ମୁମ୍ଵାଇ ୧୦।୦୯; କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପା । ରେଣୁକାସ୍ୱାମୀ ହତ୍ୟା ମାମଲାକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ମାମଲାରେ ଅଭିନେତା ଦୀର୍ଘ ସମୟ ଧରି ଜେଲରେ ଅଛନ୍ତି। ତଥାପି, ଦର୍ଶନଙ୍କ ସମସ୍ୟା କମୁନାହିଁ ଏବଂ ଏବେ ସେ ଜେଲରେ ରହି ରହି ବିରକ୍ତ ହୋଇଗଲେଣି । କେବଳ ଏତିକି ନୁହେଁ, ଦର୍ଶନ କୋର୍ଟରୁ ଏକ ବଡ଼ ଜିନିଷ ମଧ୍ୟ ଦାବି କରିଛନ୍ତି। 
ଦର୍ଶନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬୪ତମ ସିଟି ସିଭିଲ୍ ଏବଂ ସେସନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଦର୍ଶନ କହିଥିଲେ ଯେ ଏବେ ତାଙ୍କ ପାଇଁ ଜେଲ ଭିତରେ ରହିବା କଷ୍ଟକର ହୋଇଗଲାଣି। ଅଭିନେତା କହିଥିଲେ ତାଙ୍କ ହାତରେ ଫଙ୍ଗସ୍‌ ଲାଗି ଯାଇଛି । ପୋଷାକ ଗନ୍ଧଉଛି । ଦୀର୍ଘଦିନ ହେଲା ସେ ସୂର୍ଯ୍ୟକିରଣ ଦେଖିନାହାନ୍ତି । ଏଭଳି ଭାବେ ବଞ୍ଚି ହେବ ନାହିଁ । ଦୟାକରି ମୋତେ ବିଷ ଦିଅ। ମୋ ପାଇଁ ଏହି ଜୀବନ ବଞ୍ଚିବା କଷ୍ଟକର ହୋଇଗଲାଣି। ଦର୍ଶନଙ୍କ ଏହି ଆବେଦନ ଉପରେ ବିଚାରପତି ତାଙ୍କୁ କହିଥିଲେ ଯେ ଏହା ହୋଇପାରିବ ନାହିଁ । ଏଭଳି ନିର୍ଦ୍ଦେଶ ଦେବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । କୋର୍ଟ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧୯ ଯାଏ ସ୍ଥଗିତ ରଖିଛନ୍ତି।
ସୂଚନା ଥାଉକି, କନ୍ନଡ଼ ଅଭିନେତା ଦର୍ଶନ ନିଜର ଜଣେ ପ୍ରଶଂସକ ରେଣୁକାସ୍ୱାମୀଙ୍କ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଗତବର୍ଷ ଜୁନ୍‌ ମାସରେ ଗିରଫ ହୋଇଥିଲେ। ରେଣୁକାସ୍ୱାମୀ ଦର୍ଶନଙ୍କ ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଥିଲେ । ସେଥିଯୋଗୁ ଉତ୍‌କ୍ଷିପ୍ତ ହୋଇ ଦର୍ଶନ ତାଙ୍କୁ ଅପହରଣ କରିବା ସହିତ ହତ୍ୟାକରି ଡ୍ରେନ୍‌ରେ ଫିଙ୍ଗି ଦେଇଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଗତବର୍ଷ ଡିସେମ୍ବରରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କାରେ ସୁପ୍ରିମକୋର୍ଟ ଚଳିତବର୍ଷ ଅଗଷ୍ଟ ୧୪ରେ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ । ଏଥିସହ ଜେଲ୍‌ରେ ତାଙ୍କୁ କୌଣସି ପ୍ରକାର ସ୍ୱତନ୍ତ୍ର ସୁବିଧା ଦେବାକୁ ମନା କରିଥିଲେ ।