LIVE TV

ଭାରତୀୟ ପ୍ରୋଫେସନାଲ୍ସଙ୍କୁ ମିଳିଲା ଆଶ୍ବସ୍ତି, H-1B ଭିସା ଫି’ କେବଳ ନୂଆ ଆବେଦନ ଉପରେ ଲାଗୁ

NEWS7
H-1B visa fee will be applicable only on new applications

ନୂଆଦିଲ୍ଲୀ: H-1B ଭିସା ଉପରେ ନୂଆ ଫି’କୁ ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ଆସିଛି ବଡ଼ ଅପଡେଟ। ହ୍ବାଇଟ୍ ହାଉସ ସ୍ପଷ୍ଟ କରିଛି ଯେ, ୧ ଲକ୍ଷ ଡଲାର ବା ପ୍ରାୟ ୮୮ ଲକ୍ଷ ଟଙ୍କା ଫି’ ବର୍ତ୍ତମାନର H-1B ଭିସା ଧାରକଙ୍କ ଉପରେ ନୁହେଁ ବରଂ କେବଳ ନୂଆ ଆବେଦକଙ୍କ ଉପରେ ଲାଗୁ ହେବ। ଆମେରିକା ନାଗରିକତା ଏବଂ ଇମିଗ୍ରେସନ ସେବା (USCIS) ଶନିବାର ଦେଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଦେଶ ଅନୁଯାୟୀ ଏହି ଶୁଳ୍କ କେବଳ ସେହି ନୂଆ ଆବେଦନ ଉପରେ ଲାଗୁହେବ ଯାହାକୁ ଏବେ ଦାଖଲ କରାଯିବା ବାକି ରହିଛି। ଅର୍ଥାତ ସେପ୍ଟେମ୍ବର ୨୧ ପୂର୍ବରୁ ଦାଖଲ କରାଯାଇଥିବା ଆବେଦନ ଏହି ନିୟମରେ ପ୍ରଭାବିତ ହେବ ନାହିଁ। 

USCISର ନିର୍ଦ୍ଦେଶକ ଜୋସେଫ ଏଡଲୋଙ୍କ ଅନୁସାରେ, ଏହି ନିୟମ ଟ୍ରମ୍ପଙ୍କ ଦ୍ବାରା ଜାରି ଆଦେଶର ଅଂଶ ଆଉ ଏହା କେବଳ ଆଗକୁ ହେବାକୁ ଥିବା ନୂଆ ଆବେଦନ ଉପରେ ଲାଗୁ ହେବ। ବର୍ତ୍ତମାନ ବୈଧ ଭିସା ଧାରକ କିମ୍ବା ପୂର୍ବରୁ ସ୍ବୀକୃତ ଆବେଦନ ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ। ହ୍ବାଇଟ ହାଉସର ପ୍ରବକ୍ତା ଟେଲର ରୋଜର୍ସ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଆମେରିକା କର୍ମଚାରୀଙ୍କୁ ପ୍ରାଥମିକତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ଏହି ପଦକ୍ଷେପ କମ୍ପାନିଙ୍କ ଦ୍ବାରା ସିଷ୍ଟମର ଦୁରୂପଯୋଗକୁ ରୋକିବାରେ ସହଯୋଗ କରିବ। ସେ କହିଛନ୍ତି ଏହାଦ୍ବାରା ସେହି ଆମେରିକୀୟ କମ୍ପାନିଙ୍କୁ ମଧ୍ୟ ଭରଷା ମିଳିବ ଯେଉଁମାନେ ପ୍ରକୃତରେ କୁଶଳୀ କର୍ମଚାରୀଙ୍କୁ କାମରେ ରଖିବାକୁ ଚାହୁଛନ୍ତି। ହ୍ବାଇଟ ହାଉସ ପ୍ରେସ ସେକ୍ରେଟାରୀ କରୋଲାଇନ ଲେଭିଟ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ‘‘ ୧ ଲକ୍ଷ ଡଲାର କୌଣସି ବାର୍ଷିକ ଶୁଳ୍କ ନୁହେଁ ବରଂ ଏହା ଗୋଟିଏ ଥର ଲଗାଯାଉଥିବା ଶୁଳ୍କ। ଏହା ରିନ୍ୟୁ କିମ୍ବା ବର୍ତ୍ତମାନ ଭିସା ଧାରକଙ୍କ ଉପରେ ଲାଗୁ ହେବନାହିଁ।’’ଏହାର ଉଦ୍ଦେଶ୍ୟ ରହିଛି କେବଳ ଉଚ୍ଚ କୁଶଳୀ କର୍ମଚାରୀ ଏବଂ କମ୍ପାନି ପାଇଁ ପ୍ରକୃତରେ ଜରୁରୀ କର୍ମଚାରୀଙ୍କୁ ହିଁ ଆମେରିକାରେ କାମ କରିବାକୁ ସୁଯୋଗ ଦେବା।

