ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଜାରି କଲା ଗୁଗଲ୍। ଏଣିକି କମ୍ପାନିରେ କାମ କରୁଥିବା ସଫ୍ଟଓୟାର ଇଞ୍ଜିନିୟରଙ୍କୁ କୋଡିଂ ପାଇଁ କେବଳ କମ୍ପାନିର ଅନ୍ତରୀଣ ଏଆଇ ମଡେଲର ବ୍ୟବହାର କରିବାକୁ ପଡ଼ିବ। ବର୍ତ୍ତମାନ ସବୁ କର୍ମଚାରୀଙ୍କୁ ଏଆଇ ସହ ଅଭ୍ୟସ୍ତ ହେବାକୁ କୁହାଯାଉଥିବାବେଳେ ଗୁଗଲ ଏହାର କର୍ମଚାରୀଙ୍କୁ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି। ଯଦି କର୍ମଚାରୀମାନେ ଏଭଳି ନକରିବେ, ତେବେ କାମକୁ ନେଇ କମ୍ପାନି ଦେଉଥିବା ଅନ୍ତରୀଣ ରିପୋର୍ଟରେ ସେମାନେ ପଛରେ ରହିଯିବେ । ସରଳ ଭାବରେ କହିଲେ କର୍ମଚାରୀ ପରଫରମାନ୍ସ ରିପୋର୍ଟରେ ପଛରେ ପଡ଼ିଯାଇପାରନ୍ତି।

ବିଜନେସ ଇନସାଇଡର୍‌ର ଏକ ରିପୋର୍ଟ ଅନୁସାରେ, କମ୍ପାନିର ଇଞ୍ଜିନିୟର ଉପାଧ୍ୟକ୍ଷ ମେଗନ କଚୋଲିୟା ଜୁନ୍‌ରେ ସଫ୍ଟଓୟାର ଇଞ୍ଜିନିୟରଙ୍କୁ ଏକ ଇମେଲ ପଠାଇଥିଲେ। ଯେଉଁଥିରେ କୋଡିଂରେ ସୁଧାର ପାଇଁ ଏଆଇ ଟୁଲ୍ସର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଥିଲା। ମାର୍ଗଦର୍ଶିକାରେ ସ୍ପଷ୍ଟ କୁହାଯାଇଛି ଯେ, ଇଞ୍ଜିନିୟରଙ୍କୁ ଅଣ-କୋଡିଂ କାର୍ଯ୍ୟ ପାଇଁ କୌଣସି ଥାର୍ଡ ପାର୍ଟି ଏଆଇ ଟୁଲ୍‌ର ବ୍ୟବହାର କରିବା ପୂର୍ବରୁ ଅନୁମତି ନେବାକୁ ହେବ। ତେବେ ଏଭଳି ନିୟମ ଆଣି ଗୁଗଲ୍‌, ଏହାର ସଫ୍ଟଓୟାର ବିକାଶ ପାଇଁ ଅନ୍ତରୀଣ ସିଷ୍ଟମ ଉପରେ ନିର୍ଭରତା ଉପରେ ଜୋର ଦେଉଥିବା କହିଛନ୍ତି ବିଶେଷଜ୍ଞ।

ଏହା ପୂର୍ବରୁ ମଧ୍ୟ ସିଇଓ ସୁନ୍ଦର ପିଚଈ ଜୁଲାଇରେ ଏକ ସର୍ବସମ୍ମତ ବୈଠକରେ ଏଆଇକୁ ନେଇ ସ୍ପଷ୍ଟ ସନ୍ଦେଶ ଦେଇଥିଲେ। ସେ କହିଥିଲେ ଗୁଗଲ୍‌କୁ ନିଜ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ କର୍ମଚାରୀଙ୍କୁ ଏଆଇକୁ ଆପଣାଇବାକୁ ହେବ।

ଅନେକ ଗୁଗଲ୍ କର୍ମଚାରୀ ପରିଚୟ ଗୋପନ ରଖି କହିଛନ୍ତି, କମ୍ପାନି ମ୍ୟାନେଜରମାନେ ଏବେ କର୍ମଚାରୀଙ୍କୁ ଦୈନିକ କାମରେ କେତେ ଏଆଇ ବ୍ୟବହାର କରୁଛନ୍ତି ତାହା ଦେଖାଇବାକୁ କହୁଛନ୍ତି। ଆଉ ଆଶା କରାଯାଉଛି ଯେ, କର୍ମଚାରୀଙ୍କ ପରଫରମାନ୍ସ ରିପୋର୍ଟରେ ମଧ୍ୟ ସାମିଲ କରାଯିବ। ଜଣେ କର୍ମଚାରୀ କହିଛନ୍ତି, ଏହା କୌଣସି କଠିନ କାମ ନୁହେଁ। ଆପଣଙ୍କୁ ଆଗକୁ ବଢ଼ିବାକୁ ହେଲେ ଏହାର ବ୍ୟବହାର କରିବାକୁ ହେବ। ଅନ୍ୟ ଜଣେ କର୍ମଚାରୀ କହିଛନ୍ତି ଏଆଇ- ପରିଚାଳିତ ଓ୍ବାର୍କଫ୍ଲୋ ବିକଶିତ କରିବା ଦ୍ବାରା ଅନ୍ୟ ଟିମ୍ ସଦସ୍ୟଙ୍କୁ ଲାଭ ମିଳୁଛି।