ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କ ପାଇଁ ପୁଣି ବଢ଼ିଛି ଅଡ଼ୁଆ। ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ୭.୪୪ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଆଟାଚ କରିଛି ଇଡି । ଏହି କାର୍ଯ୍ୟାନୁଷ୍ଠାନ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ନିଆଯାଇଛି।

ପ୍ରକୃତରେ ୨୦୧୭ ଅଗଷ୍ଟ ୨୪ରେ ସିବିଆଇ ରୁଜୁ କରିଥିବା ଏକ ଏଫଆଇଆର  ଆଧାରରେ ଏହି ସମ୍ପତ୍ତି ସିଜ୍ କରିଛି ଇଡି । ଏଥିରେ ଅଭିଯୋଗ ରହିଥିଲା ଯେ, ମନ୍ତ୍ରୀ ଥିବା ସମୟରେ ସତୈନ୍ଦ୍ର ଜୈନ ନିଜ ଆୟରୁ ଅଧିକ ସମ୍ପତ୍ତି କରିଛନ୍ତି।

ପୂର୍ବରୁ ମଧ୍ୟ ହୋଇଛି କାର୍ଯ୍ୟାନୁଷ୍ଠାନ

ଇଡି ଏହା ପୂର୍ବରୁ ୨୦୨୨ ମାର୍ଚ୍ଚ ୩୧ରେ ଜୈନଙ୍କ ସହ ଜଡ଼ିତ କମ୍ପାନିଙ୍କ ୪.୮୧ କୋଟି ଟଙ୍କାର ସମ୍ପତ୍ତି ଆଟାଚ କରିଥିଲା। ୨୦୨୨ ଜୁଲାଇ ୨୭ରେ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହା ଉପରେ ଅଦାଲତ ମଧ୍ୟ ସଜ୍ଞାନ ନେଇଥିଲେ।

ନଗଦ ଜମା ଏବଂ ବେନାମୀ ଖୁଲାସା

ଯାଞ୍ଚରୁ ମିଳିଥିଲା ଯେ, ନୋଟବନ୍ଦୀ ପରେ ପରେ ସତୈନ୍ଦ୍ର ଜୈନଙ୍କ ଘନିଷ୍ଠ ଅଙ୍କୁଶ ଜୈନ ଏବଂ ବୈଭବ ଜୈନ ଦିଲ୍ଲୀର ବ୍ୟାଙ୍କ୍ ଅଫ୍‌ ବରୋଦା, ଭୋଗଲ ବ୍ରାଞ୍ଚରେ ୭.୪୪ କୋଟି ଟଙ୍କା ନଗଦ ଜମା କରିଥିଲେ। ଏହି ଟଙ୍କା ସେ ଇନକମ୍ ଡିସକ୍ଲୋଜର ସ୍କିମ (IDS) ଅନୁଯାୟୀ ଆଡଭାନ୍ସ ଟ୍ୟାକ୍ସ ଭାବରେ ଭରିଥିଲେ।

ସେ ଦାବି କରିଥିଲେ ଯେ, ଏହି ଟଙ୍କା ତାଙ୍କ ଚାରି କମ୍ପାନି ଅକିଞ୍ଚନ ଡେଭଲପର୍ସ, ପ୍ରୟାସ ଇନଫୋସଲ୍ୟୁସନ, ମଙ୍ଗଳାୟତନ ପ୍ରୋଜେକ୍ଟସ ଏବଂ ଇଣ୍ଡୋ ମେଟାଲ ଇମ୍ପେକ୍ସରୁ ଆସିଛି। କିନ୍ତୁ ଆୟକର ବିଭାଗ ଏବଂ ଅଦାଲତ ମଧ୍ୟ ମାନିଛନ୍ତି ଯେ, ଏହି କମ୍ପାନି ପ୍ରକୃତରେ ସେତୈନ୍ଦ୍ର ଜୈନଙ୍କର। ଆଉ ଅଙ୍କୁଶ ବୈଭବ କେବଳ ତାଙ୍କର ବେନାମୀ। ଆୟକର ବିଭାଗ ଏବଂ ଦିଲ୍ଲୀ ହାଇକୋର୍ଟ ଉଭୟ ଜୈନଙ୍କ ସହଯୋଗୀଙ୍କୁ ବେନାମୀ ଧାରକ ବୋଲି କହିଥିଲେ। ତଥା ତାଙ୍କ ଅପିଲକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ମଧ୍ୟ ଏହି ନିଷ୍କର୍ଷକୁ ବଜାୟ ରଖିଥିଲେ।

ସମୁଦାୟ ୧୨.୨୫ କୋଟି ଟଙ୍କାର ସମ୍ପତ୍ତି ଜବତ

ଇଡି ଏହି ସୂଚନା ସିବିଆଇକୁ ମଧ୍ୟ ଦେଇଛି। ଯେଉଁ ଆଧାରରେ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ କରିଥିଲା ଆଉ ଜୈନଙ୍କୁ ବେନାମୀ ସମ୍ପତ୍ତିର ତଥ୍ୟ ବଢ଼ାଇଥିଲା। ଏବେ ଇଡି ୭.୪୪ କୋଟି ଆଉ ସମ୍ପତ୍ତି ଆଟାଚ କରିଛି। ଏହିଭଳି ଭାବରେ ଏପର୍ଯ୍ୟନ୍ତ ସମୁଦାୟ ୧୨.୨୫ କୋଟି ଟଙ୍କାର ପ୍ରପର୍ଟି ଆଟାଚ ହୋଇସାରିଛି। ଇଡି ଏବେ ଏହି ମାମଲାରେ ସପ୍ଲିମେଣ୍ଟାର ପ୍ରସିକ୍ୟୁସନ କମ୍ପ୍ଲେଣ୍ଟ ଦାଖଲ କରିବାକୁ ଯାଉଚି। ସେହିଭଳି ମାମଲାର ଶୁଣାଣି ନୂଆଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରେ ଚାଲିଛି।