LIVE TV

ଆସିଗଲା ତାରିଖ, ଏହି ଦିନ ଲଞ୍ଚ ହେବ BSNL ୪ଜି

NEWS7
BSNL 4G

ନୂଆଦିଲ୍ଲୀ: ପ୍ରତୀକ୍ଷାର ଘଟିଲା ଅନ୍ତ।ଘୋଷଣା ହେଲା ବିଏସଏନଲ ୪ଜି ଲଞ୍ଚ୍‌ର ତାରିଖ। ସେପ୍ଟେମ୍ବର ୨୭ ତାରିଖରେ ଲଞ୍ଚ ହେବ ବିଏସଏନଏଲ ୪ଜି। ଯାହାର ଫାଇଦା ପ୍ରାୟ ୯ କୋଟିରୁ ଅଧିକ ୟୁଜର୍ସଙ୍କୁ ହେବ। ଏନେଇ ବିଏସଏନଏଲ ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ସୂଚନା ଦେଇଛନ୍ତି। ପ୍ରକୃତରେ ଭାରତ ଡିଜିଟାଲ ଇନଫ୍ରା ସମିଟ ୨୦୨୫ରେ ଭାଷଣ ଦେବା ଅବସରରେ ରବି କହିଛନ୍ତି, ‘‘ଏହା ଆମର ସ୍ବଦେଶୀ ଜ୍ଞାନକୌଶଳ, ସେପ୍ଟେମ୍ବର ୨୭ରେ ଏହାର ଉଦ୍‌ଘାଟନ ପୂରା ଦେଶରେ କରିବାକୁ ଯାଉଛୁ।’’ ତେବେ ଆଶା କରାଯାଉଛି କମ୍ପାନି ଏହା ପରେ ନିଜର ୫ଜି ମୋବାଇଲ ନେଟଓ୍ବର୍କ ମଧ୍ୟ ରୋଲ ଆଉଟ କରିପାରେ।

ପୂର୍ବରୁ ଟେଲିକମ କମ୍ପାନି ୨୦୨୫ ଅଗଷ୍ଟ ୧୫ରେ ଦେଶରେ ୧ ଲକ୍ଷ ସ୍ଥାନରେ ୪ଜି ଲଞ୍ଚ କରିବା ନେଇ ଘୋଷଣା କରିଥିଲା। ଅବଶ୍ୟ ଏହା ହୋଇପାରିନଥିଲା। ସୂଚନାଥାଉକି, ୪ଜି ପାଇଁ ବିଏସଏନଏଲ ଟିସିଏସ ସହ ସହଭାଗିତାରେ କାମ କରୁଛି। ଅର୍ଥାତ୍ କମ୍ପାନିକୁ ଟିସିଏସ ସମସ୍ତ ପ୍ରକାର ବୈଷୟିକ ସହାୟତା ଦେଉଛି। ଏହାସହ ବିଏସଏନଏଲ ୪ଜି ଲଞ୍ଚ୍‌ ସହ ତେଜସ ନେଟଓ୍ବର୍କସ ଏବଂ ସି- ଡଟ୍‌ (ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍‌ ଟେଲିମ୍ୟାଟିକ୍ସ) ମଧ୍ୟ ସାମିଲ ଅଛନ୍ତି। ସରକାର ବିଏସଏନଏଲର ପୁନରୁଦ୍ଧାର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଦ୍ବାରା ଜି ସ୍ପେକ୍ଟ୍ରମ ଆବଣ୍ଟନ କରିଥିଲେ।

ସୂଚନାଯୋଗ୍ୟ, ବିଏସଏନଏଲ ଦେଶର ଏକମାତ୍ର ଟେଲିକମ କମ୍ପାନି ଯାହା ୭୦୦ ମେଗାହର୍ଟଜ ବ୍ୟାଣ୍ଡ୍‌ରେ ୪ଜି ସେବା ପ୍ରଦାନ କରିବ। ରିପୋର୍ଟ ଅନୁସାରେ ଦୂରସଞ୍ଚାର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିକଟରେ ହିଁ BSNLର ଏଆରପିୟୁ ଆସନ୍ତା ବର୍ଷରେ ୫୦% ବଢ଼ିବା ଦରକାର ଏବଂ ଏଣ୍ଟରପ୍ରାଇଜ ବିଜନେସ ମଧ୍ୟ ୨୫-୩୦% ବଢ଼ିବା ଦରକାର ବୋଲି କହିଥିଲେ। ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ, ସେପ୍ଟେମ୍ବର ୨୭ରୁ ସବୁ ବିଏସଏନଏଲ ୟୁଜର ୪ଜି ନେଟଓ୍ବର୍କର ବ୍ୟବହାର କରିପାରୁଛନ୍ତି କି’ ନାହିଁ ? ଏବଂ ଏଥିରେ ଗ୍ରାହକଙ୍କୁ କେତେ ସ୍ପିଡ୍ ମିଳିପାରିବ ?