ପୁରୀ: ବିଶ୍ବାସ ଓ ଭକ୍ତିର ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ବିନା ଯେମିତି ଏ ସଂସାରର ଅସ୍ତିତ୍ବ ବୋଲି କିଛିନାହିଁ। ତାଙ୍କଠାରୁ ସୃଷ୍ଟିର ଆରମ୍ଭ, ତାଙ୍କ ଠାରେ ହିଁ ଶେଷ। ଏଥିପାଇଁ ତ’ ରୋଗାକ୍ରାନ୍ତ ମାଆଟିଏ ଇଚ୍ଛା କରିଛି ଜୀବନ ଯିବା ପୂର୍ବରୁ ଟିକେ ଚକା ଆଖିର ଦର୍ଶନ କରିବ। ଆଉ ରୋଗାକ୍ରାନ୍ତ ମାଆର ଅନ୍ତିମ ଇଛା ପୂରଣ କରିବା ପାଇଁ ଷ୍ଟ୍ରେଚରରେ ନେଇଆସିଛନ୍ତି ପୁଅ ଝିଅ। ସୋମବାର ସନ୍ଧ୍ୟାରେ ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ସିଂହଦ୍ବାର ସମ୍ମୁଖରେ।

ଭୁବନେଶ୍ବରର ଏହି ବୃଦ୍ଧା ଜଣକ ରୋଗାକ୍ରାନ୍ତ ଅବସ୍ଥାରେ ଥିବାବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ନିଜ ପୁଅ ଝିଅକୁ ଅନୁରୋଧ କରିଥିଲେ। ଆଉ ଜନ୍ମକଲା ମାଆର ଶେଷ ଇଛା ପୁରଣ କରିବା ପାଇଁ ପୁଅ ଝିଅ ମଧ୍ୟ ସଙ୍କୋଚ ପ୍ରକାଶ କରିନଥିଲେ। ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ପୁରୀ ଆଣିଥିଲେ ପୁଅ ଝିଅ। ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ମାଙ୍କୁ ଆଣି ପତିତପାବନ ଦର୍ଶନ କରାଇଥିଲେ। ଦର୍ଶନ କରି ବୃଦ୍ଧା ଜଣକ ଛଳଛଳ ଆଖିରେ ଖୁସି ପ୍ରକଟ କରିଛନ୍ତି। ଖାଲି ସେତିକି ନୁହେଁ ପୁଅ ଝିଅ ତାଙ୍କର ସବୁଇଛା ପୂରଣ କରିଥିବାରୁ ମହାପ୍ରଭୁଙ୍କ ତାଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ ବୋଲି ଠାକୁରଙ୍କ ନିକଟରେ ବୃଦ୍ଧା ଜଣକ ପ୍ରାର୍ଥନା କରିଛନ୍ତି। ଆଉ ମାଆଙ୍କର ଶେଷ ଇଚ୍ଛା ପୂରଣ କରି ପୁଅ ଝିଅ ମଧ୍ୟ ବେଶ୍ ଆନନ୍ଦିତ।‌

ସେପଟେ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ସୁନ୍ଦର ଦୃଶ୍ୟକୁ ଯିଏ ଦେଖିଛି ସିଏ ଭାବ ବିହ୍ବଳ ହୋଇପଡ଼ିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ପୁଅ ଝିଅଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଦେଖି ବେଶ୍ ପ୍ରଶଂସା କରିଛନ୍ତି।