LIVE TV

ଅଫର ଦେଇ ଲୁଟୁଛନ୍ତି ଇ-କମର୍ସ କମ୍ପାନୀ: ଯାଞ୍ଚ ଆରମ୍ଭ କଲେ ସରକାର, ହେବ କଡ଼ା କାର୍ଯ୍ୟାନୁଷ୍ଠାନ

NEWS7
Dark pettern of cash-on-delivery payments, Centre launches probe

ଭୁବନେଶ୍ୱର: ଏଥର ଫେଷ୍ଟିଭ ସିଜନରେ ଇ-କମର୍ଶ କମ୍ପାନୀଗୁଡ଼ିକର ଲୋଭନୀୟ ଅଫର ଦେଖି ଆପଣମାନେ ଖୁବ୍‌ କିଣାକିଣି କରିଥିବେ। ଆଉ ଆପଣମାନଙ୍କର ଏହି ଇଣ୍ଟରେଷ୍ଟକୁ ଦେଖି ଇ-କମର୍ସ କମ୍ପାନୀମାନେ ଏହାର ଫଇଦା ଉଠାଇଛନ୍ତି। କ୍ୟାସ୍‌ ଅନ ଡେଲିଭରିରେ ଏକ୍ସଟ୍ରା ଚାର୍ଜ ନେଇ। ଯାହା ଏବେ ସରକାରଙ୍କ ଦୃଷ୍ଟି ଗୋଚର ହୋଇଛି। ଆଉ ସରକାର ଏହାକୁ ଡାର୍କ ପେଟର୍ଣ୍ଣ କହିବା ସହିତ ତଦନ୍ତ ଆରମ୍ଭ କରିଦେଇଛନ୍ତି।
କ୍ୟାସ୍-ଅନ୍-ଡେଲିଭରି ବା ସିଓଡି ଅର୍ଡର ପାଇଁ ଏକ୍ସଟ୍ରା ଚାର୍ଜ ବା ଅତିରିକ୍ତ ଶୁଳ୍କ ଆଦାୟ କରୁଥିବା ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ଉପରେ ସରକାର ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରି ଦେଇଛନ୍ତି। ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ। ସିଓଡି ପାଇଁ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ନେଉଥିବା ଅତିରିକ୍ତ ଶୁଳ୍କ ଏକ ପ୍ରକାର ଡାର୍କ ପ୍ୟାଟର୍ନ। ଚଳିତ ବର୍ଷ ଅଭିଯୋଗ ମିଳିବା ପରେ ବିଭାଗ ତଦନ୍ତକୁ ଜୋରଦାର କରିଛି ବୋଲି ଲେଖିଛନ୍ତି।"
ଇ-କମର୍ସ ପ୍ଲାଟଫର୍ମ ଗୁଡ଼ିକ ସିଓଡି ଉପରେ ଅଧିକ ପଇସା ନେବା ଡ୍ରିପ ପ୍ରାଇସିଂର ଉଦାହରଣ। ଏହା ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଥିବା ୧୩ଟି କଳା ପ୍ୟାଟର୍ନ ମଧ୍ୟରୁ ଗୋଟିଏ। ଇ-କମର୍ଶରେ ସ୍ୱଚ୍ଛତା ବଜାଇ ରଖିବା ପାଇଁ ଏଭଳି କରୁଥିବା ଇ-କମର୍ଶ ପ୍ଲାଟଫର୍ମଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।  


ବର୍ତ୍ତମାନ ଇ-କମର୍ସ କମ୍ପାନୀଗୁଡ଼ିକ ଡ୍ରିପ୍ ପ୍ରାଇସିଂ ଅର୍ଥାତ ଅର୍ଡର ଶେଷ ପର୍ଯ୍ୟାୟରେ ଲୁଚାଇ ରଖିଥିବା ଶୁଳ୍କ ଯୋଡ଼ିବା, ଫଲ୍ସ ଅର୍ଜେନ୍ସି- ଅର୍ଥାତ୍ କେବଳ ଗୋଟିଏ ଆଇଟମ ରହିଯାଇଛି ବୋଲି ଗ୍ରାହକଙ୍କୁ ମିଛ କଥା କହିବା, ସବ୍ସକ୍ରିପସନ ଟ୍ରାପ୍ସ ବା ସହଜରେ ରଦ୍ଦ ହେଉ ନଥିବା ମେମ୍ବରସିପ୍‌ର ଫର୍ମୁଲା ଓ ସିଓଡି ଉପରେ ଏକ୍ସଟ୍ରା ଚାର୍ଜ ଆଦି ଡାର୍କ ପେଟର୍ଣ୍ଣନ୍ସ ଗୁଡ଼ିକ ଅଧିକ ବ୍ୟବହାର କରି ଗ୍ରାହକଙ୍କୁ ହଇରାଣରେ ପକାଉଛନ୍ତି। ଜୁଲାଇ ମାସରେ, ଜେପ୍ଟୋ ଭଳି ପ୍ଲାଟଫର୍ମ ବିରୁଦ୍ଧରେ ସୋସିଆଲ ମିଡିଆରେ ଅଭିଯୋଗ ଆସିଥିଲା। ଚେକଆଉଟ୍ ସମୟରେ କମ୍ପାନୀ ଗ୍ରାହକଙ୍କ ଠାରୁ କ୍ୟାସ ହ୍ୟାଣ୍ଡେଲିଂ ଫି ଯୋଡ଼ିଥିଲା ବୋଲି ଅଭିଯୋଗ ହୋଇଥିଲା।
ମାତ୍ର କେଇ ମିନିଟ୍ ମଧ୍ୟରେ ରାସନ ସାମଗ୍ରୀ ପହଞ୍ଚାଉଥିବା କ୍ୱିକ କମର୍ସ କମ୍ପାନୀଗୁଡ଼ିକ ଚୁପଚାପ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ଲଦି ଦେଉଛନ୍ତି। ଡେଲିଭରି ବ୍ୟତୀତ, ସେମାନେ ହ୍ୟାଣ୍ଡଲିଂ ଚାର୍ଜ, ମେମ୍ବର୍ସିପ୍ ଫି, ରେନ ଫି, ପ୍ରୋସେସିଂ ଫି, ପ୍ଲାଟଫର୍ମ ଫି ଏବଂ ପିକ୍ ଆୱାର ସମୟରେ ସର୍ଜ ଚାର୍ଜ ମଧ୍ୟ ଆଦାୟ କରନ୍ତି। ଷ୍ଟାଣ୍ଡାର୍ଜ ଡେଲିଭରି ଏବଂ ପ୍ଲାଟଫର୍ମ ଚାର୍ଜ ବ୍ୟତୀତ କମ୍ପାନୀଗୁଡ଼ିକ ଏହିସବୁ ଅତିରିକ୍ତ ଚାର୍ଜ ଆଦାୟ କରୁଛନ୍ତି। ଯାଞ୍ଚରେ ଯଦି କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଜରିମାନା ସହିତ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।