ କରାଯାଇଛି । ୫୫୩ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ କୋହଲି ୨୭ ହଜାର ୬୭୩ ରନ୍ କରିଛନ୍ତି । ଅନ୍ତର୍ଜାତୀୟ କ୍ୟାରିୟରରେ ୮୨ଟି ଶତକ ଏବଂ ୧୪୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । 

କୋହଲି ନିଜ ଟେଷ୍ଟ କ୍ରିକେଟ୍ କ୍ୟାରିୟରରେ ୧୨୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪୬.୮୫ ହାରରେ ୯ ହଜାର ୨୩୦ ରନ୍ କରିଛନ୍ତି । ଟେଷ୍ଟରେ ହାସଲ କରିଛନ୍ତି ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ । ଟେଷ୍ଟ କ୍ରିକେଟରେ କୋହଲି ଅପରାଜିତ ୨୫୪ ରନ୍‌ର ସର୍ବଶ୍ରେଷ୍ଠ ପାଳି ଖେଳିଛନ୍ତି ।
ଦିନିକିଆ ଅନ୍ତର୍ଜାତୀୟରେ କୋହଲି ୩୦୫ ମ୍ୟାଚ୍ ଖେଳିଛନ୍ତି । ବିରାଟ ୩୦୫ ମ୍ୟାଚରେ ୧୪ ହଜାର ୨୫୫ ରନ୍ କରିଛନ୍ତି, ଯେଉଁଥିରେ ୫୧ ଶତକ ଓ ୭୫ ଅର୍ଦ୍ଧଶତକ ସାମିଲ୍ ଅଛି । ଦିନିକିଆରେ କୋହଲି ୫୭.୭୧ ହାରରେ ରନ୍‌ କରିଛନ୍ତି । ଦିନିକିଆରେ କୋହଲିଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୮୩ ରନ୍‌ର ପାଳି ରହିଛି ।