LIVE TV

କ୍ୟାବ୍ ଡ୍ରାଇଭର ବିଦ୍ୟାଧରଙ୍କ ମୃତ୍ୟୁ ସସ୍‌ପେନ୍ସ : ମୃତ୍ୟୁ ପଛରେ ଜବ୍‌ ସ୍କାମ୍ ! ମାଷ୍ଟର ମାଇଣ୍ଡକୁ ଖୋଜୁଛି ପୋଲିସ

NEWS7
Cab driver

ଭୁବନେଶ୍ବର ୨୧।୯: କୁଆଡ଼େ ଗଲେ ୪୨୦ ମ୍ୟାଡାମ୍ ? ଚନ୍ଦକାରୁ କ୍ୟାବ୍ ଡ୍ରାଇଭରଙ୍କ ମୃତଦେହ ମିଳିବା ଘଟଣାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହି ଘଟଣା ପାଇଁ ଚାକିରି କେଳେଙ୍କାରୀ କଥା ସାମ୍ନାକୁ ଆସିଛି । କ୍ୟାବ୍ ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା । ଜଣେ ମ୍ୟାଡାମ୍‌ଙ୍କ ପାଇଁ ଜୀବନ ଚାଲିଯାଇଥିବା କୁହାଯାଉଛି । ଚାକିରି ଦେବାକୁ କହି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିଛନ୍ତି ମ୍ୟାଡାମ୍ । ବରମୁଣ୍ଡା ଅଞ୍ଚଳରେ କନସଲଟାନ୍ସି ଫାର୍ମ କରିଥିଲେ । ତାଙ୍କ ନିକଟରେ କାମ କରୁଥିଲେ ଟ୍ୟାକ୍ସି ଡ୍ରାଇଭର । ଚାକିରି ନାଁରେ ଠକେଇ ପରେ, ଟଙ୍କା ଫେରି ନପାଇବାରୁ ଆଶାୟୀ ପ୍ରାର୍ଥୀ ମାନେ ମିଶି ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ କରିଥିଲେ । ସେପଟେ ଅପହରଣକାରୀଙ୍କ ଘରେ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ପୋଲିସ I ଯାଜପୁର ଅଞ୍ଚଳରେ ଆତ୍ମହତ୍ୟା କରିବା ପରେ ଚନ୍ଦକା ଅଞ୍ଚଳରେ ମୃତଦେହ ମିଳିଥିବା ସନ୍ଦେହ କରୁଛି ପୋଲିସ । ଅପହରଣ କରିଥିବା ଯୁବକ ମାନେ ଗଜପତି ଜିଲ୍ଲାର ବୋଲି ସନ୍ଦେହ କରାଯାଉଛି । ଏପରିକି କିଛି କଲେଜ ଛାତ୍ରଙ୍କ ସମ୍ପୃକ୍ତି ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ । ହତ୍ୟାକାଣ୍ଡ ପରେ ୪୨୦ ମ୍ୟାଡାମ୍ ଫେରାର ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଗାଡ଼ି ଧରି ଘରକୁ ଫେରିନଥିଲେ ଖୋର୍ଦ୍ଧା ବାଣପୁର ଅରାଙ୍ଗ ଗାଁର ବିଦ୍ୟାଧର ସାହୁ । ସ୍ତ୍ରୀଙ୍କୁ ଫୋନ୍‌ କରି କହିଥିଲେ ତୁମେ ଖାଇଦିଅ, ମୁଁ ପଛରେ ଯିବି । ହେଲେ ସେଦିନ ଆଉ ଘରକୁ ଫେରିନଥିଲେ ବିଦ୍ୟାଧର । ୧୬ ତାରିଖ ସଂଧ୍ୟାରେ ପୁଣି ସ୍ତ୍ରୀଙ୍କୁ ଫୋନ୍‌ କରିଥିଲେ ବିଦ୍ୟାଧର । କହିଥିଲେ, ଯାଜପୁର ଭଡ଼ା ମିଳିଥିବାରୁ ସେ ଯାଉଛନ୍ତି । ୧୬ ରାତି ୯ଟାରେ ବିଦ୍ୟାଧରଙ୍କ କାର୍‌ ମଙ୍ଗୁଳି ଟୋଲ ଗେଟ୍‌ ପାର୍‌ କରିଥିବା ଫାସ୍‌ଟ୍ୟାଗ୍‌ ମେସେଜରୁ ଜଣାପଡ଼ିଥିଲା । ସେହିଭଳି ୧୭ ତାରିଖ ସକାଳ ୬ଟାରେ ପୁଣି ସେହି ମଙ୍ଗୁଳି ଟୋଲଗେଟ୍‌ କ୍ରସ୍‌ କରିଛି ବିଦ୍ୟାଧରଙ୍କ କାର୍‌ । ଅର୍ଥାତ୍‌ ସେ ୧୭ ତାରିଖ ସକାଳୁ ଯାଜପୁରରୁ ଭୁବନେଶ୍ବର ଫେରିଥିବା ଅନୁମାନ କରାଯାଉଛି । ବିଦ୍ୟାଧରଙ୍କ ସାନଭାଇଙ୍କ ମୋବାଇଲକୁ ଆସିଥିବା ଫାସଟ୍ୟାଗ୍‌ ମେସେଜରୁ ଏହା ସ୍ପଷ୍ଟ ହୋଇଛି ।

ତେବେ ୧୭ ତାରିଖ ଦିନ ବିଦ୍ୟାଧର ଘରକୁ ନଫେରିବାରୁ ସନ୍ଦେହ କରିଥିଲେ ପରିବାର ଲୋକ । ଆଉ ବଡ଼ଗଡ଼ ଥାନାରେ ଏନେଇ ଅଭିଯୋଗ କରିଥିଲେ । ତେବେ ଗତ ଦୁଇ ଦିନ ହେଲା କୌଣସି ଏକ ଅଜଣା ନମ୍ବରରୁ ବିଦ୍ୟାଧରଙ୍କ ପରିବାର ପାଖକୁ ଲଗାତର ଫୋନ୍‌ ଆସୁଥିଲା । ବିଦ୍ୟାଧରଙ୍କ ବଦଳରେ ୨ କୋଟି ଟଙ୍କା ଦାବି କରୁଥିଲେ ଅପହରଣକାରୀ । ଆଉ ଶନିବାର ସକାଳେ ଚନ୍ଦକା ରାସ୍ତାରେ ବିଦ୍ୟାଧରଙ୍କ କାର୍‌ ଠିଆ ହୋଇଥିବା ଦେଖିଥିଲେ ତାଙ୍କ ଗାଁର ଜଣେ ଡ୍ରାଇଭର । ସେଠାରେ ସେ ଅଟକି ଦେଖିବା ବେଳକୁ ରାସ୍ତାକଡ଼ ବୁଦା ମୂଳେ ପଡ଼ିଥିଲା ବିଦ୍ୟାଧରଙ୍କ ମୃତଦେହ । ଏହା ପରେ ପିସିଆର୍‌ ଭ୍ୟାନ୍‌ ଓ ବିଦ୍ୟାଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସମ୍ପୃକ୍ତ ଡ୍ରାଇଭର ଜଣକ ।

ଘଟଣାସ୍ଥଳରେ ବଡ଼ଗଡ଼ ଓ ଚନ୍ଦକା ଥାନା ପୋଲିସ ସହ ପହଞ୍ଚିଥିଲା ସାଇଣ୍ଟିଫିକ୍‌ ଟିମ୍‌ । ବିଦ୍ୟାଧରଙ୍କ ବେକରେ ଏକ ଧଳା ଗାମୁଛା ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏଥିସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ରହିଛି । ପାଖ ରାସ୍ତାରେ ଏକ କଳା ରଙ୍ଗର ଛତା ଓ ଏକ ମନିପର୍ସ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ତଦନ୍ତ ଜାରି ରଖିଥିଲା ପୋଲିସ ।