ପୁରୀ ୧: ପଞ୍ଚୁକରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ଏବଂ ପୁରୀ ଏସପିଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରାଯାଇଛି । ପଞ୍ଚୁକ ପାଇଁ ସୁରକ୍ଷା ଦାୟିତ୍ବରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ, ୩୦୦ ହୋମଗାର୍ଡ, ଅତିରିକ୍ତ ଏସପି ୫ ଜଣଙ୍କ ସହିତ ବ୍ୟାପକ ମାତ୍ରାରେ ଡିଏସପି ଏବଂ ଏଏସଆଇଙ୍କୁ ମୁତୟନ କରାଯିବ । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡର ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏଁ ହୋଇଛି ବ୍ୟାରିକେଡ଼ । ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ବାଇକ ଦ୍ବାରା ପାଟ୍ରୋଲିଂ କରାଯିବ । ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ହୋଇଛି ଡ୍ରାଗିଙ୍ଗ ଟିମ୍ । ଦର୍ଶନ ସରିବା ପରେ ଏହି ଟିମ୍ ଭକ୍ତଙ୍କୁ ଶ୍ରୀମନ୍ଦିର ବାହାରକୁ ପ୍ରସ୍ଥାନ କରାଇବେ । ଶ୍ରଦ୍ଧାଳୁମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ।

ଆନ୍ଧ୍ର ଶ୍ରୀକାକୁଲମ୍ ଭେଙ୍କଟେଶ ମନ୍ଦିରରେ ଦଳାଚକଟା ଘଟଣାରେ ଭକ୍ତଙ୍କ ମୃତ୍ୟୁକୁ ନେଇ ସତର୍କ ରହିଛି ପୁରୀ ପୋଲିସ । ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏକାଧିକ ଟିମ୍ ଗଠନ କରାଯାଇଛି ।‌ ଏହି ଟିମ୍‌ ଭିଡକୁ ନିୟନ୍ତ୍ରଣ କରିବା ସହ ଦର୍ଶନ କରି ସାରିଥିବା ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଇବେ । ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ବେଳାଭୂମିରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଲାଇଫ ଗାର୍ଡ ମାନଙ୍କୁ ମୁତୟନ କରାଯିବ । ସେପଟେ ପୁରୀ ଏସପି ପ୍ରତୀକ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି ପଞ୍ଚୁକ ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ପୂର୍ବ ଅପେକ୍ଷା ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଓ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ଭଲଭାବରେ ଭିଡ଼ ନିୟନ୍ତ୍ରଣ କରାଯିବ । ଫଳରେ ଦଳାଚକଟା ସ୍ଥିତି ଉପୁଜିବ ନାହିଁ । ଶ୍ରୀମନ୍ଦିର ଭିତରେ ଏବଂ ବାହାର ବେଢାକୁ ଫାଙ୍କା ରଖିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ୍ ମୁତୟନ ରହିବେ । ତେବେ ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ଶ୍ରୀମନ୍ଦିର ଭିତରେ ୨୪ ଘଣ୍ଟିଆ ମୁତୟନ ରହିବେ । କୌଣସି ଜରୁରୀ ପରିସ୍ଥିତି ହେଲେ ଭିଏଚଏଫ୍ ଦ୍ବାରା ଯୋଗାଯୋଗ କରାଯିବା ବ୍ୟବସ୍ଥା ହୋଇଛି । ନାଟମଣ୍ଡପରେ ଭିଡ଼ ନିୟନ୍ତ୍ରଣ ପାଇଁ ଅଭିଜ୍ଞ ପୋଲିସ ଅଧିକାରୀ ମୁତୟନ ରହିବେ ।

ସେହିପରି ଟ୍ରାଫିକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ ଚକିଆ ଯାନ ଗୁଡିକ ମାର୍କେଟ ଛକ ମ୍ୟୁନିସିପାଲିଟି ଠାରେ ଥିବା ପାର୍କିଂରେ ଗାଡ଼ି ରଖିବେ । ଚାରିଚକିଆ ଗାଡ଼ି ଗୁଡକ ଜଗନ୍ନାଥ ବଲ୍ଲଭ, ଜେଲ୍ ରୋଡରେ ପାର୍କିଂ କରିବେ । କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆରେ ପାର୍କିଂ କରିବେ । ବିଭିନ୍ନ ପ୍ରବେଶ ପଥରେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଟ୍ରାଫିକକୁ ପରିଚାଳନା କରିବେ । ପୁରୀ ବେଳାଭୂମିର ଦିଗବାରେଣି ଛକ ଠାରୁ ଯାତ୍ରୀକା ପର୍ଯ୍ୟନ୍ତ ନୋ ଭେହିକିଲ୍ ଜୋନ୍ ରହିବ । ଦିଗବାରେଣି ଓ ଯାତ୍ରୀକା ପାର୍କିଂରେ ଗାଡ଼ି ଗୁଡିକ ଲୋକମାନେ ପାର୍କିଂ କରିପାରିବେ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵକୁ ନୋ ଭେହିକିଲ୍ ଜୋନ୍ ରହିବ। କାର୍ତ୍ତିକ ପୂର୍ଣ୍ଣିମାରେ ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେହିକିଲ୍ ଜୋନ୍ ରହିବ ବୋଲି କହିଛନ୍ତି ପୁରୀ ଏସପି ।