ନୂଆଦିଲ୍ଲୀ: ଅନଲାଇନ୍ ବେଟିଂ ଏବଂ ଗେମିଂ ପ୍ଲାଟଫର୍ମ 1xBet ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ବଢ଼ିଲା ଖେଳାଳି ଏବଂ ଅଭିନେତାଙ୍କ ଅଡ଼ୁଆ। ଖୁବ ଶୀଘ୍ର ଇଡି ଏହି ମାମଲାରେ ଜଡ଼ିତ ଖେଳାଳି ଏବଂ ଅଭିନେତାମାନଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିବ। ସମ୍ପତ୍ତିଗୁଡ଼ିକୁ ଆଟାଚ୍ କରିବା ପରେ ED ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିବ।

ଇଡି ତଦନ୍ତରୁ ଜଣାପଡିଛି ଯେ, ଏଣ୍ଡୋର୍ସମେଣ୍ଟ ଫି’ ଦେଇ କିଣାଯାଇଥିବା ସମ୍ପତ୍ତିଗୁଡ଼ିକ ଅପରାଧିକ ଆୟରୁ ହୋଇଛି। କିଛି ସମ୍ପତ୍ତି ବିଦେଶରେ ଥିବା ସନ୍ଦେହ କରାଯାଉଛି। ଏପର୍ଯ୍ୟନ୍ତ କ୍ରିକେଟର ଯୁବରାଜ ସିଂହ, ସୁରେଶ ରୈନା, ରବିନ୍ ଉଥାପ୍ପା, ଶିଖର ଧାୱନ ଏବଂ ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ ଏବଂ ଅଙ୍କୁଶ ହାଜରାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଇଛି।

ଉର୍ବଶୀ ରୌତେଲା (ଭାରତରେ 1xBetର ଆମ୍ବାସଡର)ଙ୍କୁ ମଧ୍ୟ ସମନ କରାଯାଇଥିଲା। ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ। ଅନଲାଇନ୍ ବେଟିଂ ପ୍ଲାଟଫର୍ମ 1xBet ର ୨୨ କୋଟି ଭାରତୀୟ ଉପଭୋକ୍ତା ଅଛନ୍ତି। ଅବଶ୍ୟ କେନ୍ଦ୍ର ସରକାର ନିକଟରେ ହିଁ ଅନଲାଇନ୍ ଗେମିଂକୁ ନିଷିଦ୍ଧ କରିଛନ୍ତି।

ପ୍ରକୃତରେ ତଦନ୍ତରେ ଅନେକ ସେଲିବ୍ରିଟି ଏବଂ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି । ଏମାନେ ବେଟିଂ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ସହିତ ଟିକସ ଫାଙ୍କି ଏବଂ ନିବେଶକମାନଙ୍କୁ ଠକିବାର ଅଭିଯୋଗରେ ଅଭିଯୁକ୍ତ।

ଆହୁରି ମଧ୍ୟ ଏହି ମାମଲା ଏବେ ଆଉ ମନୋରଞ୍ଜନ ଏବଂ କ୍ରୀଡ଼ା ଜଗତ ପର୍ଯ୍ୟନ୍ତ ସୀମିତ ନାହିଁ। ବରଂ ଏହା ଆର୍ଥିକ ପ୍ରତିଷ୍ଠାନ ଏବଂ ଅନ୍ତର୍ଜାତୀୟ ପେମେଣ୍ଟ ଗେଟୱେ ସହିତ ଜଡ଼ିତ ଥିବା ପରି ଜଣାପଡ଼ୁଛି। ଏହି ଆପ୍ ପ୍ରଚାରରେ କିଏ ସମ୍ପୃକ୍ତ ଥିଲେ ଏବଂ ସେମାନେ ଏହା ସହ କେତେ ଗଭୀର ଭାବରେ ଜଡ଼ିତ ଥିଲେ ? ତାହା ଚିହ୍ନଟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ଧ୍ୟାନ ଦେଉଛି। ପ୍ରଚାର ପାଇଁ କେଉଁ ଚ୍ୟାନେଲ ମାଧ୍ୟମରେ ପେମେଣ୍ଟ କରାଯାଇଥିଲା? ହୱାଲା କିମ୍ବା ମନି ଲଣ୍ଡରିଂ ସମ୍ପୃକ୍ତ ଥିଲା କି ? ସେସବୁ ଦିଗ ଉପରେ ମଧ୍ୟ ଧ୍ୟାନ ଦେଉଛି ଇଡି।