ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ଡ୍ରୋନଟି ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଉପରେ ଉଡୁଥିବା ବେଳେ ଏହାକୁ ଜବତ କରିବାରେ ସଫଳ ହୋଇଛି ପୁରୀ ପୋଲିସ। ଏହା ସହ ଡ୍ରୋନ ଉଡ଼ାଇଥିବା ଯୁବକଙ୍କୁ ମଧ୍ୟ ଧରିବାରେ ପୋଲିସ ସକ୍ଷମ ହୋଇଛି ପୋଲିସ। ତେବେ ସିଂହଦ୍ଵାର ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ଯୁବକ ଜଣକ ହେଉଛନ୍ତି ଛତିଶଗଡ଼ର ଦୁର୍ଗାପ୍ରସାଦ ଯାଦବ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ ପୋଲିସ ନଜରକୁ ଆସିଥିଲା। ତୁରନ୍ତ ପୁରୀ ଏସପି ପ୍ରତୀକ ସିଂ, ଡ୍ରୋନ୍ ସହିତ ଏହାକୁ ଉଡ଼ାଉଥିବା ବ୍ୟକ୍ତିକୁ ଧରିବା ପାଇଁ ଏକ ଟିମ୍ ଗଠନ କରି ଚଢ଼ାଉ କରିଥିଲେ।

ତେବେ ଶନି ମନ୍ଦିର ନିକଟରୁ ଦୁର୍ଗାପ୍ରସାଦ ୟାଦବ ଡ୍ରୋନ୍ ଉଡାଉଥିବା ନେଇ ପୋଲିସ ଜାଣିବା ପରେ ତାଙ୍କୁ ସେଠାରୁ ଧରି ସିଂହଦ୍ଵାର ଥାନାକୁ ନେଇଥିଲା। ଡ୍ରୋନରେ ଶ୍ରୀମନ୍ଦିରର ସମ୍ବେଦନଶୀଳ ଭିଡିଓ ଉତ୍ତୋଳନ ହୋଇଥିବା ପୋଲିସ ଦେଖିବାକୁ ପାଇଛି। ଡ୍ରୋନରେ ଆଉ କେଉଁ ସ୍ଥାନର ଭିଡିଓ ଉତ୍ତୋଳନ ହୋଇଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ସେପଟେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି।