ନୂଆଦିଲ୍ଲୀ: କାବୁଲ ଉପରେ ବୋମାମାଡ଼ କରିଥିବା ପାକିସ୍ତାନକୁ ଭାରତରୁ କଡ଼ା ଚେତାବନୀ ଦେଲେ ତାଲିବାନର ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ। ଆଫଗାନିସ୍ତାନ ସାହସର ପରୀକ୍ଷା କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଭାରତ ଗସ୍ତରେ ଆସିଥିବା ମୁତ୍ତାକୀ ଶୁକ୍ରବାର ଭାରତକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଫଗାନିସ୍ତାନର ମାଟି କୌଣସି ଦେଶ ବିରୋଧରେ ବ୍ୟବହାର ହେବନି। ଅପରପକ୍ଷରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି।  

ସେପଟେ ପାକିସ୍ତାନ ତେହେରିକ ଏ ତାଲିବାନ ଉପଦ୍ରବର ଅତିଷ୍ଟ ହୋଇ ସେମାନଙ୍କୁ ଟାର୍ଗେଟ୍ କରି ଆଫାଗନିସ୍ତାନ ରାଜଧାନୀ କାବୁଲ ଉପରେ ବୋମାମାଡ଼ କରିଛି। ଟିଟିପିର ଆତଙ୍କବାଦରେ ଅତିଷ୍ଟ ହୋଇ ସେ ଏହି ଆକ୍ରମଣ କରିଥିବା ପରୋକ୍ଷରେ ସ୍ୱୀକାର କରିଛି ପାକିସ୍ତାନ। ଯେଉଁଥିରେ ଆଫଗାନିସ୍ତାନ କ୍ଷୁବ୍ଧ ହୋଇଛି।

ଭାରତ ଗସ୍ତରେ ଆସିଥିବା ମୁତ୍ତାକୀ କହିଛନ୍ତି “ ପାନ୍ତ ଅଞ୍ଚଳରେ ସୀମା ନିକଟରେ ଏକ ଆକ୍ରମଣ ହୋଇଛି। ପାକିସ୍ତାନର ଏଭଳି କାର୍ଯ୍ୟକୁ ଆମେ ଭୁଲ ବୋଲି ଭାବୁଛୁ। ୪୦ ବର୍ଷ ପରେ ଆଫଗାନିସ୍ତାନରେ ଶାନ୍ତି ଏବଂ ପ୍ରଗତି ହୋଇଛି। ଆଫଗାନବାସୀଙ୍କ ସାହସ ପରୀକ୍ଷା କରାଯିବା ଉଚିତ୍ ନୁହେଁ। ଯଦି କେହି ଏହା କରିବାକୁ ଚାହାଁନ୍ତି, ତେବେ ସେମାନେ ସୋଭିଏତ୍ ୟୁନିଅନ୍, ଆମେରିକା ଏବଂ ନାଟୋକୁ ପଚାରିବା ଉଚିତ। ଫଳରେ ସେମାନେ ବୁଝାଇପାରିବେ ଯେ ଆଫଗାନିସ୍ତାନ ସହିତ ଖେଳ ଖେଳିବା ଭଲ ନୁହେଁ।

ଆଫଗାନିସ୍ତାନ ଓ ପାକିସ୍ତାନକୁ ଲାଗି ଥିବା ଡୁରାଣ୍ଡ ଲାଇନକୁ ନେଇ ଉଭୟ ଦେଶ ମଧ୍ୟରେ ଶତ୍ରୁତା ଲାଗି ରହିଥିବା ଭେଳେ ସୀମା ପାର ଆତଙ୍କବାଦକୁ ନେଇ ମଧ୍ୟ ଦୁଇ ଦେଶର ସମ୍ପର୍କ ଚରମ ସ୍ଥିତିରେ ପହଁଛି। ଯାହାର ସୁଯୋଗ ନେଇ ଭାରତ ଆଫଗାନିସ୍ତାନ ସହିତ ସମ୍ପର୍କ ମଜଭତ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ତାଲିବାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ୮ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଶୁକ୍ରବାର ମୁତ୍ତାକୀ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ହାଇଦ୍ରାବାଦରେ ଭେଟି ଆଲୋଚନା କରିଥିଲେ। ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ଭାରତ କାବୁଲ ଦୂତାବାସ ଖୋଲିବାକୁ ରାଜି ହୋଇଛି।  

ବୈଠକ ପରେ ମୁତ୍ତାକୀ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ସୁରକ୍ଷା ସହଯୋଗ ଉପରେ ଆମର ବିସ୍ତୃତ ଆଲୋଚନା ହୋଇଛି। ଆମେ ଆଫଗାନିସ୍ତାନ କ୍ଷେତ୍ରକୁ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦେବୁ ନାହିଁ। ଏହି ପ୍ରସଙ୍ଗରେ ଉଭୟ ପକ୍ଷ ଯୋଗାଯୋଗରେ ରହିବେ। ସେ ଆଫଗାନିସ୍ତାନରେ ଭାରତର ବିକାଶ ପ୍ରକଳ୍ପଗୁଡ଼ିକୁ ଜାରି ରଖିବା ଏବଂ ବିସ୍ତାର କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏବଂ ଦ୍ୱିପାକ୍ଷିକ ବାଣିଜ୍ୟରେ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ମିଳିତ ବାଣିଜ୍ୟ କମିଟି ଗଠନ କରାଯିବ ବୋଲି ମୁତ୍ତାକୀ ଘୋଷଣା କରିଛନ୍ତି