ସୂଚନାଥାଉକି, ଟ୍ରମ୍ପଙ୍କ ଆଦେଶ ପରେ ଆମେରିକାରେ ଥିବା ଭାରତୀୟ H-1B ଭିସା ଧାରକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଅନେକ ଲୋକେ ଶେଷ ମହୂର୍ତ୍ତରେ ଭାରତ ଆସିବାକୁ ଥିବା ଫ୍ଲାଇଟ୍ କ୍ୟାନ୍ସଲ କରିଥିଲେ। ସେହିଭଳି ଭାରତରେ ଥିବା ଅନେକ ଲୋକ ଆମେରିକା ଫେରିବାକୁ ଲାଗିପଡ଼ିଥିଲେ। ଇମିଗ୍ରେସନ ଓକିଲମାନେ ଚେତାବନୀ ଦେଇଥିଲେ ଯେ, ଯେଉଁମାନେ ସେପ୍ଟେମ୍ବର ୨୧ ପୂର୍ବରୁ ଆମେରିକା ଫେରିପାରିନାହାଁନ୍ତି ସେମାନେ ସେଠାରେ ଫସିଯାଇପାରନ୍ତି। ନ୍ୟୁୟର୍କର ଜଣେ ପ୍ରମୁଖ ଇମିଗ୍ରେସନ୍ ଓକିଲ ସାଇରସ୍ ମେହେଟା କହିଛନ୍ତି, "ବ୍ୟବସାୟ କିମ୍ବା ଛୁଟିରେ ଆମେରିକା ବାହାରେ ଥିବା H-1B ଧାରକମାନଙ୍କୁ ମଧ୍ୟରାତ୍ରି (ସେପ୍ଟେମ୍ବର ୨୧) ପୂର୍ବରୁ ଫେରିବାକୁ ପଡ଼ିବ। ଭାରତରୁ ସିଧାସଳଖ ବିମାନଗୁଡ଼ିକ ସମୟ ମଧ୍ୟରେ ପହଞ୍ଚିବା କଷ୍ଟକର, ତେଣୁ ଅନେକ ଫସି ରହିପାରନ୍ତି।"

H-1B ଭିସା କ’ଣ?

ଆମେରିକାର ଟେକ୍ କମ୍ପାନିଗୁଡ଼ିକ ପାଇଁ H-1B ଭିସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି କମ୍ପାନିମାନେ ଭାରତ ଏବଂ ଚୀନ୍ ଭଳି ଦେଶରୁ ବହୁ ସଂଖ୍ୟକ ଇଞ୍ଜିନିୟର ଏବଂ ଟେକ୍ ପ୍ରୋଫେସନାଲ୍ସଙ୍କୁ ନିଯୁକ୍ତି ଦିଅନ୍ତି। ପ୍ରତିବର୍ଷ ୬୫ ହଜାର H-1B ଭିସା ପ୍ରଦାନ କରାଯାଏ। ଆମେରିକାରୁ ମାଷ୍ଟର ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଡିଗ୍ରୀ ଥିବା ଲୋକଙ୍କୁ ଅତିରିକ୍ତ ୨୦ ହଜାର ଭିସା ପ୍ରଦାନ କରାଯାଏ। ବର୍ତ୍ତମାନ ପର୍ଯ୍ୟନ୍ତ H-1B ଭିସା ଫି ୨ ହଜାର ଡଲାରରୁ ୫ ହଜାର ଡଲାର ପର୍ଯ୍ୟନ୍ତ ଥିଲା। ୨୦୨୭ ଆର୍ଥିକ ବର୍ଷ ପାଇଁ H-1B କ୍ୟାପ୍ ପଞ୍ଜିକରଣ ଆସନ୍ତା ବର୍ଷ ମାର୍ଚ୍ଚରେ ଖୋଲିବ ବୋଲି ଆଶା କରାଯାଉଛି। ଗତ ବର୍ଷ, ପଞ୍ଜିକରଣ ଫି ୨୧୫ ଡଲାର ଥିଲା।