କୋଣାର୍କ ୧୦: ପୁରୀ ଜିଲ୍ଲା ଗୋପ ବ୍ଲକ୍ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୨୮ ତାରିଖ ଦିନ ବାତ୍ୟା ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ବ୍ଲକ ଠାରୁ ଆରମ୍ଭ କରି ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁରୂପ ଭାବେ ଶନିବାର ପୂର୍ବାହ୍ନରେ ବାତ୍ୟା ମୋନ୍ଥାର ସଫଳ ମୁକାବିଲା ନିମନ୍ତେ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଛବିରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବିଶେଷ କରି ସମୁଦ୍ର କୂଳରେ ଥିବା ଗୋପ ବ୍ଲକର ସୁତନା,ତରକୋର, ବଡ଼ଗାଁ ପଂଚାୟତ ବାତ୍ୟା ପ୍ରବଣ ପଂଚାୟତ ଭାବେ ନିଆଯାଇଥିବା ବେଳେ ସୁତନ ପଞ୍ଚାୟତର ଖାଲକଟାପାଟଣା ଗ୍ରାମକୁ ପୂର୍ବରୁ ବାତ୍ୟା ପ୍ରବଣ ଗ୍ରାମ ଭାବେ ଘୋଷଣା କରାଯାଇଥିଲା ପରେ ତରକୋର ପଞ୍ଚାୟତର ବାଙ୍ଗର ଗ୍ରାମକୁ ନିଆଯାଇ ସେଠାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଗୋପ ବ୍ଲକରେ ଥିବା ୧୮ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ ୮୨ ଗୋଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଏହି ସମ୍ଭାବ୍ୟ ବାତ୍ୟାରେ ଧନଜୀବନ ରକ୍ଷା ନିମନ୍ତେ ଅତି ବିପଦ ସଙ୍କୁଳ ସ୍ଥାନରେ ଚାଳ ଘର ଓ ଝୁମ୍ପୁଡି ଘରେ ବସବାସ କରୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଯେକୌଣସି ମୂହୁର୍ତ୍ତରେ ସ୍ଥାନାନ୍ତରିତ କରିବା ନେଇ ଆଲୋଚନା କରାଯାଇ ଏହାର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି । ଗୋପ ବ୍ଲକର ୩୧ ଗୋଟି ଗ୍ରାମ ପଞ୍ଚାୟତ ଦାଯିତ୍ବରେ ଥିବା ନିର୍ବାହୀ ଅଧିକାରୀ ମାନଙ୍କୁ ଗ୍ରାମ ପଞ୍ଚାୟତ ମୁଖ୍ୟ ଦପ୍ତରରେ ଉପସ୍ଥିତ ରହି ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ଓ ଜିରୋ କାଜୁଆଲଟି ନୀତି ଅବଲମ୍ବନ କରି କାର୍ଯ୍ୟ କରିବା ପାଇଁ ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଚାଉଳ, ଚୁଡା, ଗୁଡ, ଦିଆସିଲି ଓ ମହମବତୀ ମହଜୁଦ ରଖିବା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକରେ  ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ, ଗୋପ ବ୍ଲକ ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ସିଡିପିଓ ମିନାକ୍ଷୀ ସାହୁ, ଅଗ୍ରଣୀ ସାମାଜିକ ସଂଗଠନ ସୋଲାରର କାର୍ଯ୍ୟକ୍ରମ ଅଧିକାରୀ ଚିତ୍ତରଞ୍ଜନ ପରିଡାଙ୍କ ସମେତ ଗୋପ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ ୩୧ଟି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।