ପାକିସ୍ତାନକୁ ଚେତାବନୀ ଦେଇ ମୁତ୍ତାକୀ କହିଛନ୍ତି “ଆମେ ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଁଛୁ ଯେ ଏହି ପଦ୍ଧତି(ସୀମା ପାର୍ ଆକ୍ରମଣ) ଦ୍ୱାରା ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ ନାହିଁ। ଆମେ ଆଫଗାନିସ୍ତାନରେ ପାକିସ୍ତାନର ଯେକୌଣସି ସୀମାପାର କାର୍ଯ୍ୟକୁ ନିନ୍ଦା କରୁଛୁ। ଆଫଗାନ ଲୋକଙ୍କ ଧର୍ଯ୍ୟ ଏବଂ ସାହସକୁ ଚ୍ୟାଲେଞ୍ଜ କରାଯିବା ଉଚିତ୍ ନୁହେଁ ବ୍ରିଟିଶ, ସୋଭିଏତ୍ ଏବଂ ଆମେରିକା କିଭଳି ଶିକ୍ଷା ପାଇଛନ୍ତି ତାକୁ ମନେ ରଖିବା ଉଚିତ ବୋଲି ସେ କହିଛନ୍ତି।

ଜୟଶଙ୍କର ମଧ୍ୟର ମୁତ୍ତାକୀଙ୍କ ସହିତ ସୀମା ପାର ଆତଙ୍କବାଦକୁ ନେଇ ଥିବା ଭାରତର ଚିନ୍ତା ବ୍ୟକ୍ତ କରିଥିଲେ। ଏବଂ ଆଫଗାନିସ୍ତାନର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସ୍ୱାଧୀନତା ପ୍ରତି ଭାରତର ସମର୍ଥନ ଦୋହରାଇଥିଲେଜୟଶଙ୍କର କହିଥିଲେ “ଆମ ମଧ୍ୟରେ ଘନିଷ୍ଠ ସହଯୋଗ ଆପଣଙ୍କ ଜାତୀୟ ବିକାଶ ସହିତ ଆଞ୍ଚଳିକ ସ୍ଥିରତାରେ ବି ଯୋଗଦାନ ଦିଏ। ଏହାକୁ ବୃଦ୍ଧି କରିବା ପାଇଁ, ମୋତେ କାବୁଲରେ ଭାରତର ବୈଷୟିକ ମିଶନକୁ ଭାରତୀୟ ଦୂତାବାସର ମାନ୍ୟତା ଦେବା ଘୋଷଣା କରି ଖୁସି ଲାଗୁଛି” ତାସହିତ ଆଫଗାନିସ୍ତାନକୁ ପୂର୍ବରୁ ମାନବିକା ସହାୟତା ଜାରି ରହିବ ବୋଲି ଜୟଶଙ୍କର ଘୋଷଣା କରିବା ସହିତ ମୁତ୍ତାକୀଙ୍କକୁ ବନ୍ଧୁତ୍ୱର ପ୍ରତୀକ ରୂପେ ୫ଟି ଆମ୍ବଲାନ୍ସ ଉପହାର ଦେଇଥିଲେ।

ଏହି ବୈଠକ ୨୦୨୧ ପରେ ଭାରତ ଏବଂ ତାଲିବାନ ମଧ୍ୟରେ ପ୍ରଥମ ଉଚ୍ଚସ୍ତରୀୟ ସମ୍ପର୍କକୁ ସୂଚାଉଛି। ଆଫଗାନିସ୍ତାନର ପୁନଃନିର୍ମାଣରେ ବିଲିୟନ ଡଲାରରୁ ଅଧିକ ନିବେଶ କରିଥିବା ଭାରତ, ମାନବୀୟ ସହାୟତା ପ୍ରଦାନ ଏବଂ ବିକାଶ ପ୍ରକଳ୍ପଗୁଡ଼ିକୁ ବଜାୟ ରଖିବା ଜାରି ରଖିଛି। ତେଣୁ ଏ ଦୃଷ୍ଟିରୁ ଆଫଗାନିସ୍ତାନ ଭାରତ ପାଇଁ ଜରୁରୀ। ଯଦିଓ ନୂଆଦିଲ୍ଲୀ ଆନୁଷ୍ଠାନିକ ଭାବରେ ତାଲିବାନ ସରକାରଙ୍କୁ ସ୍ୱୀକୃତି ଦେଇନାହିଁ, ଏହି ଆଲୋଚନା ଏକ ରଣନୈତିକ ପୁନଃସନ୍ତୁଳନରେ ସଙ୍କେତ ଦେଉଛି