LIVE TV

ଦୀର୍ଘ ୨୨ବର୍ଷ ଧରି ମଣ୍ଡପରେ ମା' ଦୁର୍ଗାଙ୍କ ନବରାତ୍ର ପୂଜା, ଛପନ ଭୋଗର ରହିଛି ସ୍ୱତନ୍ତ୍ର ପରମ୍ପରା

NEWS7
Dhenkanal

ଢେଙ୍କାନାଳ  : ଜଗତ ଜନନୀ ମା' ଦୁର୍ଗାଙ୍କ ଧରାବରଣ ପରେ ଚଳ ଚଞ୍ଚଳ ହୋଇ ଉଠିଛି ପୁରା ପଲ୍ଲୀରୁ ସହର । ତେବେ  ମା'ଦଶଭୁଜାଙ୍କ ପୂଜା ପରମ୍ପରାରେ ନବରାତ୍ର ଉପାସନାର ରହି ଆସିଛି ସ୍ୱତନ୍ତ୍ରତା। ଢେଙ୍କାନାଳ ସହରର ରାଧାକୃଷ୍ଣ ବଜାରରେ ସ୍ୱତନ୍ତ୍ର ଭାବେ ମଣ୍ଡପରେ ମୃଣୟୀ ମୂର୍ତ୍ତୀ ସ୍ଥାପନ କରାଯାଇ ନବରାତ୍ର ପୂଜା କରାଯାଉଛି। ଗତ ୨୦୦୪ମସିହାରୁ ନବରାତ୍ର ଦୁର୍ଗାପୂଜା ସାଂସ୍କୃତିକ ସମିତି ପକ୍ଷରୁ ମଣ୍ଡପରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରାତ୍ର ଅବସରରେ ମା'ଙ୍କ ମୃଣ୍ମୟୀ ମୂର୍ତି ସ୍ଥାପନ କରି ନବରାତ୍ର ପୂଜା ଆୟୋଜିତ ହୋଇଛି।

ନୀତିକାନ୍ତି ମୁତାବକ ଏହି ମଣ୍ଡପରେ ମା'ଙ୍କୁ ପ୍ରତ୍ୟେକ ଦିନ ଷୋଡ଼ଶ ଉପଚାରରେ ପୂଜା ଓ ଚଣ୍ଡୀ ହୋମ ଆଦି ପୂଜା କରାଯାଉଛି। ପୂଜା ମଣ୍ଡପରେ  ପ୍ରତ୍ୟେକ ଦିନ ଚଣ୍ଡୀ ହୋମ ଓ  ସନ୍ଧ୍ୟାରେ ନିଆରା ୧୦୮ଦୀପରେ ସନ୍ଧ୍ୟା ଆଳତି ପୂରା ଭକ୍ତିମୟ ପରିବେଶ ସୃଷ୍ଟି କରୁଛି।  ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କର ଏହି ଅପୂର୍ବ ଦର୍ଶନ ପାଇଁ ଆଖ ପାଖରୁ ଶହଶହ ସଂଖ୍ୟାରେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି। ମା'ଙ୍କ ଦର୍ଶନ ପାଇ ନିଜକୁ ବେଶ୍ ଧନ୍ୟ ମନେ  କରିବା ସହିତ ନିଜ ପରିବାରର ମଙ୍ଗଳ ମନାସୁଛନ୍ତି ମାନକଧାରୀ ଓ ଶ୍ରଦ୍ଧାଳୁ ।

ଏସବୁ ମଧ୍ୟରେ  ଏହି ମଣ୍ଡପରେ ମା'ଙ୍କ ର ପୂଜାରେ ବିଭିନ୍ନ ଭୋଗରାଗ ମଧ୍ୟରେ ଛପନ ଭୋଗର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। ବିଭିନ୍ନ କିସମର ପିଠା ପଣା , ସ୍ୱାଦିଷ୍ଠ ଫଳମୂଳ ଓ କଦଳୀ ନଡ଼ିଆ,  ଲିଆ ଉଖୁଡା ଆଡ଼ ଛପନ ପ୍ରକାର ଭୋଗରେ ମା'ଙ୍କୁ ସ୍ୱତନ୍ତ୍ର ଭାବେ ପୂଜା କରାଯାଉଛି। ଏହା ବ୍ୟତୀତ ମା'ଙ୍କ ପୂଜା ରୀତିନୀତି ମଧ୍ୟରେ ପ୍ରତେହ ମା'ଙ୍କର ବିଭିନ୍ନ ବେଶ ସାଙ୍ଗକୁ  ନବମୀ ତିଥିରେ କୁମାରୀ ପୂଜନ ଆଦିର ପରମ୍ପରା ରହିଥିବା ମଣ୍ଡପର ପୂଜକ କହିଛନ୍ତି।

ମଣ୍ଡପରେ  ମାଙ୍କ ପୂଜା ସହ ଘଣ୍ଟ ଘଣ୍ଟା, ହୋମ ଯଜ୍ଞ ଓ ଭକ୍ତ ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳିରେ କମ୍ପି ଉଠୁଛି ପୂରା ପରିବେଶ । ତା ସାଙ୍ଗକୁ ପୂଜକଙ୍କ ମନ୍ତ୍ରଧ୍ୱନୀ ଆଉ  ମା'ଙ୍କ ଚଣ୍ଡୀପାଠ ଓ ଭଜନ ଜଣାଣର ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଛି ପୂରା ଅଞ୍ଚଳ ।