କଟକ: ଏବେ ଅଶାନ୍ତ ଭାଇଚାରାର ସହର କଟକ। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗା ମେଢ଼ ଭସାଣି ବେଳେ ହାତୀ ପୋଖରୀଠାରେ ଘଟିଥିବା ଗଣ୍ଡଗୋଳ ପରବର୍ତ୍ତୀ ସମୟରେ ନେଇଛି ଉଗ୍ରରୂପ। କଟକରେ ଏବେ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗି ରହିଥିବା ବେଳେ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ତେବେ ଏହି ଘଟଣା ଅନେକ ଆହତ ହୋଇଥିବା ବେଳେ ବିଭିନ୍ନ ମହଲରେ ଏହାକୁ ଖୁବ୍ ନିନ୍ଦା କରାଯାଇଛି। କାହିଁକି ନା ଭାଇଚାରାର ସହରରେ ଏମିତି ଗଣ୍ଡଗୋଳକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ହୁଏତ କଟକବାସୀ ନିକଟ ଅତୀତରେ ଏମିତି କର୍ଫ୍ୟୁ ଦେଖି ନଥିବେ। କାହିଁକି ନା ସହରରେ ବିଗତ ବର୍ଷମାନ ଏମିତି କିଛି ଘଟି ହିଁ ନାହିଁ।

ନିକଟ ଅତୀତ ନ ହେଲେ ବି ଏମିତି କର୍ଫ୍ୟୁ ୧୯୯୧ ମସିହାରେ ଲାଗିଥିବା କହିଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ। ସେ କହିଛନ୍ତି, ସେତେବେଳେ ମଣ୍ଡଳ କମିଶନ ରିପୋର୍ଟ ଆସିବା ପରେ କଟକରେ ଏହାର ଭଲ ଦିଗ ଓ ଖରାପ ଦିଗ ଆଲୋଚନା ନ କରି ଏହାକୁ ଉଗ୍ର କରାଇଥିଲେ। ଏହାପରେ ସେଠାରେ କର୍ଫ୍ୟୁ ଲାଗିଥିଲା। କମ୍ୟୁନାଲ ଘଟଣା ଘଟିଥିବା ମୋ ଜାଣିବାରେ ହୋଇନି। ଏହା ଏକ ଅଭାବନୀୟ ଘଟଣା। ଭସାଣି ଯାଉଥିବା ରାସ୍ତା ସଂଖ୍ୟା ଲଘୁ ବସବାସ କରୁଥିବା ଅଞ୍ଚଳ। ବର୍ଷ ବର୍ଷ ଦେଇ ସେହି ରାସ୍ତା ଦେଇ ମେଢ଼ ଯାଉଛି । ପ୍ରାୟ ପ୍ରତିବର୍ଷ ସଂଖ୍ୟାଲଘୁମାନେ ମେଢ଼ ଶୋଭାଯାତ୍ରାକୁ ସମ୍ବର୍ଦ୍ଧନା ଦିଅନ୍ତି। ସବୁ ଧର୍ମର ସବୁ ପରମ୍ପରାକୁ ସମସ୍ତେ ମିଳିମିଶି ପାଳନ କରନ୍ତି। ସମସ୍ତେ ଚାହାନ୍ତି ଏବେ ଶାନ୍ତି ଫେରିଆସୁ।  ଲୋକଙ୍କୁ ଉସୁକେଇଲା ପରି କିଛି କହିବା ଅନୁଚିତ। କଟକ ହେଉଛି ଏକ ବିବେକି ସହର। ଲୋକମାନେ ଏହା ବୁଝିଯିବେ। ତତ୍କାଳ ପରିସ୍ଥିତିରେ ଏପରି କିଛି ଘଟିଗଲା। ଏବେ ସହର ଶାନ୍ତ ଅଛି। ଏଥିରେ ଆମେ ବିଚଳିତ ହେବା ଉଚିତ ନୁହେଁ।

ତେବେ  ଯାହା ଘଟିଲା ତାହା ଯୋଜନା ବଦ୍ଧ ନୂହେଁ ତାତ୍କାଳିକ ପରିସ୍ଥିତିରେ ହୋଇଥାଇପାରେ। କିନ୍ତୁ ୩ଟି ଦିଗ ତଦନ୍ତ ସାପେକ୍ଷ। ପ୍ରଥମ ଟି ହେଲା ଯଥେଷ୍ଟ ଫୋର୍ସ ମୁତୟନ ଥିଲେ ନା ନାହିଁ? ଦ୍ବିତୀୟରେ ଫୋର୍ସ ଠାରୁ ଲୋକେ ଅଧିକ ହୋଇଗଲେ କି?  ତୃତୀୟଟି ପ୍ରଶାସନର କିଛି ମ୍ୟାନେଜମେଣ୍ଟ ଡିଫିକଲଟି ରହିଗଲା କି? ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ରାଜନେତା ପ୍ରଭାତ ତ୍ରିପାଠୀ।