ନୂଆଦିଲ୍ଲୀ ୦୧।୧୧; ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ନୂଆ ଇନିଂସ। ତେଲଙ୍ଗାନା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଆଝାରୁଦ୍ଦିନ। ପୂର୍ବରୁ କଂଗ୍ରେସ ସାଂସଦ ଥିବା ଆଝାରୁଦ୍ଦିନ ବର୍ତ୍ତମାନ ତେଲଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି। ତେଲଙ୍ଗାନା ସରକାରରେ ଏବେ ଆଝାରୁଦ୍ଦିନଙ୍କ ସିଧାସଳଖ ପ୍ରବେଶ ହୋଇଛି। ତେଲଙ୍ଗାନା କ୍ୟାବିନେଟରେ ମୁସଲିମ ପ୍ରତିନିଧିତ୍ବ କମ୍ ଥିବାରୁ ଆଝାରୁଦ୍ଦିନଙ୍କୁ କ୍ୟାବିନେଟରେ ସାମିଲ କରାଯାଉଛି ବୋଲି ସୂଚନା ମିଳିଛି।
କଂଗ୍ରେସ ନେତା ତଥା ପୂର୍ବ କ୍ରିକେଟର ଆଝାରୁଦ୍ଦିନ ଶୁକ୍ରବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ରାଜଭବନରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ । ଆଝାରୁଦ୍ଦିନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଏବେ ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରିଙ୍କ ସଂଖ୍ୟା ୧୬ ରେ ପହଞ୍ଚିଛି। 
ଏବେ ବି ଆହୁରି ୨ ଟି ମନ୍ତ୍ରିପଦ ଖାଲି ରହିଛି । ବିଧାନସଭା ଆକାରକୁ ନେଇ ତେଲେଙ୍ଗାନା ସରକାରରେ ସର୍ବାଧିକ ୧୮ ମନ୍ତ୍ରୀ ରହିପାରିବେ । ମହମ୍ମଦ ଆଝାରୁଦ୍ଦିନ ଅଗଷ୍ଟମାସ ଶେଷ ସପ୍ତାହରେ ରାଜ୍ୟପାଳଙ୍କ କୋଟାରେ ବିଧାନ ପରିଷଦ ସଦସ୍ୟ ଭାବେ ନାମିତ ହୋଇଥିଲେ । ସେ ୨୦୨୩ ବିଧାନସଭା ନିର୍ବାଚନରେ ଜୁବଲି ହିଲ୍ ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଆଝାରୁଦ୍ଦିନ ୨୦୦୯ ମସିହାରେ କ୍ରିକେଟ ଛାଡ଼ି ରାଜନୀତିରେ ପାଦ ଦେଇଥିଲେ। କଂଗ୍ରେସ ଟିକେଟରୁ ସେ ଉତ୍ତରପ୍ରଦେଶର ମୁରାଦାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୨୦୧୪ ଓ ୨୦୨୩ ନିର୍ବାଚନରେ ପରାଜିତ ହୋଇଥିଲେ । ଏହାପରେ ସେ ୨୦୧୮ ମସିହାରେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ।